Image Courtesy of Deccan Herald
ବିନିକା: ବିନିକା-ଗୋଡ଼ଭାଗା ରାସ୍ତାର ବିନିକା ଥାନା ଅନ୍ତର୍ଗତ ଅରିଗାଁ ପଖରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଘରୋଇ ଅମ୍ବୁଲାନ୍ସ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ତୁରୁମ ପଟୁ ବିନିକା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ଅରିଗାଁ ପାଖରେ ଏକ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଚାଳକ ଗୁଲୁଣ୍ଡା ଗ୍ରାମର ଅରବିନ୍ଦ ସେଠୀ (୨୬) ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଅରବିନ୍ଦଙ୍କୁ ବିନିକା ଡାକ୍ତରଖାନାକୁ ଆଣିଥିଲେ।
ମାତ୍ର ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଦୁର୍ଘଟଣା ବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ମଣିଗାଁର ଅନିଲ ଭୁଏ ମଧ୍ୟ ଆହତ ହୋଇଥିଲେ। ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ଖବର ପାଇ ବିନିକା ଥାନା ଏସ୍ଆଇ ରବୀନ୍ଦ୍ର ସାହୁ ପୁଲିସ କର୍ମଚାରୀଙ୍କ ସହ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଆମ୍ବୁଲାନ୍ସକୁ ସୋନପୁର ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି।
Follow Us