ପ୍ରସୂତିଙ୍କ ଜୀବନ ଯିବା ଘଟଣା: ଡା. ମନୋଜ ନାୟକଙ୍କୁ ମାଲକାନଗିରିକୁ ବଦଳି

ପ୍ରସୂତିଙ୍କ ଜୀବନ ଯିବା ଘଟଣା: ଡା. ମନୋଜ ନାୟକଙ୍କୁ ମାଲକାନଗିରିକୁ ବଦଳି

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୂରପୁର ଗ୍ରାମର ପ୍ରସୂତି ରଞ୍ଜିତା ବାଘ (୨୨ ବର୍ଷ)ଙ୍କ ମୃତ୍ୟୁ ଘଟଣାରେ ଡା. ମନୋଜ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଡା. ନାୟକଙ୍କୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ବଦଳି ‌କରାଯାଇଛି। ରଞ୍ଜିତାଙ୍କୁ ସରକାରୀ ଡାକ୍ତରଖାନାରୁ ନର୍ସିଂହୋମକୁ ନେବାକୁ ଡା. ନାୟକ ତାଙ୍କୁ ପ୍ରବର୍ତ୍ତାଇଥିବା ମୃତ ରଞ୍ଜିତାଙ୍କ ସ୍ବାମୀ ପରମେଶ୍ବର ବାଘ ଅଭିଯୋଗ କରିଥିଲେ। ଡାକ୍ତରଙ୍କ ନର୍ସିଂହୋମ ପ୍ରୀତି ଯୋଗୁଁ ଚିକିତ୍ସା ଅବହେଳାରୁ ରଞ୍ଜିତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ‌ହୋଇଥିଲା। ଏହି ଘଟଣାରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ସ୍ଥାନୀୟ ସର୍କିଟହାଉସରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ। ଏହାର ୪ ଘଣ୍ଟା ପରେ ଡା. ନାୟକଙ୍କୁ ଚି‌ତ୍ର‌କୋଣ୍ଡାକୁ ବଦଳି ‌ଆଦେଶ ହୋଇଛି। ସ୍ବାସ୍ଥ୍ୟ ସଚିବଙ୍କ ବିଭାଗୀୟ ପତ୍ର ସଂଖ୍ୟା ୧୪୭୨୧, ତା. ୨୧.୦୬.୨୦୨୩ରେ ବଦଳି ଆଦେଶ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଗୁରୁତର ଅବସ୍ଥାରେ ଗତ ୭ ତାରିଖ ଦିନ ବୁର୍ଲା ସ୍ଥାନାନ୍ତର ହେଉଥିବା ବେଳେ ବାଟରେ ରଞ୍ଜିତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ମନୋଜ ନାୟକଙ୍କୁ ଦାୟୀ କରିଥିଲେ ରଞ୍ଜିତା‌ଙ୍କ ପରିବାର ଲୋକେ। ରଞ୍ଜିତାଙ୍କ ମୃତ୍ୟୁର ତିନି ଦିନ ପରେ ମାମଲାକୁ ରଫାଦଫା କରିବାକୁ ଡା. ନାୟକ ଉଦ୍ୟମ କରୁଥିବା ତାଙ୍କର ଭାଇରାଲ ଅଡିଓରୁ ସ୍ପଷ୍ଟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe