ଘରୋଇ ବିବାଦ: ସ୍ବାମୀ ଓ ପୁଅକୁ ପାଇବା ଦାବିରେ ତାଲା ଭାଂଗି କ୍ବାର୍ଟର ସମ୍ମୁଖରେ ଧାରଣା ଦେଲେ ସ୍ବପ୍ନା

Advertisment
ଘରୋଇ ବିବାଦ: ସ୍ବାମୀ ଓ ପୁଅକୁ ପାଇବା ଦାବିରେ ତାଲା ଭାଂଗି କ୍ବାର୍ଟର ସମ୍ମୁଖରେ ଧାରଣା ଦେଲେ ସ୍ବପ୍ନା

ବ୍ରହ୍ମପୁର : ଡା. ସୁମିତ୍ ଓ ତପସ୍ବିନୀ ମାମଲା ତୁଟିନାହିଁ। ନିଜକୁ ପତ୍ନୀ ଓ ପୁଅକୁ ପିତାର ପରିଚୟ ଦାବି କରି କେ. ଦୀପିକାଙ୍କ ଧାରଣା ଜାରି ରହିଥିବା ବେଳେ ଆଜି ଆଉ ଏକ ମାମଲା ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି। ନିଜ ସ୍ବାମୀ ଓ ପୁଅ ସହ ରହିବା ଦାବିରେ ସ୍ବପ୍ନାରାଣୀ ନାୟକ ନାମ୍ନୀ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସରକାରୀ କ୍ବାର୍ଟରର ତାଲା ଭାଂଗି ଘର ସମ୍ମୁଖରେ ଧାରଣା ଆରମ୍ଭ କରିଛନ୍ତି। ସ୍ବପ୍ନାଙ୍କ ଧାରଣାରେ ସମାଜସେବୀ ପ୍ରମିଳା ତ୍ରିପାଠୀ ସହଯୋଗ କରିଥିବା ଦେଖିବାକୁ ମିଳିଛି। ଆଜି ସ୍ବପ୍ନା ତାଙ୍କ ସାନପୁଅ ଓ ସମାଜସେବୀ ଶ୍ରୀମତୀ ତ୍ରିପାଠୀ ରେଳୱେରେ ଟିଟିଇ ଚାକିରି କରୁଥିବା ସ୍ବାମୀ କାହ୍ନୁଚରଣ ନାୟକଙ୍କ କ୍ବାର୍ଟର ନିକଟରେ ପହଞ୍ଚିଥିଲେ। କ୍ବାର୍ଟରରେ ପଡ଼ିଥିବା ତାଲାକୁ ପତ୍ନୀ ସ୍ବପ୍ନା ଭାଂଗିବା ସହ ସେଠାରେ ଧାରଣା ଆରମ୍ଭ କରିଥିଲେ। ଏଥିନେଇ ସେ ଜିଆର୍‌ପି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ।

ସ୍ବପ୍ନାଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀ ରେଳୱେରେ ଟିଟିଇ ଭାବେ କାର୍ଯ୍ୟ କରନ୍ତି। ୨୦୧୨ ମସିହା ଜାନୁଆରି ୧୮ରେ ଉଭୟଙ୍କ ବିବାହ ହୋଇଥିଲା। ଉଭୟଙ୍କ ଦୁଇଟି ସନ୍ତାନ ରହିଥିବା ବେଳେ ବଡ଼ପୁଅ ସ୍ବାମୀଙ୍କ ନିକଟରେ ରହୁଥିବା ବେଳେ ସାନପୁଅ ତାଙ୍କ ନିକଟରେ ରହୁଛି। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିବା ସ୍ବପ୍ନା କହିଛନ୍ତି। ପରବର୍ତ୍ତୀ ସମୟରେ ୨୦ଲକ୍ଷ ଟଙ୍କା ଆଣିବାକୁ କହି ତାଙ୍କୁ ନିର୍ଯାତନା ଦିଆଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ସ୍ବାମୀ କାହ୍ନୁଚରଣ ଭଣଜାକୁ ପାଠ ପଢ଼ାଇବାକୁ ଆଣି ଏଠାରେ ରଖିଥିଲେ। ପରବର୍ତ୍ତୀ ସମୟରେ ଚକ୍ରାନ୍ତ କରି ମାଇଁ-ଭଣଜା ସହ ସଂପର୍କ ରହିଥିବା ଅଭିଯୋଗ ଆଣି ବିବାଦ ସୃଷ୍ଟି କରିଛନ୍ତି। ଗତ ତିନି ବର୍ଷ ଧରି ମୁଁ ବାପା ଘରେ ରହୁଥିବା ବେଳେ ମୋ ସ୍ବାମୀଙ୍କ ବନ୍ଧୁ ଦୀନବନ୍ଧୁ ପଣ୍ଡା ମୋ ଘର ଭାଂଗିଥିବା ସେ ଅଭିଯୋଗ କରିଛନ୍ତି।

ତିନି ବର୍ଷ ପରେ ବି ମୋ ସ୍ବାମୀ ମୋତେ ଘରକୁ ଆଣୁନଥିବା କହିବା ସହ ସ୍ବାମୀ ଓ ପୁଅକୁ ପାଇବା ଦାବି କରି ସେ ଆଜି ଠାରୁ ଧାରଣା ଆରମ୍ଭ କରିଥିବା କହିଛନ୍ତି। ଏଥିନେଇ ସ୍ବପ୍ନା ଉଚ୍ଚନ୍ୟାୟାଳୟ, ରାଜ୍ୟ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏଥିନେଇ ଆଜି ଜିଆର୍‌ପି ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଉଭୟ ପକ୍ଷଙ୍କୁ ନୋଟିସ୍‌ କରି ଡକାଯିବା ପରେ ସେମାନଙ୍କ ମତାମତ ନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଆର୍‌ପି ଥାନା ଅଧିକାରୀ କହିଛନ୍ତି। ସମାଜସେବୀ ଶ୍ରୀମତୀ ତ୍ରିପାଠୀ କହିଛନ୍ତି, ଗତ ୬ମାସ ପୂର୍ବେ ସେ ବ୍ୟକ୍ତିଗତ ଭାବେ କାହ୍ନୁଚରଣଙ୍କ ସହ ଆଲୋଚନା କରିଥିଲେ। ଏହି ବିବାଦ ପଛରେ ତାଙ୍କ ବନ୍ଧୁ ଦୀନବନ୍ଧୁ ପଣ୍ଡା ହିଁ ଦାୟୀ ବୋଲି କହିଛନ୍ତି। ମାଇଁ-ଭଣଜା ସଂପର୍କକୁ ନେଇ ଡିଏନ୍‌ଏ ପରୀକ୍ଷା ପାଇଁ କହିଥିଲେ। ସ୍ବପ୍ନା ଡିଏନ୍‌ଏ ପରୀକ୍ଷା ପାଇଁ ରାଜି ଅଛନ୍ତି ଯଦି, ତାଙ୍କ ସ୍ବାମୀଙ୍କ ସନ୍ଦେହ ରହିଛି ତେବେ ସେ ଡିଏନ୍‌ଏ ପରୀକ୍ଷା କରାନ୍ତୁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe