ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭୟଙ୍କର ହେଲାଣି ଡାକ୍ତର ସମସ୍ୟା

୧୧ ବଦଳରେ ଅଛନ୍ତି ଜଣେ ଡାକ୍ତର, ହଇରାଣ ହେଉଛନ୍ତି ଲୋକେ

ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭୟଙ୍କର ହେଲାଣି ଡାକ୍ତର ସମସ୍ୟା

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ରେ ଅନେକ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ ଏଠାରେ ଡାକ୍ତର ସମସ୍ୟାକୁ ଦେଖିଲେ ସତେ ଯେମିତି କାହାରି ପାଟିରୁ କଥା ବାହାରୁନି। ରୋଗୀଟିଏ ସ୍ବାସ୍ଥ୍ୟକେନ୍ଦ୍ରକୁ ଧାଇଁ ଧାଇଁ ଆସିବା ପରେ ନିରୁପାୟ ହୋଇ ଏଠାରୁ ଫେରିଯିବାକୁ ବାଧ୍ୟ ହେଉଛି କିମ୍ବା ନୟାଗଡ଼ ଓ ଭୁବନେଶ୍ବର ଯିବା ରାସ୍ତାରେ ସବୁଦିନ ପାଇଁ ଆଖି ବୁଜୁଛି। ଏମିତି ବର୍ଷ ବର୍ଷ ଧରି ଡାକ୍ତର ସମସ୍ୟା ଲାଗି ରହିଥିଲେ ମଧ୍ୟ ନେତା, ପ୍ରଶାସନ ସମସ୍ତେ ଚୁପ୍ ରହୁଛନ୍ତି। ଏପଟେ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲାଣି ବୋଲି ଅଞ୍ଚଳବାସୀ କହିଛନ୍ତି। ୧୧ ଜଣ ଡାକ୍ତରଙ୍କ ବଦଳରେ ଜଣେ ଡାକ୍ତର କାର୍ଯ୍ୟ କରୁଛନ୍ତି। ୨ ଜଣ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ଡେପୁଟସେନରେ ଆଣି କାର୍ଯ୍ୟରେ ନିୟୋଜିତ କରାଯାଇଛି।

ସୂଚନାଯୋଗ୍ୟ, ଓଡ଼ଗାଁ ବ୍ଲକ୍ ଅଧୀନରେ ୩୬ଟି ପଞ୍ଚାୟତରୁ ୧୮ଟି ପଞ୍ଚାୟତ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ବାକି ୧୮ଟି ପଞ୍ଚାୟତ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭରସା କରିଛନ୍ତି। ଏଠାରେ ଡାକ୍ତରଙ୍କ ଘୋର ଅଭାବ ଥିବା ବେଳେ ଅନେକ ଡାକ୍ତରଙ୍କୁ ନିଯୁକ୍ତି କଲେ ମଧ୍ୟ ସେମାନେ ଆସିବାକୁ ଅନିଚ୍ଛା ପ୍ରକାଶ କରି ଫେରି ଯାଉଛନ୍ତି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ମୁଖ୍ୟ ରାସ୍ତା ଉପରେ ଥିବାରୁ ରୋଗୀଟିଏ ଆଶାବାନ୍ଧି ଏଠାକୁ ଧାଇଁ ଆସୁଛି କିନ୍ତୁ ଡାକ୍ତର ସମସ୍ୟା ଦେଖାଇ ରୋଗୀକୁ ନୟାଗଡ଼ ପଠାଇ ଦିଆଯାଉଛି। ରୋଗୀଙ୍କ ଦୁଃଖ, ସମସ୍ୟା, ପରିସ୍ଥିତି ବୁଝିବାକୁ କେହି କେବେ ଚିନ୍ତା କରିନାହାନ୍ତି। ୪ ଜଣ ସ୍ପେଶାଲିଷ୍ଟ ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି କରିବାର ସରକାରଙ୍କ ନିୟମ ରହିଛି। ଗର୍ଭବତୀ କିମ୍ବା ପ୍ରସବକାଳୀନ ମହିଳାଙ୍କ ପାଇଁ ଜଣେ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଅସ୍ଥିଶଲ୍ୟ ପାଇଁ ଜଣେ, ଶିଶୁରୋଗ ପାଇଁ ଜଣେ ଏବଂ ମେଡିସିନ୍ ସ୍ପେଶାଲିଷ୍ଟ ପାଇଁ ଜଣେ ଡାକ୍ତରଙ୍କ ଆବଶ୍ୟକତା ରହିଛି। ଏଥି ସହିତ ଜଣେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ରହି ସମସ୍ତ କାର୍ଯ୍ୟର ତଦାରଖ କରିବା କଥା କିନ୍ତୁ ଏଠାରେ ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ଛାଡିଦେଲେ ଅନ୍ୟ ୨ଜଣ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ଡେପୁଟେସନରେ ଆଣି କାର୍ଯ୍ୟ କରାଯାଉଛି। ୨ ଜଣ ଡାକ୍ତର ସପ୍ତାହକୁ ଦୁଇଦିନ ଆସି ଏଠାରେ କାର୍ଯ୍ୟ କରିବେ ବାକି ଅନ୍ୟ ଦିନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର ଏବେ ସାମ୍ନାକୁ ଆସିବା ପରେ ଅଞ୍ଚଳବାସୀ ନେତା, ପ୍ରଶାସନକୁ ଦାୟୀ କରିଛନ୍ତି। କିଛି ବୁଦ୍ଧିଜୀବୀଙ୍କ କହିବା କଥା ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଡାକ୍ତରଙ୍କୁ ନିଯୁକ୍ତି କରିବା ଦାୟିତ୍ବ ନେତା, ପ୍ରଶାସନର ରହିଛି। କିନ୍ତୁ ଏଥିପ୍ରତି କାହାରି ଆନ୍ତରିକତା ନାହିଁ। ଯାହା ଫଳରେ ଗରିବ ଶ୍ରେଣୀର ଅସହାୟ ରୋଗୀଟିଏ ଆସି ଏଠାରୁ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛି। କେବେ ରାଜ୍ୟ ସରକାର ଓ ନେତାମାନଙ୍କ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଦୃଷ୍ଟି ପଡିବ ଓଡ଼ଗାଁ ଅଞ୍ଚଳବାସୀ ସ୍ବାସ୍ଥ୍ୟକେନ୍ଦ୍ରର ସୁବିଧା ପାଇବେ କି ଏମିତି ବର୍ଷ ବର୍ଷ ଧରି ଲୋକଙ୍କୁ ଅନ୍ଧାରରେ ରଖାଯିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe