ଭିଜିଲାନ୍ସ ଜାଲରେ ଡାକ୍ତର

ଭିଜିଲାନ୍ସ ଜାଲରେ ଡାକ୍ତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ଜଣେ ଏଲ୍‌ଆଇସି ଏଜେଣ୍ଟଙ୍କଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି। ତାଙ୍କ କାର୍‌କୁ ମଧ୍ୟ ଜବତ କରାଯାଇଛି। ସେ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଭେଷଜ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ। ମିଳିଥିବା ସୂଚନା ଅନୁଯାୟୀ ଡା. ଖଜୁରିଆଙ୍କ ନିକଟରେ ଚିକିତ୍ସା ହେଉଥିବା ସଦର ଥାନା ଚାଉଳିଆ ଗ୍ରାମର ନନ୍ଦିନୀ ନାୟକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ଜୀବନ ବୀମା ଦାବି ଫର୍ମରେ କାଉଣ୍ଟର୍‌ ଦସ୍ତଖତ ଲାଗି ଡା. ଖଜୁରିଆ ଏହି ଲାଞ୍ଚ ଦାବି କରିଥିଲେ। ମୃତ ନନ୍ଦିନୀଙ୍କ ୮ ବର୍ଷର ଝିଅ ଏହାର ଉତ୍ତାରାଧିକାରୀ ଅଛନ୍ତି। ପୂର୍ବରୁ ନନ୍ଦିନୀଙ୍କ ସ୍ବାମୀଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଏଲ୍ଆଇସି ବୀମା ଟଙ୍କା ପାଇଁ ମୃତ ନନ୍ଦିନୀଙ୍କ ଏକ ପ୍ରମାଣପତ୍ର ଆବଶ୍ୟକ ଥିଲା। ଏଥିପାଇଁ ଏଲ୍ଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁ ନନ୍ଦିନୀଙ୍କୁ ଚିକିତ୍ସା କରୁଥିବା ଡା.ଖେଜୁରିଆଙ୍କୁ ଅନୁରୋଧ କରିଥିଲେ। ସେ ପ୍ରମାଣପତ୍ର ଦେଇପାରିବେ ନାହିଁ ବୋଲି ବାରମ୍ବାର ମନା କରିଥିଲେ। ଏଲ୍ଆଇସି ଡେଥ୍ କ୍ଲେମ୍ ପାଇଁ ଆବଶ୍ୟକ ପ୍ରମାଣପତ୍ର ଦେବାନିମନ୍ତେ ଡା.ଖେଜୁରିଆ ମିଳିବାକୁ ଥିବା ମୋଟ ୧ଲକ୍ଷ ୧୦ ହଜାର ବୀମା ଟଙ୍କାର ୧୦ ପ୍ରତିଶତ ତଥା ୧୧ ହଜାର ଟଙ୍କା ଦେବାକୁ ଏଲ୍ଆଇସି ଏଜେଣ୍ଟ ଶ୍ରୀ ସାହୁଙ୍କୁ କହିଥିଲେ।

ଏ ନେଇ ଶ୍ରୀ ସାହୁ ଢେଙ୍କାନାଳ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଏଲ୍ଆଇସି ଏଜେଣ୍ଟ ଶ୍ରୀ ସାହୁ ଆଜି ଅପରାହ୍ନ ୩ଟା ୩୫ ମିନିଟ୍ ସମୟରେ ଦକ୍ଷିଣକାଳୀସ୍ଥିତ ଏକ ଔଷଧ ଦୋକାନଠାରେ ଡା. ଖେଜୁରିଆଙ୍କୁ କେମିକାଲ୍ ବୋଳା ୧୧ ହଜାର ଟଙ୍କା ଦେଇଥିଲେ। ଏହିସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଢେଙ୍କାନାଳ ଓ କଟକ ଭିଜିଲାନ୍ସ ଅଧିକାରୀମାନେ ଡା.ଖେଜୁରିଆଙ୍କୁ କାବୁ କରିନେଇଥିଲେ। ତାଙ୍କଠାରୁ କେମିକାଲ୍ ବୋଳା ୧୧ ହଜାର ଟଙ୍କା ଜବତ କରିଥିଲେ। ଏଥିସହ ଡା. ଖଜୁରିଆ ବ୍ୟବହାର କରୁଥିବା କାର୍‌କୁ ମଧ୍ୟ ଭିଜିଲାନ୍ସ ବିଭାଗ ଜବତ କରିଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ଢେଙ୍କାନାଳ ସହରରେ ଥିବା ଡା. ଖେଜୁରିଆଙ୍କ ଭଡ଼ାଘର, ବାଲେଶ୍ବର ଓଉପଦା ଗଡସାହି ସ୍ଥିତ ପୈତୃକ ଘର, ମୟୂରଭଞ୍ଜ ଜିଲ୍ଲା ଯଶୀପୁର ମୟୂର ଗ୍ରାମସ୍ଥିତ ବାସଭବନ ଉପରେ ଏକକାଳୀନ ଚଢଉ କରାଯାଇଛି। ଡା. ଖେଜୁରିଆଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକ ଭିଜିଲାନ୍ସ ଏସ୍‌ପି ପ୍ରକାଶ କୁମାର ନାୟକଙ୍କ ନିର୍ଦ୍ଦେଶରେ ଯାଜପୁର ୟୁନିଟ୍ ଡିଏସ୍‌ପି ସୁଶୀଲ କୁମାର ଏକା, ଢେଙ୍କାନାଳ ଭିଜିଲାନ୍ସ ବିଭାଗର ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, କଟକ ଭିଜିଲାନ୍ସ ବିଭାଗ ଇନ୍ସପେକ୍ଟର ଅନୁପମା ସାହୁ, ଜ୍ୟୋତିପ୍ରକାଶ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଚଢଉରେ ସାମିଲ୍ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe