କଟକ ମେୟରଙ୍କ ପାଇଁ କବାଟ ଉପହାର

କମିସନରଙ୍କୁ କବାଟ ଓ ୫ଶହ ଟଙ୍କା ଦେଲା କଂଗ୍ରେସ, ୨୦୧୭ରେ ଏସବୁ ଡ୍ରାମା, ଚର୍ଚ୍ଚାରେ ରହିବାର ନାଟ: ମେୟର

କଟକ ମେୟରଙ୍କ ପାଇଁ କବାଟ ଉପହାର

କଟକ : କଟକ ପୌର ନିଗମ କାର୍ଯ୍ୟାଳୟରେ ବୁଧବାର ଦିନ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ମେୟରଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଏକ କବାଟ ଓ ୫୦୦ ଟଙ୍କା ଉପହାର ଦେଇଛନ୍ତି। ସିଏମ୍‌ସି କାର୍ଯ୍ୟାଳୟରେ ଏଭଳି ରୋଚକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମେୟର ସୁବାସ ସିଂହ ଉପସ୍ଥିତ ନଥିଲେ।

ସୂଚନା ଅନୁସାରେ, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚୌଧୁରୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ କବାଟ, ଦୁଆରବନ୍ଧ ଇତ୍ୟାଦି ଧରି କମିସନର ନିଖିଲ ପବନ କଲ୍ୟାଣଙ୍କ ଅଫିସ୍ ଭିତରେ ପହଞ୍ଚିଥିଲେ। ତାଙ୍କୁ କବାଟ, ଦୁଆର ବନ୍ଧ ଇତ୍ୟାଦି ଧରାଇବା ସହିତ ଟେବୁଲ୍ ଉପରେ ୫ଶହ ଟଙ୍କା ବି ରଖିଥିଲେ। କହିଥିଲେ, ‘ମେୟର ସୁବାସ ସିଂହଙ୍କ ଅଫିସ୍‌ରେ ଥିବା ଶୌଚାଳୟ କବାଟ ଭାଙ୍ଗି ଯାଇଛି। ସିଏ କଟକର ମେୟର। ଆମ ସମସ୍ତଙ୍କ ମେୟର। ତେଣୁ, ତାଙ୍କ ସମ୍ମାନ ରକ୍ଷା ପାଇଁ ଏହି ନୂଆ କବାଟ ଲଗାଇ ଦିଆଯାଉ। ଆପଣ ନୂଆ ଲୋକ। ଆପଣଙ୍କୁ ଆମ‌େ କିଛି କହୁନାହୁଁ। କିନ୍ତୁ, ପୁରୁଣା କମିସନରଙ୍କ ସହିତ ହୁଏତ ମେୟରଙ୍କର ତାଳମେଳ ‌ଅଭାବରୁ ଶୌଚାଳୟରେ କବାଟ ଖଣ୍ଡେ ବି ଲାଗି ପାରୁନାହିଁ। ତେଣୁ ଆମେ ଟwଙ୍କା ଆଉ କବାଟ ଦେଉଛୁ। ତାହାକୁ ଲଗାଇବାର ବ୍ୟବସ୍ଥା କରିବେ।’ ଶ୍ରୀ ଚୌଧୁରୀଙ୍କ ସହିତ ଶିଶିର ରଥ, ମନୋଜ ବିଶ୍ୱାଳ, ବିପ୍ଳବ ଶିଳାଦିତ୍ୟ, ଆକ୍ୟୁବ ଖାଁ, ସଚ୍ଚିଦାନନ୍ଦ ରାଉତ, ସଦାଶିବ ବାରିକ, ସତୀଶ ଶେଖର ଓ ଶିବ ଅଗ୍ରୱାଲ ପ୍ରମୁଖ ସାମିଲ୍‌ ହୋଇଥିଲେ।

ଏଭଳି ଘଟଣା ସଂପର୍କରେ କଂଗ୍ରେସ ନେତା ଶ୍ରୀ ଚୌଧୁରୀ କହିଛନ୍ତି, ଗତକାଲି କାଉନସିଲ ବୈଠକରେ ମେୟର ସୁବାସ ସିଂହ ଯେଭଳି ଯାହା କହିଥିଲେ ସେଥିରୁ ତାଙ୍କର ଅସହାୟତା ବାରି ହୋଇପଡ଼ୁଛି। ତାଙ୍କ ପାଇଁ ନୂଆ କ୍ୱାର୍ଟର୍ସ ପ୍ରସ୍ତୁତ କରିବାକୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ସଂପର୍କରେ ବୈଠକରେ ଅଭିଯୋଗ ଉଠିଥିଲା। ତେବେ, ସେ ଏଭଳି ଘଟଣାକୁ ଅମୂଳକ ବୋଲି କହିବା ସହିତ ତାଙ୍କ କାର୍ଯ୍ୟାଳୟର ଶୌଚାଳୟ କବାଟ ଭାଙ୍ଗି ଥିଲେ ବି ସେ ଖଣ୍ଡିଏ କବାଟ ଲଗାଇ ପାରୁ ନାହାନ୍ତି ବୋଲି କହିଥିଲେ। କାଉନ୍‌ସିଲ୍‌ ବୈଠକରେ ମେୟର୍‌ ନିଜର ଅସହାୟତା ଦେଖାଇଥିଲେ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ଅନ୍ୟପକ୍ଷରେ, ଏହିଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ମେୟର୍‌ ଶ୍ରୀ ସିଂହ। ସେ କହିଛନ୍ତି, ଏହା ସଂପୂର୍ଣ୍ଣ ଭାବେ ଏକ ଡ୍ରାମା। ଏହା ଆଦୌ ରାଜନୈତିକ ଶାଳୀନତା ନୁହେଁ। କଟକର ବାସ୍ତବ ବିକାଶ ଦିଗରେ ସହଯୋଗ ନ ଦେଇ କେବଳ ଚର୍ଚ୍ଚାରେ ରହିବା ପାଇଁ ମିଛ ଅଭିଯୋଗ ନେଇ ଏଭଳି ନାଟକବାଜିକୁ କଟକ ଲୋକେ କେବେ ଗ୍ରହଣ କରିବେନାହିଁ ବୋଲି ମେୟର ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe