ବିଡ଼ି ଶ୍ରମିକ ପ୍ରସଙ୍ଗ ଉଠାଇଲେ ଧର୍ମେନ୍ଦ୍ର: ଜନସମାବେଶ, ମିଶ୍ରଣ ପର୍ବରେ ଯୋଗଦେଲେ

କହିଲେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର

ବିଡ଼ି ଶ୍ରମିକ ପ୍ରସଙ୍ଗ ଉଠାଇଲେ ଧର୍ମେନ୍ଦ୍ର: ଜନସମାବେଶ, ମିଶ୍ରଣ ପର୍ବରେ ଯୋଗଦେଲେ

ସମ୍ବଲପୁର: ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବା ସହିତ ନିର୍ବାଚନ ପ୍ରଚାର ଜୋର୍‌ଦାର୍‌ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଡ଼ି ଶ୍ରମିକ ପ୍ରସଙ୍ଗ ଉଠାଇଛନ୍ତି। ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିବାସହିତ ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ସବୁବର୍ଗଙ୍କ ସମସ୍ୟାର ସମାଧାନ ସହ ସମ୍ବଲପୁରର ବିକାଶ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି। ଶ୍ରୀ ପ୍ରଧାନ ରବିବାର ପୂର୍ବାହ୍ନରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବାସୁପାଲିଠାରେ ଜନସମାବେଶରେ ଯୋଗଦେଇଥିବା ବେଳେ ସନ୍ଧ୍ୟାରେ ସମ୍ବଲପୁର ପିଏଚ୍‌ଡି ପଡ଼ିଆରେ ବିଶାଳ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ଏହିଅବସରରେ ଶ୍ରୀ ପ୍ରଧାନ ବାସୁପାଲିରେ କହିଥିଲେ ଯେ, ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ଯୁଯୁମୁରା ହେଉଛି ବିଡ଼ି ତିଆରି କରୁଥିବା କାରିଗରଙ୍କ ଅଞ୍ଚଳ। କିନ୍ତୁ, ଏଠାରେ ସ୍ୱଚ୍ଛ ପିଇବା ପାଣି ମୁନ୍ଦିଏ ମିଳୁନାହିଁ। ଅଧିକାଂଶ ଗରିବ ପରିବାର ଆବାସ ଯୋଜନାରେ ସାମିଲ ହୋଇନାହାନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ସମସ୍ୟା ରହିଛି। ଏସବୁ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ମତାମତ ତଥା ବିଡ଼ି କାରଖାନା ମାଲିକଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ। ସାରା ଓଡ଼ିଶାରେ ଥିବା ବିଡ଼ି ଶ୍ରମିକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିକିତ୍ସା ସୁବିଧା, ପିଏଫ୍‌ ସୁବିଧା ମିଳିବ। ଏହା ହିଁ ମୋଦୀ ଗ୍ୟାରେଣ୍ଟି। ବିଡ଼ି ଶ୍ରମିକଙ୍କ ପାଇଁ ଜଙ୍ଗଲଜାତ ଦ୍ରବ୍ୟର ଏମ୍‌ଏସ୍‌ପି ବୃଦ୍ଧି କରିବା ଠାରୁ ଆରମ୍ଭ କରି ସେମାନଙ୍କ ପିଲାମାନଙ୍କର ପାଠପଢ଼ାର ଦାୟିତ୍ୱ ନେଇଛନ୍ତି। ସେମାନଙ୍କ ଇପିଏଫ୍ ସମସ୍ୟାର ସମାଧାନ ସହ ଚିକିତ୍ସା ସୁବିଧା ପ୍ରଦାନ କରିବା ପାଇଁ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି ବୋଲି କହିଥିଲେ।

ଏଥିସହିତ, କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦୀ ସରକାର ଏବେସୁଦ୍ଧା ଓଡ଼ିଶା ପ୍ରତି ୧୮ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି। ହେଲେ ଓଡ଼ିଶାରେ ପହଞ୍ଚିବା ବେଳେ ଏହା ବାଟମାରଣା ହୋଇଯାଉଛି। ଏହାକୁ ରୋକିବା ପାଇଁ ଡବଲ ଇଞ୍ଜିନ ସରକାର ଆଣିବାକୁ ପଡ଼ିବ ବୋଲି କହିଥିଲେ। ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ମିଶ୍ରଣପର୍ବରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଂଗାଲି ବିଧାୟକ ନାଉରୀ ନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଂଚାସୀନ ଥିଲେ। ଗିରିଜା ସାହୁ, ସରୋଜ ଘଡ଼େଇ, ଅଶ୍ବିନୀ ମାଝୀ ପ୍ରମୁଖ ଅତିଥି ଏବଂ ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ ସ୍ବାଗତ କରିଥିଲେ। ଏହିଅବସରରେ ବିଜେଡି ସକ୍ରିୟ କର୍ମୀ ତଥା ଯୁବନେତା ଆର୍ୟାନ ସିହ୍ନା ତାଙ୍କ ଶତାଧିକ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe