ନୂଆ ମୋଡ଼ ନେଲା ଡବଲ୍ ମର୍ଡର : ଅନୁପଙ୍କ ସହିତ କିଏ?

Advertisment
କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟା ଘଟଣା : ଅନୁପଙ୍କ ରିମାଣ୍ଡ ଆବେଦନର ଶୁଣାଣି ଘୁଞ୍ଚିଲା

ଡେମୋରେ ସାମ୍ନାକୁ ଆସିଲା ଇନୋଭା ଗାଡ଼ି
ବଲେରୋ ପରେ ମୃତକଙ୍କ ଉପରେ ଚଢ଼ିଥିଲା
କାହାର ଏ ଗାଡ଼ି, କିଏ ବସିଥିଲେ ଏଥିରେ?
ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବ ପୁଲିସ

ଭୁବନେଶ୍ବର : ବହୁ ଚର୍ଚ୍ଚିତ କଳ୍ପନା ଓ ବବ୍‌ଲି ଡବ୍‌ଲ ମର୍ଡର ଘଟଣା ଧୀରେ ଧୀରେ ଚାଞ୍ଚଲ୍ୟକର ମୋଡ଼ ନେଲାଣି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ପ୍ରମାଣ ଲିଭାଇବା ଲାଗି ସେଦିନ କଳ୍ପନା ଓ ବବ୍‌ଲିଙ୍କ ଉପରେ ସେମାନଙ୍କର ବଲେରୋ ବାରମ୍ବାର ଚଢାଇଥିଲେ ବୋଲି ପୂର୍ବରୁ ଛତିଶଗଡ଼ ପୁଲିସ କହିସାରିଛି। ହେଲେ ଆଜି ଛତିଶଗଡ ପୁଲିସ ବର୍ଦ୍ଧନଙ୍କୁ ଧରି ଘଟଣାସ୍ଥଳରେ ଯେଉଁ ଡେମୋ ପ୍ରଦର୍ଶନ କଲେ, ସେଥିରେ ବଲେରୋ ପରେ ପରେ ଏକ ଇନୋଭା ଗାଡିର ବ୍ୟବହାର ହୋଇଥିଲା। ଏହି ଗୋଟିଏ ଘଟଣା ଉପରେ ପୁଲିସ ଅସମ୍ଭବ ନିରବତା ଅବଲମ୍ବନ କରୁଥିବା ବେଳେ ସାଧାରଣରେ ପୁଳା ପୁଳା ପ୍ରଶ୍ନ ଆନ୍ଦୋଳିତ କଲାଣି।

ହଠାତ୍ ଡେମୋ ବେଳେ ପୁଲିସ ଇନୋଭା କାହିଁକି ବ୍ୟବହାର କଲା? ବର୍ଦ୍ଧନ ଟପ୍ପୋ ଆଉ କିଛି ଚାଞ୍ଚଲ୍ୟକର ସୂଚନା ଦେଇଛି କି? କାହାର ଏ ଇନୋଭା ଗାଡି? କିଏ ସେଥିରେ ବସିଥିଲେ? ବଲେରୋ ପରେ ଇନୋଭା ଗାଡି କଣ େସଦିନ ମୃତକଙ୍କ ଉପରେ ମଡ଼ାଯାଇଥିଲା?

ଏଥିସହିତ ଘଟଣାଟି ନୂଆ ଦିଗକୁ ଟାଣି ହୋଇଯାଇଛି। ଛତିଶଗଡ ପୁଲିସ ଏ ସଂପର୍କରେ କିଛି କହୁନାହିଁ। ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି କହି ସବୁ ପ୍ରଶ୍ନକୁ ଗିଳି ଦେଇଥିବା ପରିପ୍ରେକ୍ଷୀରେ ମାମଲାଟି ଅଧିକ ରହସ୍ୟାବୃତ୍ତ ହେବାରେ ଲାଗିଲାଣି। ଏହି ମାମଲାରେ ଯେ ଆହୁରି କିଛି ବ୍ୟକ୍ତିଙ୍କ ସଂପର୍କ ରହିଛି, ଏ ଆଶଙ୍କା ଏବେ ବଢିବାରେ ଲାଗିଛି।

ପୂର୍ବରୁ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ ପୁଲିସ। ତାଙ୍କ ଜାମିନ ଆବେଦନ ଖାରଜ ପରେ ଏବେ ଜେଲ ହାଜତରେ ଅଛନ୍ତି। ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଗିରଫ କରାଯାଇଥିଲା। ଆଜି କିନ୍ତୁ ସକାଳୁ ସକାଳୁ ଛତିଶଗଡ ପୁଲିସ ଅଧିକାରୀମାନେ ଅତ୍ୟନ୍ତ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଟପ୍ପୋକୁ ଧରି ଓଡ଼ିଶା ସୀମାନ୍ତ ସେହି ଅଞ୍ଚଳକୁ ଯାଇଥିଲେ, ଯେଉଁଠି ଉଭୟ କଳ୍ପନା ଓ ବବ୍‌ଲିର ମୃତଦେହ ପଡିଥିଲା।

ଚାରିଆଡେ ଥିଲା ଘଞ୍ଚ ଜଙ୍ଗଲ। ସେ ମଧ୍ୟ ଦେଇ ଯାଇଥିଲା ପିଚୁ ରାସ୍ତା। ଯାନବାହନ ଚଳାଚଳ ସେଭଳି ନାହିଁ। ଏହି ରାସ୍ତାକୁ ସଂଯୋଗ କରୁଥିଲା ଆଉ ଏକ କଚ୍ଚା ରାସ୍ତା। ଯେଉଁଠି ଓଡ଼ିଶା ସୀମା ଶେଷ ହୋଇଛି ଓ ଆରମ୍ଭ େହାଇଛି ଛତିଶଗଡ଼।

ଚକ୍ରଧରନଗର ଥାନା ହମିରପୁର ରାସ୍ତା ମା’ ଶାକମ୍ବରୀ ଫ୍ଲାଟ୍ ନିକଟରେ ପୁଲିସ ଗାଡି ରହିଥିଲା। ପୂର୍ବ ଯୋଜନା ଅନୁସାରେ, ସେହିଠାରେ ପଡିରହିଥିଲା, ଦୁଇଟି କୁଶ ପୁତ୍ତଳିକା। ଗୋଟିଏରେ ଲେଖା େହାଇଥିଲା କଳ୍ପନା ଦାସ। ଅନ୍ୟଟି ବବ୍‌ଲି ଶ୍ରୀବାସ୍ତବଙ୍କର। ପାଖାପାଖି ୫ ଫୁଟ ବ୍ୟବଧାନରେ ପଡିରହିଥିଲା ଉଭୟଙ୍କ ନାମରେ ଥିବା କୁଶ ପୁତ୍ତଳିକା।

ଏଥର ଟପ୍ପୋ ବୟାନ କରିଥିଲା, ସେଦିନ କିଭଳି ପ୍ରମାଣ ହଜାଇ ଦେବା ପାଇଁ ଉଦ୍ୟମ ହୋଇଥିଲା। ୪ବର୍ଷ ତଳର ଏହି ମାମଲା ସଂପର୍କରେ ବୟାନ କରି ପୁଲିସର ସନ୍ଦେହ ମୋଚନ କରିଥିଲା ଟପ୍ପୋ। ମୃତଦେହ ଉପରେ ପ୍ରଥମେ ଏକ ବଲେରୋ ଗାଡି ଚଢାଯାଇଥିଲା। ଏହା ପରେ ଚଢିଥିଲା ଏକ ଇନୋଭା ଗାଡି। ଟପ୍ପୋ ଯେମିତି କରୁଥିଲା, ସେମିତି ଡେମୋ କରି ଦେଖାଯାଉଥିଲା। ହେଲେ ଏଇଠି ପ୍ରଶ୍ନ ଉଠିଲା, ମୃତଦେହ ଉପରେ ଇନୋଭା ଗାଡି ଚଢିଲା କାହିଁକି?

ଛତିଶଗଡ ପୁଲିସ ପୂର୍ବରୁ କହିସାରିଛି ଯେ ପ୍ରମାଣ ହଜାଇବା ପାଇଁ ଅଭିଯୁକ୍ତମାନେ ମୃତକଙ୍କ ଉପରେ ବଲେରୋ ଚଢାଇଥିଲେ। ହଠାତ୍ ଇନୋଭା ଗାଡି ଉପାଖ୍ୟାନଟି ଆସିଲା କେଉଁଠୁ?

ଉଲ୍ଲେଖଯୋଗ୍ୟ ଯେ କୁଶପୁତ୍ତଳିକା ବୟାନ କରୁଥିଲା ଯେ କଳ୍ପନା ଦାସ ସେଦିନ ଶାଢୀ ପିନ୍ଧିଥିଲେ ଓ ବବ୍‌ଲି ଡ୍ରେସ। ଉଭୟଙ୍କୁ ଲୁହା ରଡ଼ରେ ପିଟି ପିଟି ହତ୍ୟା କରାଯିବା ପରେ କେବଳ ମୁହଁକୁ ନଷ୍ଟ କରିବା ପାଇଁ ଗାଡି ଚଢାଯାଇଥିଲା।

ସମ୍ଭବତଃ ଟପ୍ପୋର ବୟାନକୁ ଆଧାର କରି ପୁଲିସ ଇନୋଭା ଗାଡି ସଂପର୍କରେ ଜାଣିଛି ଓ ସେ ଦିଗରେ ତଦନ୍ତ ଆଗକୁ ଟାଣିଛି। ଛତିଶଗଡ ପୁଲିସ କହିଛି ଯେ ଉଭୟ ଅନୁପ ଓ ବର୍ଦ୍ଧନ ଟପ୍ପୋକୁ ରିମାଣ୍ଡରେ ଆଣିବ ଓ ସାମ୍ନା ସାମ୍ନି ବସାଇ ଜେରା କରିବ। ଫଳରେ ଏହି ଘଟଣାରେ ରହିଯାଇଥିବା ଆଉ କିଛି ରୋଚକ ତଥ୍ୟର ଅତି ସହଜରେ ଉନ୍ମୋଚନ ହୋଇପାରିବ। ଯେମିତିକି, ଅନୁପ ଡ୍ରାଇଭର ସମେତ ଅନ୍ୟମାନଙ୍କର ପାଟି ଚୁପ୍ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି? କେଉଁଭଳି ଭାବେ ସେମାନେ ପାଖାପାଖି ୪ ବର୍ଷ ମାମଲାକୁ ଫାଙ୍କି ଦେବାରେ ସକ୍ଷମ ହେଲେ? ଆଉ କେଉଁ କେଉଁ ବ୍ୟକ୍ତି ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଏହି ମାମଲାରେ ସହଯୋଗ କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାରଡ୍ କେଉଁଠି ଅଛି? କେବେଠାରୁ ହତ୍ୟା ଯୋଜନା ଆରମ୍ଭ ହେଲା, କେବେ କାର୍ଯ୍ୟାନ୍ବୟନ ହେଲା? ଏମିତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe