ଫୋନ୍‌ରେ ଅଭିଯୋଗ କଲେ ଘରେ ପହଞ୍ଚିଯିବ ପୁଲିସ୍, ଘରୋଇ ହିଂସା ଅଭିଯୋଗ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ

Advertisment
ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ଘଟଣା, ଅଭିଯୁକ୍ତଙ୍କୁ ଜେରା କରି ଛାଡ଼ିଲା ପୁଲିସ

Image Source: The Times of India

କଟକ: ଲକ୍‌ଡାଉନ୍‌ ସମୟରେ ପରିବାରର ସମସ୍ତ ସଦସ୍ୟ ଘରେ ରହୁଛନ୍ତି। ଏଥିପାଇଁ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଉଥିବା ଘଟଣା ସାମ୍ନା‌କୁ ଆସିଛି। ତେଣୁ ଲକ୍‌ଡାଉନ୍‌ ସମୟରେ ଯେ କୌଣସି ଅଭିଯୋଗକାରୀ ଫୋନ୍‌ ମାଧ୍ୟମରେ ପୁଲିସ ନିକଟରେ ଅଭିଯୋଗ କଲେ ବି ତାହାକୁ ମାମଲା ଭାବେ ଗ୍ରହଣ କରାଯିବ। ଅଭିଯୋଗକାରୀଙ୍କୁ ଥାନାକୁ ଆସିବାର କୌଣସି ପ୍ରକାର ଆବଶ୍ୟକତା ପଡ଼ିବ ନାହିଁ। ପୁଲିସ ସେମାନଙ୍କ ଘରେ ନିଜ ଆଡ଼ୁ ପହଞ୍ଚି ଏତଲା ସଂଗ୍ରହ ସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଡିଜି ଅଭୟ ଆଜି ଜିଲ୍ଲା ଏସପି/ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଲକ୍‌ଡାଉନ୍‌ ସମୟରେ ଘରୋଇ ହିଂସା ବୃଦ୍ଧି ପାଉଥିବାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଲିସ ଡିଜିଙ୍କୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ଡିଜି ଅଭୟ ଜିଲ୍ଲା ପୁଲିସ ପାଇଁ ସ୍ବତନ୍ତ୍ର ଭାବେ ୬ଟି ନିର୍ଦ୍ଦେଶାବଳୀ ଆଜି ଜାରି କରିଛନ୍ତି। ରାଜ୍ୟରେ ଘରୋଇ ହିଂସା ମାମଲାକୁ ସର୍ବୋଚ୍ଚ ଗୁରୁତ୍ବ ଦିଆଯିବାକୁ ଏଥିରେ କୁହାଯାଇଛି। ଏଥିପ୍ରତି ପୁଲିସ ଅଧିକାରୀମାନେ ସ୍ବତନ୍ତ୍ର ଧ୍ୟାନ ଦେବେ। ରାଜ୍ୟର ବିଭିନ୍ନ ଥାନା ଓ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ୬୦୦ରୁ ଅଧିକ ହେଲ୍ପ ଲାଇନ ଓ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଟେଲିଫୋନ ନମ୍ବରଗୁଡ଼ିକର ପୁଣିଥରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ। ଏହାଦ୍ବାରା ଘରୋଇ ହିଂସାର ଶିକାର ହେଉଥିବା ବ୍ୟକ୍ତି ଏହାର ବ୍ୟବହାର କରିପାରିବେ। ଏହି ଲକ୍‌ଡାଉନ୍‌ ସମୟରେ ହିଂସାର ଶିକାର ହେଉଥିବା ବ୍ୟକ୍ତି ଅଭିଯୋଗ ଦାଖଲ ପାଇଁ ଥାନାକୁ ଯିବାର ଆବଶ୍ୟକତା ନାହିଁ। ଏ ସମ୍ପର୍କରେ ଅଭିଯୋଗକାରୀ ଥାନା କିମ୍ବା ଜିଲ୍ଲା ପୁଲିସ ପକ୍ଷରୁ ଜାରି ହୋଇଥିବା ସ୍ବତନ୍ତ୍ର ଫୋନ ନମ୍ବରରେ ଅଭିଯୋଗ ଦାଖଲ କରିପାରିବେ। ପୁଲିସ ସେମାନଙ୍କ ଘରେ ପହଞ୍ଚି ଏତଲା ସଂଗ୍ରହ ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ। ଏହାସହିତ ସେମାନେ ମଧ୍ୟ ଓଡ଼ିଶା ପୁଲିସର ସିଟିଜେନ ପୋର୍ଟାଲ ଏବଂ ସହାୟତା ମୋବାଇଲ ଆପରେ ପୁଲିସ ନିକଟରେ ଅଭିଯୋଗ କରିପାରିବେ। ଏହି ମାମଲାଗୁଡ଼ିକ ଏସଆଇ କିମ୍ବା ଉପର ପାହ୍ୟାର ଅଧିକାରୀ ତଦନ୍ତ କରିବେ। ଲକଡାଉନ ସମୟରେ ଘରୋଇ ହିଂସା ସମ୍ପର୍କୀୟ ସମସ୍ତ ମାମଲା ଜଣେ ଡିଏସପି କିମ୍ବା ଉପର ପାହ୍ୟାର ଅଧିକାରୀ ତଦନ୍ତ କରିବେ। ପ୍ରତ୍ୟେକ ଜିଲ୍ଲାରେ ପୂର୍ବରୁ କାର୍ଯ୍ୟ କରିଆସୁଥିବା ଆଇୟୁସିଏଡବ୍ଲୁ(ଇନଭେଷ୍ଟିଗେସନ ୟୁନିଟ ଫର୍ କ୍ରାଇମ ଏଗେନଷ୍ଟେ ଓମେନ) ଏହି ମାମଲା ଗୁଡ଼ିକର ତଦାରଖ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe