ବଲାଙ୍ଗୀର: ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ୍ ଡାକ୍ତରଖାନାର ଡା. ବିଶ୍ବରଂଜନ ସାହୁଙ୍କୁ ଆକ୍ରମଣ ହୋଇଛି। ସ୍ଥାନୀୟ ବ୍ରାହ୍ମଣପଡ଼ା ନିବାସୀ ଡା. ସାହୁଙ୍କୁ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରି ଫେରାର୍ ମାରିଛନ୍ତି। ଆକ୍ରମଣରେ ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ଡା. ବିଶ୍ୱରଞ୍ଜନ ସାହୁ ହାଉସ ସର୍ଜନ ଭାବେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାମ କରୁଛନ୍ତି। ଗୁରବାର ଦିନ ସେ ଆଉଟଡୋର କାମ ସାରି ଡା. ବିଷ୍ଣୁ କଲ୍ୟାଣ ମିର୍ଦ୍ଧାଙ୍କ ସହ ମେଡିକାଲସ୍ଥିତ କ୍ୱାର୍ଟରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ( ଓଡି ୦୫-ପି ୯୬୮୪)ରେ ତାଙ୍କୁ ପିଛା କରି ଶାନ୍ତିପଡ଼ା ଗ୍ରିଡ ପାଖରେ ସେମାନଙ୍କୁ ଅଟକାଇଥିଲେ। ଡାକ୍ତରମାନେ ଅଟକିବା ପରେ ଦୁର୍ବୃତ୍ତମାନେ ତୁ କାହିଁକି ମୋ ସ୍ତ୍ରୀର ଗୁପ୍ତାଙ୍ଗକୁ ଛୁଇଁଲୁ ବୋଲି କହିବା ସହ ଡା. ସାହୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଡାକ୍ତର ଜଣକ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇବାକୁ ଚେଷ୍ଟା କଲାବେଳେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ସାଙ୍ଗରେ ଥିବା ଡାକ୍ତର ଆହତ ଡା. ସାହୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ମେଡିକାଲ କଲେଜ ପକ୍ଷରୁ ଏନେଇ ଟାଉନ ଥାନାରେ ଏତଲା ଦିଆଯାଇଛି। ଆକ୍ରମଣ ଘଟଣାର ଏକ ଭିଡିଓ ମିଳିଥିବାବେଳେ ସେଇ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍ପି ଋଷିକେଶ ଖିଲାରି ଡାକ୍ତରଖାନାରେ ପହଞ୍ଚି ଆହତ ଡାକ୍ତରଙ୍କୁ ଭେଟି ତାଙ୍କ ଚିକିତ୍ସା ସେବା ସଂପର୍କ​ରେ ପଚାରି ବୁଝିଛନ୍ତି।
Follow Us