ଅନ୍‌ଲାଇନ୍‌ରେ ପୁଣି ଅବଢ଼ା ବିକ୍ରି ବିଜ୍ଞାପନ; ହୋଟେଲ୍‌ ଖାଦ୍ୟ ଭଳି ମହାପ୍ରସାଦ ବିକ୍ରି କରନି: ମନ୍ତ୍ରୀ

ପୁଣି ଅନ୍‌ଲାଇନ୍‌ରେ ଅବଢ଼ା ବିକ୍ରିକୁ ନେଇ ତନାଘନା ଆରମ୍ଭ ହୋଇଛି। ବାରମ୍ବାର ଏ ସଂକ୍ରାନ୍ତରେ ଚେତାଇ ଦିଆଯାଉଥିଲେ ମଧ୍ୟ କେତେକ ସଂସ୍ଥା ଏହାକୁ ମାନୁ ନାହାନ୍ତି। ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ମଧ୍ୟ ନାହିଁ।

dgdggcvcvcv

ପୁରୀ: ପୁଣି ଅନ୍‌ଲାଇନ୍‌ରେ ଅବଢ଼ା ବିକ୍ରିକୁ ନେଇ ତନାଘନା ଆରମ୍ଭ ହୋଇଛି। ବାରମ୍ବାର ଏ ସଂକ୍ରାନ୍ତରେ ଚେତାଇ ଦିଆଯାଉଥିଲେ ମଧ୍ୟ କେତେକ ସଂସ୍ଥା ଏହାକୁ ମାନୁ ନାହାନ୍ତି। ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ମଧ୍ୟ ନାହିଁ। ଏ ପ୍ରସଙ୍ଗରେ ଆଜି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମହାପ୍ରସାଦର ପବିତ୍ରତା ଅକ୍ଷୁଣ୍ଣ ଉପରେ ଗୁରୁତ୍ବାରୋପ କରି ମନ୍ଦିର ପ୍ରଶାସନ ଓ ସରକାର ଅନ୍‌ଲାଇନ୍‌ ବିକ୍ରିରେ ସହମତ ନ ଥିବା କହିଛନ୍ତି। ମହାପ୍ରସାଦକୁ ଅନ୍‌ଲାଇନ୍‌ରେ ବିତରଣ କରିବା ଭଳି ଯୋଜନା ନାହିଁ। ହୋଟେଲ ଖାଦ୍ୟ ଭଳି ମହାପ୍ରସାଦକୁ ଅନ୍‌ଲାଇନ୍‌ରେ ବିକ୍ରି କରନ୍ତୁ ନାହିଁ ବୋଲି ସେ ନିବେଦନ କରିଛନ୍ତି।

ବ୍ରହ୍ମପୁରର ଇଜି ଏସେନ୍‌ସିଆଲ୍‌ ନାମକ ଏକ ଖାଦ୍ୟ ଯୋଗାଉ ଥିବା ‘ଆପ୍‌’ ମହାପ୍ରସାଦ ଦେବା ପାଇଁ ଅନ୍‌ଲାଇନ୍‌ରେ ଅର୍ଡର ନେଉଥିବା ଦୃଷ୍ଟିଗୋଚର ହୋଇଛି। ସୋସିଆଲ୍‌ ମିଡିଆରେ ଏ ନେଇ ବିଜ୍ଞାପନ ମଧ୍ୟ କରୁଛି। ଗ୍ରାହକଙ୍କୁ ମହାପ୍ରସାଦ ସହିତ ଆମିଷ ଖାଦ୍ୟ ଅର୍ଡର ଦେଉଛି। ମାଛ, ମାଂସ ଭଳି ଆମିଷ ଖାଦ୍ୟ ଯୋଗାଇ ଦେଉଥିବା ସଂସ୍ଥା ମହାପ୍ରସାଦ ବିକ୍ରି କରୁଥିବା ପ୍ରସଙ୍ଗକୁ ଅନେକ ଗ୍ରହଣ କରି ନପାରି ସୋସିଆଲ୍‌ ମିଡିଆରେ ଅସନ୍ତୋଷ ବ୍ୟକ୍ତ କରିବା ପରେ ଘଟଣା ପଦାକୁ ଆସିଛି। ୨୦୧୮ ମସିହାରେ ଏଭଳି ଏକ ସଂସ୍ଥା ଅବଢ଼ା ବିକ୍ରି କରୁଥିବା ଅଭିଯୋଗ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କଟକଣା ଲଗାଇଥିଲା। ଏଭଳି କାର୍ଯ୍ୟ କରୁଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ଅବଗତ କରାଯାଇଥିଲା। କିନ୍ତୁ ଏହା ଉପରେ ରୋକ୍‌ ଲଗାଯାଇ ପାରୁନାହିଁ। 

ଅନ୍ୟପଟେ କେତେକ ଅଣସେବାୟତ ଲୋକଙ୍କୁ ଅବଢ଼ା ଯୋଗାଇ ଦେବା ପାଇଁ ଠକୁଥିବା ଅଭିଯୋଗ ହୋଇଛି। ଉତ୍ତରଦ୍ବାରରେ ଅନେକ ଯୁବକ ଛିଡ଼ା ହୋଇ ରହୁଛନ୍ତି। କେତେକ ଭକ୍ତ ଶ୍ରୀମନ୍ଦିର ଭିତରକୁ ନ ଯାଇ ଅବଢ଼ା ଆଣିବାକୁ ଚାହୁଛନ୍ତି। ସେହି ଭକ୍ତମାନଙ୍କୁ ଯୁବକମାନେ ଟାର୍ଗେଟ୍‌ କରୁଛନ୍ତି। ସେମାନଙ୍କଠାରୁ ଅବଢ଼ା ଦରର ଦୁଇଗୁଣ ନେଇ ଠକୁଛନ୍ତି। କେତେକ ଟଙ୍କା ନେଇ ଦକ୍ଷିଣ ଦ୍ବାର ପଟେ ଉଭାନ୍‌ ହୋଇ ଯାଉଛନ୍ତି। ଏଭଳି ଶତାଧିକ ଅଭିଯୋଗ ଗଦା ହୋଇଛି। ଏଭଳି ନଜରକୁ ଆସିବା ପରେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ପି ପିନାକ ମିଶ୍ର କହିଛନ୍ତି। ସେମାନଙ୍କୁ ଜଗି ଚିହ୍ନଟ କରିବାକୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ହୋଇଛି। ତେବେ ଅବଢ଼ା ଦର ଧାର୍ଯ୍ୟ ହୋଇ ପାରୁନଥିବାରୁ ଭକ୍ତମାନେ ମଧ୍ୟ ଦର କେତେ ଅଛି ଜାଣି ପାରୁନାହାନ୍ତି। ଏଣୁ ଏମାନଙ୍କୁ ଠକିବା ସହଜ ହେଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe