ମଣ୍ଡିକୁ ଆସୁନି ଏଫ୍‌ଏକ୍ୟୁ ଧାନ: ଖୋଲିଛି ୧୧୮ ମଣ୍ଡି, ଲକ୍ଷେ କ୍ବିଣ୍ଟାଲ ଟପିନି

ବ୍ୟବସ୍ଥିତ ହୋଇପାରୁନି ଧାନମଣ୍ଡି। ୧୬୭ ସେବା ସମବାୟ ସମିତିରୁ ଖୋଲିଛି ମାତ୍ର ୧୧୮ଟି। ଅର୍ଥାତ ଏବେ ବି ୪୯ଟି ମଣ୍ଡି ଆରମ୍ଭ ହୋଇନି। ଜିଲ୍ଲାରେ ୮ ତାରିଖରୁ ଧାନକିଣା ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଲକ୍ଷେ କ୍ବିଣ୍ଟାଲ ଟପିନି।

ffhfshfshf

ନୟାଗଡ଼: ବ୍ୟବସ୍ଥିତ ହୋଇପାରୁନି ଧାନମଣ୍ଡି। ୧୬୭ ସେବା ସମବାୟ ସମିତିରୁ ଖୋଲିଛି ମାତ୍ର ୧୧୮ଟି। ଅର୍ଥାତ ଏବେ ବି ୪୯ଟି ମଣ୍ଡି ଆରମ୍ଭ ହୋଇନି। ଜିଲ୍ଲାରେ ୮ ତାରିଖରୁ ଧାନକିଣା ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଲକ୍ଷେ କ୍ବିଣ୍ଟାଲ ଟପିନି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏବେ ବି ଚାଷୀମାନଙ୍କଠାରୁ ଏଫ୍‌ଏକ୍ୟୁ ମାନର ଧାନ ମିଳୁନାହିଁ। ମଣ୍ଡି ଖୋଲିବାକୁ ଆଉ କିଛି ଦିନ ପରେ ମାସେ ବିତିବ। ମାତ୍ର ଗୋଟିଏ ବି ମଣ୍ଡିକୁ ଏପର୍ଯ୍ୟନ୍ତ ଏଫ୍‌ଏକ୍ୟୁମାନର ଧାନ ନ ଆସିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଗତ ୭ ତାରିଖରେ ମଣ୍ଡି ଉଦ୍‌ଘାଟନ ସମୟରେ ଯେଉଁ ଧାନ ଆସିଥିଲା, ତାହା ଏଫ୍‌ଏକ୍ୟୁ ମାନର ନୁହେଁ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା। ଫଳରେ ଚାଷୀଙ୍କ ଧାନ ସଫା କରି ଏହାର ମାନ ବଢ଼ାଇବା ପାଇଁ ଦୁଇଟି ମେସିନ ଅଣାଯାଇଛି। ଏହାର ପରିଚାଳନା ଦାୟିତ୍ବ ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ଦିଆଯାଇଛି। ଏହି ମେସିନ ଦ୍ବାରା କ୍ବିଣ୍ଟାଲ ପିଛା ୫୦ ଟଙ୍କା ଦେଇ ଚାଷୀମାନେ ସେମାନଙ୍କ ଧାନ ସଫା କରିପାରିବେ। ଏହାସହ ଆଉ ଦୁଇଟି ମେସିନ ଧାନର ମାନ ପରୀକ୍ଷା ପାଇଁ ଅଣାଯାଇଛି। ଜିଲ୍ଲାର ସମସ୍ତ ମଣ୍ଡିରେ ଏହି ଦୁଇଟି ମେସିନ ପହଞ୍ଚିବାରେ ସମସ୍ୟା ହେଉଥିବା ଅଭିଯୋଗ ‌ହୋଇଛି। ଚାଷୀମାନଙ୍କୁ ଦିଆଯାଇଥିବା ଟୋକନର ଅବଧି ୩୦ ଦିନ ରହିଛି। ଏଣୁ ମଣ୍ଡିକୁ ଆସି ଏତେ ସମସ୍ୟାରେ ପଡ଼ିବା ଅପେକ୍ଷା ଚାଷୀମାନେ ମଣ୍ଡିକୁ ଧାନ ନ ଆଣି ବେପାରିଙ୍କୁ ଯୋଗାଯୋଗ କରି ବିକ୍ରି କରିବା ଆରମ୍ଭ କଲେଣି। ଜିଲ୍ଲାରେ ଥିବା ୧୫୩ଟି ସେବା ସମବାୟ ସମିତିର ୧୬୭ଟି ଧାନ ସଂଗ୍ରହ କେନ୍ଦ୍ରରେ ପଞ୍ଜୀକୃତ ଚାଷୀମାନଙ୍କଠାରୁ ଧାନ କିଣିବାକୁ ସ୍ଥିର କରାଯାଇଛି।

ଚଳିତ ବର୍ଷ ଜିଲ୍ଲାରେ ୫୩ ହଜାର ୮୩୯ ଚାଷୀ ଧାନ କିଣିବା ପାଇଁ ନାମ ପଞ୍ଜୀକୃତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୨ ଲକ୍ଷ ୯୦ ହଜାର ୨୯୪ କ୍ବିଣ୍ଟାଲ ଧାନ ଓ ୮ କ୍ବିଣ୍ଟାଲ ଚାଉଳ ସଂଗ୍ରହ କରିବାକୁ ଟାର୍ଗେଟ୍ ମିଳିଛି। ଏହି ଧାନ କିଣିବା ପାଇଁ ୧୫ ଜଣ ମିଲରଙ୍କ ସହ ଚୁକ୍ତି କରାଯାଇଛି। ଅସାଧୁ ବେପାରୀମାନଙ୍କ କଥା‌ରେ ଭଳି ନ ଯାଇ ଚାଷୀମାନେ ଏଫ୍‌ଏକ୍ୟୁମାନର ଧାନ ସମବାୟ ସମିତି ଜରିଆରେ ବିକ୍ରି କରି ସରକାରଙ୍କ ଧାର୍ଯ୍ୟ ବର୍ଦ୍ଧିତ ମୂଲ୍ୟ ନେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ମାତ୍ର ପ୍ରଶାସନର ଏହି ଭରସାକୁ ଚାଷୀମାନେ ଆଦୌ ଗ୍ରହଣ କରିପାରୁନାହାନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ମହାନ୍ତି କୁହନ୍ତି, ଲଗାଣ ବର୍ଷାରେ ଜିଲ୍ଲାରେ ୨୧ ହଜାର ୪୩୪.୧୫୨ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। କେବଳ ନୟାଗଡ଼ରେ ନୁହେଁ ସାରା ରାଜ୍ୟରେ ଲଗାଣ ବର୍ଷାରେ ହୋଇଥିବା କ୍ଷତି ଯୋଗୁ ଧାନର ମାନ ସାଂଘାତିକ ଭ‌ାବେ ପ୍ରଭାବିତ ହୋଇଛି। ଏଣୁ ଚାଷୀମାନେ ଧାନରୁ ଅଳିଆ ସଫା କରି ଏହାକୁ ଭଲ ଭାବେ ଶୁଖାଇ ମଣ୍ଡିକୁ ଆଣିବା ଆବଶ୍ୟକ। ନିଶ୍ଚିତ ଭାବେ ସମସ୍ତ ଚାଷୀଙ୍କୁ ସୁବିଧା ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe