ପର୍ଯ୍ୟଟନର ବିକାଶ ଆଳରେ ମଦ ପ୍ରସାରଣ ନ ହେଉ: ମୋନା

ପର୍ଯ୍ୟଟନର ବିକାଶ ଆଳରେ ମଦ ପ୍ରସାରଣ ନ ହେଉ: ମୋନା

Twitter

ଭୁବନେଶ୍ୱର : ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ଆଳରେ ମଦ ପ୍ରସାରଣକୁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ବିରୋଧ କରିଛି। ଏନେଇ ଅଭିଯାନ ତରଫରୁ ପର୍ଯ୍ୟଟନ ଉନ୍ନୟନ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିନିଧିମଣ୍ଡଳୀ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଦାବି ଜଣାଇଛନ୍ତି।

ମୋନା ପକ୍ଷରୁ କୁହାଯାଇଛି ଯେ ସରକାର ରାଜ୍ୟର ପ୍ରାକୃତିକ ସମ୍ପଦ ଓ ସୁଦୀର୍ଘ ବେଳାଭୂମିକୁ ଉପଯୋଗ କରି ପର୍ଯ୍ୟଟନ ଶିଳ୍ପର ବିକାଶ ମାଧ୍ୟମରେ ଆର୍ଥିକ ଅଭିବୃଦ୍ଧି ଓ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପରିକଳ୍ପନା କରିଛନ୍ତି। ମାତ୍ର ଏହା ସହ ଯୋଡ଼ି ହୋଇଥିବା ସମସ୍ତ ଅଭିବୃଦ୍ଧିର ପରିପନ୍ଥୀ ମଦ ପ୍ରସାରଣ ଯୋଜନା ସରକାରଙ୍କର ସମସ୍ତ ପରିକଳ୍ପନାକୁ ପାଉଁଶ ଗଦାରେ ପରିଣତ କରି ରାଜ୍ୟକୁ ଅପରାଧୀଙ୍କ ଚରାଭୂଇଁରେ ପରିଣତ କରିବ। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟ ଓ ଦୁଃଖର ବିଷୟ ଯେ ପୁରୀ ଭଳି ବିଶ୍ୱପ୍ରସିଦ୍ଧ ସାଂସ୍କୃତିକ ଓ ଧାର୍ମିକ ପର୍ଯ୍ୟଟନସ୍ଥଳକୁ ମଧ୍ୟ ଏଥିରୁ ବାଦ୍‌ ଦିଆଯାଇନାହିଁ। ଏହା ରାଜ୍ୟ ସରକାରଙ୍କର ଓଡ଼ିଆ ବିରୋଧୀ ମନୋବୃତ୍ତିକୁ ପ୍ରତ୍ୟକ୍ଷ ଭାବେ ପ୍ରମାଣିତ କରୁଛି। ଏଣୁ ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ଆର୍ଥିକ ଅଭିବୃଦ୍ଧି ଓ କର୍ମନିଯୁକ୍ତିର ବ୍ୟାପକ ସୁଯୋଗ ପାଇଁ ରାଜ୍ୟର ବିସ୍ତୀର୍ଣ୍ଣ ବେଳାଭୂମି ଉପରେ ପର୍ଯ୍ୟଟନ ଶିଳ୍ପର ବ୍ୟାପକ ଯୋଜନା ହାତକୁ ନିଆଯାଉ। କିନ୍ତୁ ମଦ ପ୍ରସାରଣ ଯୋଜନାକୁ ସେଥିରୁ ବାଦ୍‌ ଦିଆଯାଉ ବୋଲି ଅଭିଯାନ ପକ୍ଷରୁ ଦାବି କରାଯାଇଛି ବୋଲି ମୋନାର ସଭାପତି ପଦ୍ମଚରଣ ନାୟକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। ଏହି ଆଲୋଚନା ଏବଂ ବିକ୍ଷୋଭରେ ମୋନାର ସମ୍ପାଦକ ରମାକାନ୍ତ ମଣ୍ଡଳ, ଖଗେଶ୍ୱର ବଳ, ଶୁଭେନ୍ଦୁ ରାଉତରାୟ, ପ୍ରିୟନାଥ ଆଚାର୍ଯ୍ୟ, ମଳୟ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ଜିତେନ୍ଦ୍ର ଦାଶ, ଚିତ୍ରୁପା ଓ ଇନ୍ଦୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe