Photo: Representation
ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ଡାକ୍ତର କରୁଣାକର ରାଉତଙ୍କୁ କଟକ ଭିଜିଲାନସ୍ ସ୍ବତନ୍ତ୍ର କୋର୍ଟ ଏକ ଲାଞ୍ଚ ମାମଲାର ବିଚାର କରି ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ପାଇଁ ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି।
ସୂଚନାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦୧୪ ମସିହାରେ ମେଡିକାଲ ଅଫିସର ଭାବେ କାର୍ଯ୍ୟ ତୁଲାଉ ଥିବା ବେଳେ ଡାକ୍ତର କରୁଣାକର ରାଉତ ଜଣେ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରାପଡିଥିଲେ। ତାଙ୍କ ବିରୋଧରେ ଭିଜିଲାନସ୍ ମାମଲା ନମ୍ବର ୩୦/୨୦୧୪ରେ ରୁଜୁ କରାଯାଇଥିଲା। ଏଇ ମାମଲାରେ ଭିଜିଲାନସ୍ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିଲା। କଟକ ଭିଜିଲାନସ୍ ଡିଭିଜନର ପ୍ରାକ୍ତନ ଡିଏସପି ଭରତ ଚନ୍ଦ୍ର ସେଠୀ ଏଇ ମାମଲାର ତଦନ୍ତ କରିଥିଲେ। ଏଇ ଭିଜିଲାନସ୍ ମାମଲାରେ ଡାକ୍ତର ରାଉତ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
Follow Us