ସଙ୍ଗରୋଧରେ ଡାକ୍ତର: କୋଭିଡ୍ ହସ୍‌ପିଟାଲର ୨ ନର୍ସଙ୍କ ସମେତ ୪ ସଂକ୍ରମିତ

Advertisment
ସଙ୍ଗରୋଧରେ ଡାକ୍ତର: କୋଭିଡ୍ ହସ୍‌ପିଟାଲର ୨ ନର୍ସଙ୍କ ସମେତ ୪ ସଂକ୍ରମିତ

The Indian Express

ବାଲେଶ୍ୱର: ବାଲେଶ୍ବର ସଦର ଥାନା ହିଞ୍ଜଳା ଅଞ୍ଚଳର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କର ବାଲେଶ୍ବର ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ କୋଭିଡ୍‌ ସ୍ବାବ ଟେଷ୍ଟ ପଜିଟିଭ ଆସିବାରୁ ଡାକ୍ତରଖାନାରେ ଆତଙ୍କ ଖେଳିଯାଇଛି। ସଂପୃକ୍ତ ରୋଗୀଙ୍କୁ ଚିକିତ୍ସା କରିଥିବା ଜଣେ ଡାକ୍ତରଙ୍କ ସହିତ ରୋଗୀଙ୍କ ପ୍ରତ୍ୟକ୍ଷ, ପରୋକ୍ଷ ସମ୍ପର୍କରେ ଆସିଥିବା ଡାକ୍ତରଖାନାର ପ୍ରାୟ ୨୦ ଜଣ କର୍ମଚାରୀଙ୍କୁ କ୍ବାରାଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାନାର୍ଜୀ ପ୍ରସାଦ ଛୋଟରାୟ ସୂଚନା ଦେଇଛନ୍ତି। ଗତ ୨୧ ତାରିଖରେ ବୃଦ୍ଧ ଜଣକ ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରୋଗୀଙ୍କଠାରେ ରକ୍ତ କର୍କଟ ଓ ମୂତ୍ରାଶୟଜନିତ ସଂକ୍ରମଣ ଲକ୍ଷଣ ଦେଖାଯିବା ପରେ ତାଙ୍କଠାରୁ ଆବଶ୍ୟକ ନମୁନା ସଂଗ୍ରହ କରାଯିବା ସହ କରୋନା ପରୀକ୍ଷା ପାଇଁ ମଧ୍ୟ ସ୍ବାବ୍‌ ପଠାଯାଇଥିଲା। ତେବେ ଏହା ଭିତରେ ସେ ଅଧିକ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ତାଙ୍କର ରକ୍ତ କର୍କଟ ଓ ମୂତ୍ର ସଂକ୍ରମଣ ଲକ୍ଷଣ ଦେଖି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।

ଏସବୁ ରିପୋର୍ଟ ଆସିବା ପାଇଁ ଅତି କମରେ ୬ ଦିନ ଲାଗୁଥିବା ବେଳେ ୩ ଦିନ ପରେ ସେ ଘରକୁ ଫେରି ଆସିଥିଲେ। ଗତକାଲି ପୁଣି ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ ନେଇ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବାର କିଛି ସମୟ ପରେ କରୋନା ପଜିଟିଭ୍ ଥିବା ରିପୋର୍ଟ ପହଞ୍ଚିଥିଲା। ଏହାପରେ ଡାକ୍ତରଖାନାରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁସାରେ ତାଙ୍କର ଶବ ସତ୍କାର କରାଯାଇଛି। ପ୍ରାଥମିକ ଭାବେ ଜଣେ ଡାକ୍ତରଙ୍କ ସମେତ ୨୧ ଜଣଙ୍କୁ ସଂଗରୋଧରେ ପଠାଯାଇଛି। ତେବେ ବୃଦ୍ଧଜଣକ କେଉଁଠୁ ସଂକ୍ରମିତ ହେଲେ ସେ ସଂପର୍କରେ କିଛି ଜଣାପଡ଼ିନାହିଁ। ପରିବାର ଲୋକଙ୍କ ତଥ୍ୟ ଆଧାରରେ ସଂକ୍ରମଣର ଉତ୍ସ ଜଣାପଡ଼ିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟପଟେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

ଏ ଖବର ଭିତରେ ଆଉ ଏକ ଚିନ୍ତାଜନକ ଖବର ହେଉଛି, ବାଲେଶ୍ବର କୁରୁଡାସ୍ଥିତ କୋଭିଡ୍ ହସପିଟାଲର ୨ ଜଣ ନର୍ସ ମହାମାରୀ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଛନ୍ତି ନା ଅନ୍ୟ ଉତ୍ସରୁ ସେମାନେ ସଂକ୍ରମିତ ହୋଇଛନ୍ତି, ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ତେବେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ଘରକୁ ଯିବା ଉପରେ କଟକଣା ରହିଥିବାରୁ ଭୟଭୀତ ନହେବାକୁ ପ୍ରଶାସନ କହିଛି। ଏହି ୨ ନର୍ସଙ୍କ ସହିତ ଆଜି ବାଲେଶ୍ବର ଜିଲ୍ଲାରେ ଆଉ ୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆଜି ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe