ରାଉରକେଲା: ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ। ଋତୁ ଅନୁସାରେ ଆଉ ପାଗ ବଦଳୁନି। ଖରାଦିନେ ବର୍ଷା ଏବଂ ବର୍ଷା ଦିନେ ଖରା ହେଉଛି। ତେଣୁ ସୁସ୍ଥ ଜୀବନ ପାଇଁ ବୃକ୍ଷ ହିଁ ଏକମାତ୍ର ସାହାରା ବୋଲି ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ କହିଛନ୍ତି। ମଙ୍ଗଳବାର ‘ସମ୍ବାଦ’ ପକ୍ଷରୁ ରଘୁନାଥପାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସେକ୍ଟର-୪ ବିଏମ୍ଏସ୍ କ୍ୟାମ୍ପସ୍ ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ତନ୍ତୀ କହିଲେ, ପରିବେଶକୁ ଠିକ୍ କରିବାକୁ ହେଲେ ଆମ ସମସ୍ତଙ୍କୁ ଅଧିକରୁ ଅଧିକ ଚାରାରୋପଣ କରିବାକୁ ପଡ଼ିବ। ଆଗାମୀ ପିଢ଼ି ଯେମିତି ସୁସ୍ଥ ଭାବରେ ଜୀବନଯାପନ କରିବେ, ସେ ଚିନ୍ତା ଏବେଠୁ କରିବାକୁ ପଡ଼ିବ। ଅମ୍ଳଜାନ ସିଲିଣ୍ଡର ଧରି ବୁଲିବା ସମୟ ଆମମାନଙ୍କ ପାଇଁ ନ ଆସୁ। ସମାଜ ସଚେତନ ହେଲେ ପରିବେଶ ସୁନ୍ଦର ହେବ। ସେଥିସକାଶେ ଆମ ସମସ୍ତଙ୍କୁ ସଂକଳ୍ପ ନେବାର ସମୟ ଆସିଛି ବୋଲି ସେ କହିଥିଲେ।
ମୁଖ୍ୟବକ୍ତା ସ୍ତମ୍ଭକାର ଇଂ. ନଳିନୀକାନ୍ତ ଧର କହିଥିଲେ, ୧୮୦୦ ମସିହାରେ ସାରା ବିଶ୍ବରେ ଜନସଂଖ୍ୟା ଥିଲା ପ୍ରାୟ ୧୦ ୦ କୋଟି। ଏବେ ବିଶ୍ବର ଜନସଂଖ୍ୟା ୮୦୦ କୋଟିରୁ ଅଧିକ। ଅର୍ଥାତ୍ ୮ ଗୁଣ ବଢ଼ିସାରିଛି। ଜଳବାୟୁ ପରିବର୍ତ୍ତନ ବିଶ୍ବର ସବୁଦେଶ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ପରିବେଶ ବଦଳିଲେ ଋତୁ ପରିବର୍ତ୍ତନ ହେବ। ଋତୁ ପରିବର୍ତ୍ତନ ହେଲେ ବର୍ଷା ନ ହୋଇ ମରୁଡ଼ି ହେବ। ମହାମାରୀ ସହ ଚାଷ ଭୁଶୁଡ଼ିଯିବ। ବେଶି ପ୍ରଭାବିତ ହେବେ ଗରିବ ଓ ମଧ୍ୟବିତ୍ତ ପରିବାର। ବେଳୁ ହୁଁ ଆମ ସମସ୍ତଙ୍କୁ ସମାଧାନର ବାଟ ବାହାର କରିବାକୁ ପଡ଼ିବ। ଜଙ୍ଗଲ ସୁରକ୍ଷା ସହ ଅଧିକରୁ ଅଧିକ ଚାରାରୋପଣ, ଜଳ ଓ ମାଟି ପ୍ରଦୂଷଣକୁ ରୋକିବା ସହ ଗାଁରୁ ସହର ପର୍ଯ୍ୟନ୍ତ ପରିବେଶ ସଚେତନତା କାର୍ଯ୍ୟକ୍ରମ ଜାରି ରହିବା ଦରକାର ବୋଲି ଶ୍ରୀ ଧର କହିଥିଲେ।
ପାନପୋଷ ରେଞ୍ଜର ଜ୍ଞାନେନ୍ଦ୍ର ଲିମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହାମାରୀ କରୋନା ସମୟରେ ଅମ୍ଳଜାନର ଆବଶ୍ୟକତା ଜୀବନ ପାଇଁ କେତେ ଜରୁରୀ ସେ ସଂପର୍କରେ ବର୍ଣ୍ଣନା କରିଥିଲେ। ମାଟି, ଜଳ ଓ ବାୟୁ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ମାଟିର ଅବକ୍ଷୟ ରୋକିବାକୁ ଅଧିରୁ ଅଧିକ ଚାରାରୋପଣ ଆବଶ୍ୟକ। ସୁସ୍ଥ ଜୀବନ ପାଇଁ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କୁ ଦିନକୁ ୫୪୦ରୁ ୫୭୫ ଲିଟର ଅମ୍ଳଜାନ ଦରକାର। ଗୋଟିଏ ବୃକ୍ଷ ଦିନକୁ ୨୩୪ ଲିଟର ଅମ୍ଳଜାନ ଦେଇଥାଏ। ତେଣୁ ଜଣେ ବ୍ୟକ୍ତିର ସୁସ୍ଥ ଜୀବନଯାପନ ପାଇଁ ଅତିକମ୍ ଦୁଇଟି ଗଛର ଆବଶ୍ୟକତା ରହିଛି। ପରିବେଶକୁ ସୁନ୍ଦର ରଖିବାକୁ ବନବିଭାଗ ସଦାସର୍ବଦା ପ୍ରୟାସ ଜାରି ରଖିଛି। ସମସ୍ତଙ୍କର ସହଯୋଗ ରହିଲେ ଆମେ ସୁନ୍ଦର ପୃଥିବୀର ପରିକଳ୍ପନା କରିପାରିବା ବୋଲି ସେ କହିଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ରାଉରକେଲା ଜିଲ୍ଲା ପ୍ରତିନିଧି ମଳୟ ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।
Follow Us