Advertisment

ଡାକ୍ତରଙ୍କ ଦବଙ୍ଗଗିରି: ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ନକରି ତଡ଼ିଦେଲେ

Advertisment

ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ବି ଛାଡ଼ିଲେନି

ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ବି ଛାଡ଼ିଲେନି

ଡାକ୍ତରଙ୍କ ଦବଙ୍ଗଗିରି: ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ନକରି ତଡ଼ିଦେଲେ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା। ଏଠି ଚିକିତ୍ସାଠାରୁ କାଇଦା କାନୁନ ବେଶି। ଏଠାରେ ଦ୍ବାରପାଳଠାରୁ ଡାକ୍ତର ସମସ୍ତଙ୍କ ମିଜାଜ ସବୁବେଳେ ହାଇ ଭୋଲଟେଜରେ ଥାଏ। କୁହାଯାଏ ଡାକ୍ତରଙ୍କ କଥାରେ ଧା ରୋଗ ଭଲ ହୋଇଯାଏ। ହେଲେ ଏଠି ଭଲ ବ୍ୟବହାର ପାଇବା ଦୂର କଥା ତାଙ୍କ କଥାରେ ହାଁ ଜୀ ନକଲେ ତଡ଼ା ଖାଇବା ଥୟ। ସେ ସାଧାରଣ ନାଗରିକ ‌ହୁଅନ୍ତୁ ବା ବରିଷ୍ଠ ନାଗରିକ କାହାକୁ ଛାଡ଼ ନାହିଁ। ଚିକିତ୍ସା ପାଇଁ ଆସି ଖରାପ ବ୍ୟବହାର ମିଳୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଏପରିକି ଚିକିତ୍ସା ପାଇଁ ରୋଗୀ ସାଥୀରେ ଆସିଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ଡାକ୍ତର ଖେଦି ଆସୁଥିବା ଘଟଣା ଘଟୁଛି। ଡାକ୍ତରଖାନାରୁ ବାହାର କରିଦେବାକୁ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଦେଶ ଦିଆଯାଉଛି। ଏଭଳି ବ୍ୟବହାରରେ ଅତିଷ୍ଠ ହେଲେ ସୁଦ୍ଧା ଲୋକଙ୍କ ପାଖରେ କୌଣସି ଉପାୟ ନାହିଁ। ସାଧାରଣ ଲୋକେ ମୁଣ୍ଡପାତି ସହୁଛନ୍ତି। ତେବେ ଶନିବାର ସବୁ ସୀମା ପାର କରିଛନ୍ତି ଏଠାକାର କାର୍ଯ୍ୟରତ ଡାକ୍ତର।

ଅଭିଯୋଗ ଅନୁସାରେ, ବୌଦ୍ଧର ଜଣେ ଜିଲ୍ଲାସ୍ତରୀୟ ଅଧିକାରୀ ସହରର ରାମେଶ୍ବରନଗରରେ ରହୁଥିବା ଅନ୍ନଦା ବୈଶାଖ(୬୮) ନାମକ ତାଙ୍କ ସଂପର୍କୀୟାଙ୍କୁ ଚିକିତ୍ସା ପାଇଁ ଆଣିଥିଲେ। ଅନ୍ନଦା ଦେବୀଙ୍କ ହାତ ଆଙ୍ଗୁଳି ନଖ ନିକଟରେ ସଂକ୍ରମଣ ହୋଇ ପୂରା ଆଙ୍ଗୁଠି ଫୁଲି ଯାଇଛି। ବହିର୍ବିଭାଗକୁ ପଶିବା କ୍ଷଣି ଜଣେ ମହିଳା ଡାକ୍ତର ମାସ୍କ ପିନ୍ଧିନଥିବା କହି ଚିହିଁକି ଉଠିଥିଲେ। ଏହି ଡାକ୍ତରଖାନାରେ ବହୁବର୍ଷ ସ୍ୱାସ୍ଥ୍ୟକର୍ମୀ ଭାବରେ ଚାକିରି କରିଥିବା ଅନ୍ନଦା ଦେବୀ ନିଜ ଭୁଲ ସ୍ୱୀକାର କରି ପଣତରେ ମୁହଁ ଢାଙ୍କି ଦେଇଥିଲେ। ଗତଥର ତମେ ଆସି ଜଣେ ମାଡାମଙ୍କ ସହ ଯୁକ୍ତିତର୍କ କରିଥିଲ। ତୁମ ଚିକିତ୍ସା ହେବ ନାହିଁ ବୋଲି ଡାକ୍ତର କହିଥିଲେ। ଡାକ୍ତରଙ୍କ ପଞ୍ଚମ ରାଗ ଦେଖି ସାଥୀରେ ଯାଇଥିବା ଜିଲ୍ଲାସ୍ତରୀୟ ଅଧିକାରୀ ନିଜ ପରିଚୟ ଦେଇଥିଲେ। ପରିଚୟ ଶୁଣିବା ମାତ୍ରେ ପ୍ରଚଣ୍ଡ ରାଗିଯାଇ ଅନ୍ୟ ଡାକ୍ତର ଓ ରୋଗୀଙ୍କ ସମ୍ମୁଖରେ ତାଙ୍କ ଚାକିରିକୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ଯାହାକୁ ଅଭିଯୋଗ କଲେବି ତାଙ୍କର କିଛି ହେବ ନାହିଁ। ଜିଲ୍ଲାପାଳ, ମନ୍ତ୍ରୀ ତାଙ୍କ ନିଜ ଲୋକ ବୋଲି ସୂଚାଇ ଦେଇଥିଲେ।

publive-image Mapio.net

ଡାକ୍ତରଙ୍କ ଅପମାନ ସୂଚକ ଗାଳିଗୁଲଜ ସହିନପାରି ଅଧିକାରୀ ଜଣକ ସିଡିଏମ୍‌ଓଙ୍କୁ ଫୋନ କରି ଡାକିଥିଲେ। ସିଡିଏମଓ ଆସିବା ପରେ ମଧ୍ୟ ତାଙ୍କ ବ୍ୟବହାରରେ ଶାଳୀନତା ଫେରିଲା ନାହିଁ। ଏତିକିରେ ମନ ଶାନ୍ତ ନହେବାରୁ ବାହାରକୁ ଆସି ଗାଳି କରିବା ସହ ଉଭୟଙ୍କୁ ବାହାର କରିବାକୁ ସିକ୍ୟୁରିଟି ଗାର୍ଡକୁ କହି‌ଥିଲେ। ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ତାଙ୍କ ପରିଜନ ବିଭିନ୍ନ ସମୟରେ ଡାକ୍ତର, କର୍ମଚାରୀ ଏପରିକି ସିକ୍ୟୁରିଟି ଗାର୍ଡଙ୍କ ଗରମ ମିଜାଜର ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଛି। ଆଜିର ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ୫-ଟି ଓ ମୋ ସରକାର ବୌଦ୍ଧ ଜିଲ୍ଲାରେ ମୂଲ୍ୟହୀନ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି।

ଘଟଣା ବିଷୟରେ ସିଡିଏମ୍‌ଓ ଡା.ଅଭୟ ଦାଶଙ୍କୁ ପଚାରିବାରେ ବ୍ୟବହାର ଟିକିଏ ଏପଟ ସେପଟ ହୋଇଥିଲା, ଖରାପ ବ୍ୟବହାର ନୁହେଁ, ମୁଁ ସମାଧାନ କରିଦେଇଛି, ବରି‌ଷ୍ଠ ନାଗରିକ ଡାକ୍ତରାଣୀଙ୍କ ମୁଣ୍ଡରେ ହାତ ଦେଇ ଆଶୀର୍ବାଦ କରିଗଲେ ବୋଲି କହିଛନ୍ତି। ହେଲେ ଏ ବିଷୟରେ ଅନ୍ନଦା ଦେବୀ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପଚାରିବାରେ କିଛି ସମାଧାନ ହୋଇ ନାହିଁ, ଏଭଳି ଅସଭ୍ୟ ଓ ଅପମାନ ସୂଚକ ବ୍ୟବହାର ଜୀବନରେ କାହା ପାଖରୁ ପାଇ ନଥିବା ଉଭୟେ କ୍ଷୋଭର ସହ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe