୨୫ରୁ ଘରୋଇ ବିମାନ ଉଡ଼ାଣ

Advertisment
୨୫ରୁ ଘରୋଇ ବିମାନ ଉଡ଼ାଣ

Image Source: Hindustan Times

ଭୁବନେଶ୍ବର: ଜୁନ୍‌ ୧ରୁ ରେଳ ଚଳାଚଳ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରଣାଳୟ ଘୋଷଣା କରିବାର ଦିନକ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ୍‌ କରି ଜଣାଇଛନ୍ତି ଯେ ଆସନ୍ତା ୨୫ତାରିଖରୁ ଦେଶରେ ପର୍ଯ୍ୟାୟକ୍ରମେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ସମସ୍ତ ବିମାନ ଉଡ଼ାଣକାରୀ ସଂସ୍ଥାଗୁଡିକୁ ପ୍ରସ୍ତୁତି ଆରମ୍ଭ କରିବାକୁ କୁହାଯାଇଛି। ତେବେ ଅନ୍ତର୍ଜାତୀୟ ବିମାନ ସେବା କେବେ ଆରମ୍ଭ ହେବ ସେନେଇ କିଛି ନିଷ୍ପତ୍ତି ନିଆଯାଇ ନାହିଁ।

ଦୁଇ ସପ୍ତାହ ତଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶର ସମସ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସେ ସମୟରେ ବିମାନ ବନ୍ଦରଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ଏହାସହ ଟର୍ମିନାଲରେ ଯେପରି ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ ସେନେଇ ଚେକ୍‌ ଇନ୍‌ କାଉଣ୍ଟରରୁ ବୋର୍ଡିଂ ପାସ୍‌ କାଉଣ୍ଟର ପର୍ଯ୍ୟନ୍ତ ସବୁଠି ବୃତ୍ତାକାର ଚିହ୍ନ କରିବାକୁ କହିଥିଲା। ଲବିରେ ପ୍ରତୀକ୍ଷା କରୁଥିବା ଯାତ୍ରୀଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ରହିବ ସେଥି ପାଇଁ ସିଟ୍‌ ବ୍ୟବସ୍ଥା କରିବା, ରେସ୍ତୋରାଁରେ ପାର୍ସଲ ସୁବିଧା ଉପଲବ୍ଧ କରିବା ନେଇ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିମାନବନ୍ଦର କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ‌ଏବେ ମନ୍ତ୍ରଣାଳୟ ଯେଉଁଭଳି ଏସ୍‌ଓପି ‌ଜାରି କରିବ ସେହି ଅନୁଯାୟୀ ବିମାନ ସେବା ଆରମ୍ଭ ହେବ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ କହିଛନ୍ତି। ବିମାନ ସେବା ଆରମ୍ଭ ହେବାର ୫ଦିନ ପୂର୍ବରୁ ଟିକେଟ୍‌ ବୁକିଂ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି। ଅପରପକ୍ଷେ ବିମାନ କମ୍ପାନିଗୁଡ଼ିକ ଏବେ ଜୁନ୍‌ ୧ରୁ ବୁକିଂ ରଖୁଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏସ୍‌ଓପି ଜାରି କରିବାକୁ କହିଥିବାରୁ ବିମାନ କମ୍ପାନିଗୁଡ଼ିକ ମେ ୨୫ରୁ ୩୧ତାରିଖ ପର୍ଯ୍ୟନ୍ତ ବୁକିଂ ଆରମ୍ଭ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe