ପ୍ରାଚୀ ସଭ୍ୟତାର ସ୍ମାରକକୁ ଡକୁମେଣ୍ଟେସନ୍‌ କରାଯିବ

୬ମାସରେ ଚିହ୍ନଟ ହେବ ୩୫୦ ସ୍ମାରକ

ପ୍ରାଚୀ ସଭ୍ୟତାର ସ୍ମାରକକୁ ଡକୁମେଣ୍ଟେସନ୍‌ କରାଯିବ

ଭୁବନେଶ୍ୱର : ଇତିହାସର ପୃଷ୍ଠାରେ ଏକ ଗୌରବୋଜ୍ଜ୍ୱଳ ନାମ ବହନ କରିଥିବା ପ୍ରାଚୀ ସଭ୍ୟତାର ସ୍ମାରକକୁ ଡକୁମେଣ୍ଟେସନ୍‌ କରାଯିବ। ଅତୀତରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାଚୀ ଉପତ୍ୟକାରେ ଗଢ଼ି ଉଠିଥିବା ସଭ୍ୟତା ହରପ୍ପା ଓ ମହେଞ୍ଜୋଦାରର ପୂର୍ବ ସଭ୍ୟତା ବୋଲି ଉଦାହରଣ ମିଳିଥିବା ବେଳେ ପୂର୍ଣ୍ଣାଙ୍ଗ ଡକୁମେଣ୍ଟେସନ୍‌ ପାଇଁ ଇନ୍‌ଟାକ୍‌ (ଦି ଇଣ୍ଡିଆନ୍‌ ନାସ୍‌ନାଲ୍‌ ଟ୍ରଷ୍ଟ୍‍ ଫର୍‌ ଆର୍ଟ ଆଣ୍ଡ୍‌ କଲ୍‌ଚରାଲ୍‌ ହେରିଟେଜ୍‌) ଅଣ୍ଟା ଭିଡ଼ିଛି। ସଂପ୍ରତି ଅନେକ ପୁରୁଣା ସ୍ମାରକ ଅଦୃଶ୍ୟ ହୋଇଯାଇଥିବା ବେଳେ ବାକି ରହିଯାଇଥିବା ଅବଶେଷକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକୁ ଲିପିବଦ୍ଧ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ବୋଲି ଇନ୍‌ଟାକ୍‌ର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ କହିଛନ୍ତି।

ଏହି କ୍ରମରେ କେବଳ ସ୍ମାରକରାଜି ନୁହେଁ, ସେହି ପ୍ରାଚୀ ଉପତ୍ୟକାକୁ ସଂଲଗ୍ନ କରୁଥିବା ଅଞ୍ଚଳର ସମୃଦ୍ଧ ମୌଖିକ ପରମ୍ପରା ତଥା କଥାବାର୍ତାର ଶୈଳୀ, ଚଳି ଆସୁଥିବା ପ୍ରଥା, ପର୍ବପର୍ବାଣୀ ଓ ଲୋକସାହିତ୍ୟକୁ ମଧ୍ୟ ଡକୁମେଣ୍ଟେସନ୍‌ କରାଯିବ ବୋଲି ଇନ୍‌ଟାକ୍‌ ଭୁବନେଶ୍ୱର ଚାପ୍ଟରର ଆବାହକ ଏସ୍‌କେବି ନାରାୟଣ କହିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ସଂଲଗ୍ନ ଅଞ୍ଚଳର ମନ୍ଦିର, ମଠ, ଘାଟ, ସ୍ଥାନୀୟ ଅଞ୍ଚଳର ଗଠନ ଶୈଳୀ, ଦୃଶ୍ୟ ସବୁକିଛି ଲିପିବଦ୍ଧ କରାଯିବ। ପାଖାପାଖି ୩୫୦ ସ୍ମାରକକୁ ଡକୁମେଣ୍ଟ୍‌ କରାଯିବ। ଏହି ପ୍ରକଳ୍ପ ପାଇଁ ୬ ମାସର ସମୟ ଧାର୍ଯ୍ୟ ହୋଇଛି। ନଦୀ ମୁହାଣ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଡକୁମେଣ୍ଟେସନ୍‌ କାର୍ଯ୍ୟରେ ହିତାଧିକାରୀ, ଗ୍ରାମବାସୀ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ଦିର କର୍ତୃପକ୍ଷଙ୍କୁ ମଧ୍ୟ ସାମିଲ୍‌ କରାଯିବ ବୋଲି ଇନ୍‌ଟାକ୍‌ର ପ୍ରକଳ୍ପ ସଂଯୋଜକ ଅନୀଲ ଧୀର୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe