କରୋନା କାଳରେ ଘରୋଇ ଆମ୍ବୁଲାନ୍ସର ଶୋଷଣ, ସୁନ୍ଦରଗଡ଼ରୁ ରାଉରକେଲାକୁ ଭଡ଼ା ୧୧ ହଜାର

ଗୋଲ୍‌ଡେନ୍ ଆୱାର ପ୍ରହସନ: ରେଫେରାଲରେ ଗଲା ୧୨ଘଣ୍ଟା, ମିଳିଲାନି ଆଇସିୟୁ; ୩ ଦିନ ପରେ ଆଖି ବୁଜିଲେ ମନୋଜ

Medical Air Service

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହରର ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଗୁରୁତର ଅବସ୍ଥାରେ ଶାନ୍ତି ମେମୋରିଆଲ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ଡାକ୍ତର ଏକ ପ୍ରକାର ନିରାଶ ବାଣୀ ଶୁଣାଇ ଦେଇଥିଲେ। ଏହା ପରେ ପରିବାର ଲୋକେ ଟଙ୍କା ଆଉ ପାଣିରେ ପକାଇବାକୁ ଉଚିତ ନମଣି ମୁମୂର୍ଷୁ ରୋଗୀଙ୍କୁ ଘରକୁ ନେଇ ଆସିବାକୁ ଚାହିଥିଲେ। ସେଥିପାଇଁ ସେମାନେ ରାଉରକେଲାରୁ ଏକ ଘରୋଇ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଭଡ଼ା ୧୧ ହଜାର ଟଙ୍କା କୁହାଯାଇଥିଲା। ରାଉରକେଲାରୁ ସୁନ୍ଦରଗଡ଼ର ଦୂରତା ମାତ୍ର ୯୬ କିଲୋମିଟର। ସାଧାରଣ ଭଡ଼ା ମାତ୍ର ୨ ହଜାରରୁ ୨୨ ଶହ ଟଙ୍କା। ଜରୁରୀସ୍ଥିତିରେ ତାହା ହୁଏତ ୩ ହଜାର ହୋଇପାରେ। କିନ୍ତୁ ଏକା ଥରକେ ତିନି, ଚାରି ଗୁଣ ଭଡ଼ା ଶୁଣି ପରିବାର ଲୋକଙ୍କ ମୁଣ୍ଡ ଘୂରି ଯାଇଥିଲା। ସେମାନେ ସୁନ୍ଦରଗଡ଼ର ଏକ ଘରୋଇ ହସ୍ପିଟାଲ ସହ ଯୋଗାଯୋଗ କରି ଆମ୍ବୁଲାନ୍ସ ପଠାଇବାକୁ ଅନୁରୋଧ କରିଥିଲେ। ଶେଷକୁ ମାତ୍ର ୨୨ ଶହ ଟଙ୍କାରେ ସୁନ୍ଦରଗଡ଼ରୁ ଆମ୍ବୁଲାନ୍ସ ଯାଇ ରୋଗୀ ଆଣିଥିଲା। କିଛି ଦିନ ପରେ ରୋଗୀ ଘରେ ପ୍ରାଣ ହରାଇଥିଲେ।

ସେହିପରି ସୁନ୍ଦରଗଡ଼ ସହରର ଜଣେ କରୋନା ସଂକ୍ରମିତ ହୋଟେଲ ମାଲିକ ଡାଏଲିସିସ୍ ପାଇଁ ରାଉରକେଲା ଜୟପ୍ରକାଶ ହସ୍ପିଟାଲକୁ ଯାଇଥିଲେ। କରୋନା ସଂକ୍ରମିତଙ୍କ ଡାଏଲିସିସ୍ ପାଇଁ ଜିଲ୍ଲାର କେବଳ ଜୟପ୍ରକାଶ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଥିବାରୁ ସେ ସେଠାକୁ ଯାଇଥିଲେ। ଡାଏଲିସିସ ପରେ ରାତିରେ ସେ ସୁନ୍ଦରଗଡ଼ ଫେରିବାକୁ ଘରୋଇ ଆମ୍ବୁଲାନ୍ସ ଲୋଡ଼ିଥିଲେ। ଭଡ଼ା କୁହାଯାଇଥିଲା ୬ ହଜାର ଟଙ୍କା। ଶେଷକୁ ସେ ସୁନ୍ଦରଗଡ଼ରୁ ଏକ ଆମ୍ବୁଲାନ୍ସ ମଗାଇ ଫେରିଥିଲେ। ୪ ଦିନ ତଳର ଏ ଘଟଣା କରୋନା କାଳରେ ଘରୋଇ ଆମ୍ବୁଲାନ୍ସର ଶୋଷଣର ଚିତ୍ରକୁ ସାମ୍ନାକୁ ଆଣିଛି। ତେବେ ଏ ଦୁଇଟି ଘଟଣା ଆମ୍ବୁଲାନ୍ସ ଶୋଷଣର ଦୁଇଟି ଉଦାହରଣ ମାତ୍ର। ଏମିତି ଅନେକ ରୋଗୀ ଘରୋଇ ଆମ୍ବୁଲାନ୍ସ ହାବୁଡ଼ରେ ପଡ଼ି ମୋଟା ଅଙ୍କର ଭଡ଼ା ଗଣିଛନ୍ତି।

ରାଉରକେଲାରୁ ସୁନ୍ଦରଗଡ଼ ମାତ୍ର ୯୬ କିଲୋମିଟରକୁ ଯଦି ଏତେ ଟଙ୍କା, ତେବେ ଭୁବନେଶ୍ବର, କଟକକୁ ଭଡ଼ା ୨୫/୩୦ ହଜାରରୁ କମ୍ ନୁହେଁ ବୋଲି କୁହାଯାଉଛି। ତେବେ ରୋଗୀଙ୍କ ସେବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୩୫ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ନିଜସ୍ବ ଆମ୍ବୁଲାନ୍ସ ରହିଛି। ଯାହା କରୋନା ରୋଗୀ ଓ ସାଧାରଣ ରୋଗୀ ପରିବହନରେ ନିୟୋଜିତ ରହିଛି। ଅନ୍ୟପଟେ ଜିଲ୍ଲା ସଦରମହକୁମାରେ ଦୁଇଟି ଘରୋଇ ହସ୍ପିଟାଲ ସମେତ ଦୁଇ ଜଣ ବ୍ୟକ୍ତିଙ୍କ ଆମ୍ବୁଲାନ୍ସ ରହିଛି। କିନ୍ତୁ ରୋଗୀଙ୍କୁ ରାଉରକେଲା, ବୁର୍ଲା କିମ୍ବା ଭୁବନେଶ୍ବର, କଟକ ସ୍ଥାନାନ୍ତର ପ୍ରକ୍ରିୟାରେ ଖଣିଜ ପ୍ରତିଷ୍ଠାନର ଆମ୍ବୁଲାନ୍ସ ନିୟୋଜିତ ଥିବାରୁ ଏଠାରେ ଘରୋଇ ଆମ୍ବୁଲାନ୍ସ ବିଶେଷ ସୁଯୋଗ ପାଉ ନଥିବା ଜଣାଯାଏ। ତେବେ ସୁସ୍ଥ ହେବା ପରେ ରାଉରକେଲା ଓ ସୁନ୍ଦରଗଡ଼ ଡାକ୍ତରଖାନାରୁ ରିଲିଭ୍ ହୋଇ ଘରକୁ ଫେରୁଥିବା ବ୍ୟକ୍ତିମାନେ ଏପରି ଘରୋଇ ଆମ୍ବୁଲାନ୍ସ ହାବୁଡ଼ରେ ପଡ଼ି ଶୋଷିତ ହେଉଥିବା ଅଭିଯୋଗ ରହିଛି।

କରୋନା କାଳରେ ଲୋକେ ଜୀବନ ବଞ୍ଚାଇବାକୁ ବିଚଳିତ, ବିବ୍ରତ ଥିବା ବେଳେ ଘରୋଇ ଆମ୍ବୁଲାନ୍ସ ଏହାକୁ ଏକ ସୁଯୋଗ ମଣି ସମ୍ବେଦନହୀନ ଭାବେ ଶୋଷଣ କରି ଚାଲିଛନ୍ତି। ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏଥିରେ ଲଗାମ ଆଣିବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe