ଶ୍ରୀମନ୍ଦିରରେ ମାଙ୍କଡ଼ ପରେ କୁକୁର ଆତଙ୍କ: କୁକୁର କାମୁଡ଼ାରେ ୨ ବର୍ଷର ଶିଶୁ ଗୁରୁତର

ପ୍ରତି ମାସରେ ୨୦ରୁ ଅଧିକ ଭକ୍ତଙ୍କୁ କାମୁଡ଼ି ରକ୍ତାକ୍ତ କରୁଛନ୍ତି ମାଙ୍କଡ଼

ଶ୍ରୀମନ୍ଦିରରେ ମାଙ୍କଡ଼ ପରେ କୁକୁର ଆତଙ୍କ: କୁକୁର କାମୁଡ଼ାରେ ୨ ବର୍ଷର ଶିଶୁ ଗୁରୁତର

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଆଜି ଅଭାବନୀୟ ଘଟଣା ଘଟିଛି। ସିଂହଦ୍ୱାର ନିକଟରେ ଖେଳୁଥିବା ଜଣେ ୨ ବର୍ଷର ଶିଶୁକୁ ବୁଲା କୁକୁର କାମୁଡ଼ି ଝୁଣି ପକାଇଛି। ଆଖିକୁ କାମୁଡ଼ି ଦେବାରୁ ପ୍ରବଳ ରକ୍ତସ୍ରାବ ହୋଇଛି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ସିଂହଦ୍ବାର ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଆଶୁ ଚିକିତ୍ସା ପରେ ଶିଶୁକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରତି ମାସରେ ଶ୍ରୀମନ୍ଦିରକୁ ଆସୁଥିବା ୨୦ରୁ ଅଧିକ ଭକ୍ତ ମାଙ୍କଡ଼କାମୁଡ଼ାର ଶିକାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି। ଏହାକୁ ନେଇ ଭକ୍ତ ଆତଙ୍କିତ ଥିବାବେଳେ ଆଜି କୁକୁରକାମୁଡ଼ା ପରେ ଭକ୍ତ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି।

ମିଳିଥିବା ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଏକ ପରିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ସାଙ୍ଗରେ ୨ ବର୍ଷର ଶିଶୁ ବି ଥିଲା। ଧାଡ଼ିରେ ଆସୁଥିବା ଏହି ପରିବାର କିଛି ସଦସ୍ୟଙ୍କୁ ପଛରେ ଛାଡ଼ି ଆସିଥିବାରୁ ସିଂହଦ୍ବାର ଅରୁଣ ସ୍ତମ୍ଭ ନିକଟରେ ଅପେକ୍ଷାରେ ଥିଲେ। ବାପା-ମା’ଙ୍କ ସାଙ୍ଗରେ ଥିବା ୨ ବର୍ଷର ଶିଶୁ ଅରୁଣ ସ୍ତମ୍ଭ ନିକଟ ଚକଡ଼ାରେ ଖେଳୁଥିବାବେଳେ ପାଖରେ ଶୋଇଥିବା ଏକ କୁକୁର ହଠାତ୍‌ ତାର ଆଖିକୁ କାମୁଡ଼ି ଦେଇଥିଲା। ଫଳରେ ଆଖି ଚାରିପଟେ କୁକୁରର ଦାନ୍ତ ବସି ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ଦୌଡ଼ି ଆସିବାରୁ କୁକୁରଟି ଦୌଡ଼ି ପଳାଇଥିଲା। ସୂଚନାଯୋଗ୍ୟ, ପ୍ରତିଦିନ ଶ୍ରୀମନ୍ଦିରରେ ପାତି ମାଙ୍କଡ଼ଙ୍କ ଉତ୍ପାତ ବଢ଼ିଚାଲିଛି। ଦୈନିକ ଆକ୍ରମଣର ଶିକାର ହେଉଛନ୍ତି ଭକ୍ତ। ଲହୁଲୁହାଣ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। କାର୍ତ୍ତିକ ମାସରେ ବି ବହୁ ହବିଷ୍ୟାଳି ମାଙ୍କଡ଼ କାମୁଡ଼ାର ଶିକାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe