ଲକ୍‌ଡାଉନ୍ ପୂର୍ବରୁ ଏସ୍‌ଆରସିଙ୍କ ପରାମର୍ଶ: ଦୋକାନ ଆଗରେ ଭିଡ ନକରନ୍ତୁ ଗ୍ରାହକ

Advertisment
ଲକ୍‌ଡାଉନ୍ ପୂର୍ବରୁ ଏସ୍‌ଆରସିଙ୍କ ପରାମର୍ଶ: ଦୋକାନ ଆଗରେ ଭିଡ ନକରନ୍ତୁ ଗ୍ରାହକ

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ଚଳିତ ମାସ ୫ ତାରିଖ ଠାରୁ ସମଗ୍ର ଓଡ଼ିଶା ଲକ୍‌ଡାଉନ୍ ରହିବ । ରାଜ୍ୟର ଜନସାଧାରଣଙ୍କୁ ଆସନ୍ତା ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍ କଟକଣା ମଧ୍ୟରେ ଦିନ କାଟିବାକୁ ପଡ଼ିବ । ଲକ୍‌ଡାଉନ୍ ବ୍ୟତୀତ ମେ’ ମାସ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସପ୍ତାହାନ୍ତ ସଟ୍‌ଡାଉନ୍ ରହିବ ।

ଲକ୍‌ଡାଉନ୍ ସମୟରେ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଜରୁରୀ ଜିନିଷ ପାଇଁ ଦୋକାନ ଖୋଲା ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦୋକାନଗୁଡ଼ିକ ଖୋଲା ରହିବ । ତେଣୁ ଦୋକାନ ଆଗରେ ଗ୍ରାହକମାନେ ଅଯଥାରେ ଭିଡ଼ ନ କଲେ ଭଲ ବୋଲି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି ।

ବୁଧବାର ତାଲାବନ୍ଦ ଥିବାରୁ କାଳେ ଜିନିଷପତ୍ର ନମିଳିବ ସେହି ଆଶଙ୍କାରେ ଆଜି ସକାଳ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜାର ହାଟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ପରିବା ଦୋକାନ ଠାରୁ, ଗ୍ରୋସରୀ ଦୋକାନ ସବୁଠି ଲୋକ ଲାଇନ ଲଗାଇ ସଉଦା ବୋହି ନେଇଥିଲେ । ୧୫ ଦିନ ପାଇଁ ସାମଗ୍ରୀ କିଣିବାକୁ ଲୋକେ ପ୍ରସ୍ତୁତ ହୋଇ ଆସିଥିଲେ । କରୋନା କାଳରେ ଏହି ଭିଡ ଏକ ବିପଦର ଆଶଙ୍କାକୁ ଇସାରା କରୁଥିଲା । ତେବେ ଏବି ଭିଡ ଓ ଗହଳିର ଚିତ୍ର ସାରା ରାଜ୍ୟରୁ ଆସିବା ପରେ ରାଜ୍ୟବାସୀଙ୍କୁ ଏସଆରସି ଗହଳି ନକରିବାକୁ ଅନୁରୋଧ କରିଛନ୍ତି ।

ଏସଆରସି କହିଛନ୍ତି ବୁଧବାର ଲକଡାଉନ ପାଇଁ ଆଜିଠୁ ପ୍ରବଳ ଗହଳି ହେଉଛି । ଲୋକଙ୍କୁ ଅନୁରୋଧ ଦୋକାନ ଆଗରେ ଭିଡ କରନ୍ତୁନି । ସୋମବାର, ମଙ୍ଗଳବାର ଏହି ଦୁଇ ଦିନ ଦୋକାନ ଆଗରେ ଗହଳି କରନ୍ତୁନି । ଗହଳି କରିବା ଦ୍ୱାରା ସଂକ୍ରମଣର ଆଶଙ୍କା ରହିଛି । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଜିନିଷ ଅଛି । ଅଯଥା ଗହଳି ସ୍ଥାନକୁ ଯାଆନ୍ତୁନି, ବିପଦକୁ ଡାକନ୍ତୁନି । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଖୋଲା ରହିବ ।

ରବିବାର ପୂର୍ବାହ୍ନରେ ଲକ୍‌ଡାଉନ୍‌ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଥିଲେ। ଏହି ସମୟରେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। କୌଣସି ପ୍ରକାର ମାଲ୍‌ ପରିବହନ, କୃଷି, ଆନୁଷଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରୀ ସେବା ଯୋଗାଣକୁ ଏହି ଲକ୍‌ଡାଉନ୍‌ ପ୍ରଭାବିତ କରିବ ନାହିଁ। ଲକ୍‌ଡାଉନ୍ ସମୟରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଗାଇଡ୍‌ଲାଇନ୍ ଅନୁସାରେ ବ୍ୟାଙ୍କ, ଏଟିଏମ୍‌ଏ ବୀମା, ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା, ଋଣ ସମବାୟ ସମିତି ଆଦି ସେମାନଙ୍କ କାର୍ଯ୍ୟ ଚାଲୁ ରଖିପାରିବେ।

ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟର୍‌ନେଟ୍‌ ସେବା, ଡିଟିଏଚ୍‌ ସେବା, ଗ୍ୟାସ୍‌ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ। ରାସ୍ତାକଡ଼ ଖାଦ୍ୟ ଦୋକାନ, ଗୋଟିକିଆ ପରିବା, ଫଳ, ମାଛ, ମାଂସ ଆଦି ଦୋକାନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଗୋଟିଏ ଦୋକାନରୁ ଅନ୍ୟ ଦୋକାନର ଦୂରତା ଅତି କମ୍‌ରେ ୩୦ ଫୁଟ ହେବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ। ତେବେ ଶନିବାର ଓ ରବିବାର ଏସବୁ ଦୋକାନ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe