TV9 Bharatvarsh
ଭୁବନେଶ୍ବର : କୋଭିଡ୍କୁ ନେଇ ପୁଣି ଥରେ ଆତଙ୍କ ଆରମ୍ଭ ହୋଇଥିଲା ବେଳେ ସରକାର ଆଶ୍ବାସନା ଦେଇଛନ୍ତି। କୋଭିଡ୍କୁ ନେଇ ଅଯଥା ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପରାମର୍ଶ ଦେଇଛନ୍ତି। ତେବେ ଲୋକମାନେ ଯଥାସମ୍ଭବ କୋଭିଡ୍ ନିୟମ ପାଳନ କରିବାକୁ ସେ ନିବେଦନ କରିଛନ୍ତି। ଆଜି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ୍ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ରାଜ୍ୟରେ କୋଭିଡ୍ ଟେଷ୍ଟିଂ ହାର ସର୍ବଭାରତୀୟ ସ୍ତରଠାରୁ ଅଧିକ ଥିବା ବେଳେ ଏହା ଆଗକୁ ଆହୁରି ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ବୈଠକ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିଯେ ରାଜ୍ୟରେ ଜେନମ୍ ସିକ୍ୟୁଏନ୍ସିଂ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଭୁବନେଶ୍ବରର ଜୀବ ବିଜ୍ଞାନ କେନ୍ଦ୍ର ଓ ଆର୍ଏମ୍ଆର୍ସିରେ ଏହି ସୁବିଧା ଥିଲା ବେଳେ ଖୁବ୍ ଶୀଘ୍ର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ସୁବିଧା ମିଳିବ। ପରିସ୍ଥିତିର ଅବନତି ଘଟିଲେ ବିମାନବନ୍ଦରଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଓଡ଼ିଶାକୁ କୌଣସି ଆନ୍ତର୍ଜାତିକ ଉଡ଼ାଣର ସୁବିଧା ନଥିବା ବେଳେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଦିଲ୍ଲୀଠାରେ ବିମାନବନ୍ଦରରେ ସ୍କ୍ରିନିଂ କରାଯାଉଛି। କୋଭିଡ୍ ପାଇଁ ପ୍ରଥମ ପର୍ଯ୍ୟାୟରେ ଏସ୍ସିବି ମେଡିକାଲ ଓ ହସ୍ପିଟାଲ୍, ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ଭିମ୍ସାର୍ଠାରେ ୧୫ଟି ଲେଖାଏ ଅକ୍ସିଜେନ୍ ସୁବିଧା ଥିବା ଶଯ୍ୟା ଓ ୫ଟି ଆଇସିୟୁ ଶଯ୍ୟା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ସବୁ ଜିଲ୍ଲାରେ ୧୦ଟି ଲେଖାଏ ଅକ୍ସିଜେନ୍ ସୁବିଧା ଥିବା ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ ରଖାଯିବ। ଏହା ସହିତ ସବୁ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଫିଭର୍ କ୍ଲିନିକ୍ ଖୋଲାଯିବ। କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ସମସ୍ତେ ସ୍ବତଃପ୍ରବୃତ ଭାବେ ମାସ୍କ ବ୍ୟବହାର କରିବା ଓ ହାତ ଧୋଇବା, ଲକ୍ଷଣ ଥଲେ ସଙ୍ଗରୋଧ ରହିବା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଭଳି କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯିବ।
ଆଗାମୀ ହକି ବିଶ୍ବକପ୍କୁ ଆଖି ଆଗରେ ରଖି କଟକ, ଭୁବନେଶ୍ବର, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ାରେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଏହିସବୁ ସ୍ଥାନରେ କୋଭିଡ୍ ପରୀକ୍ଷଣର ବ୍ୟବସ୍ଥା କରାଯିବା ସହ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କ୍ଷମତାସମ୍ପନ୍ନ ଡାକ୍ତରୀ ଦଳ ନିରନ୍ତର ଭାବେ ସ୍ବାସ୍ଥ୍ୟ ସେବା ଦିଗରେ ଦୃଷ୍ଟି ରଖିବେ। ଆଜି ହୋଇଥିବା ବୈଠକରେ ସ୍ବାସ୍ଥ୍ୟ ବିଭାଗର ସଚିବ ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ପୋମା ଟୁଡ଼ୁ, ଆଇଏଲ୍ଏସ୍ ଓ ଆର୍ଏମ୍ଆର୍ସିର ପ୍ରତିନିଧି, ଏସ୍ସିବି ଓ ଭିମ୍ସାର୍ ପ୍ରଫେସର, କିମ୍ସ୍ର ପ୍ରୋ ଚ୍ୟାନ୍ସେଲର୍ ସିବିକେ ମହାନ୍ତି, ଏମ୍ସ୍ ଓ ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥାର ପ୍ରତିନିଧି ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Follow Us