Advertisment

ଗଞ୍ଜାମରେ ଦଳ ଡେଇଁଛନ୍ତି ଡଜନେ ନେତା: କିଏ ଫାଇଦାରେ, କିଏ ନିରାଶ

Advertisment
ଗଞ୍ଜାମରେ ଦଳ ଡେଇଁଛନ୍ତି ଡଜନେ ନେତା: କିଏ ଫାଇଦାରେ, କିଏ ନିରାଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଡଜନେରୁ ଅଧିକ ପ୍ରମୁଖ ନେତା ଦଳ ଡେଇଁ ସାରିଲେଣି। ଏମାନଙ୍କ ମଧ୍ୟରୁ କିଏ ଫାଇଦାରେ ରହିଛନ୍ତି ତ କିଏ ଟିକେଟ ନପାଇ ନିରାଶ ହୋଇଛନ୍ତି। ଦେଖିବାକୁ ମିଳିଛି ଯେ ୫ଜଣ ନେତା ଡେଇଁ ଫାଇଦାରେ ରହିଛନ୍ତି। ସେମାନେ ହେଲେ; ପ୍ରଦୀପ ପାଣିଗ୍ରାହୀ, ଭୃଗୁ ବକ୍ସିପାତ୍ର, ସିଦ୍ଧାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ କେ. ଅନୀଲ କୁମାର। ଦଳ ଡେଇଁବା ପରେ ସେମାନଙ୍କୁ ତୁରନ୍ତ ଟିକେଟ ମିଳିଛି। କିନ୍ତୁ ଆହୁରି ଏମିତି କିଛି ନେତା ଅଛନ୍ତି, ଯେଉଁମାନେ ପ୍ରାର୍ଥୀ ତାଲିକାରେ ପ୍ରମୁଖ ଦାବିଦାର ହୋଇ ବି ଦଳ ଡେଇଁଲା ପରେ ଟିକେଟ ତାଲିକାରୁ ବାଦ୍‌ ପଡ଼ିଛନ୍ତି।
ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି।

ଏହାପରେ ବିଜେପି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ସେହିପରି ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ସକାଳେ ଦଳ ଛାଡ଼ି ବିଜେଡିରେ ଯୋଗଦେବା ପରେ ସନ୍ଧ୍ୟାରେ ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ତେବେ, ଏହି ପଦବି ପାଇଁ ଥିବା ଆଶାୟୀମାନେ ନିରାଶ ହୋଇ ଦଳ ଛାଡ଼ିଛନ୍ତି। ସେହି ତାଲିକାରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ରାଜ୍ୟ ସଂପାଦକ ଟି.ଗୋପୀ ବି ରହିଛନ୍ତି। ସେଭଳି ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବିଜେଡି ଛାଡ଼ିବା ପରେ ତାଙ୍କୁ ବିଜେପି ଗ୍ରହଣ କରି ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି। ଯାହାକୁ ନେଇ ଏହି ଆସନରୁ ପ୍ରମୁଖ ଆଶାୟୀ ଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ, ଇଂ.ଉତ୍ତମ ପାଣିଗ୍ରାହୀ, ଯୋଗୀ ଦେବଦତ୍ତ ମହାରାଜ ପ୍ରମୁଖ ଖୋଲା ବିଦ୍ରୋହ ଆରମ୍ଭ କରିଛନ୍ତି। ଅନ୍ୟପଟେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ବିଜେପି ତାଙ୍କୁ ଖଲ୍ଲିକୋଟ ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି। ଫଳରେ ଟିକେଟ ଆଶାୟୀ ଥିବା ବିଜେପି ନେତାମାନେ ନିରାଶ ହୋଇଛନ୍ତି। ସେହିପରି, ବିଜେଡି ଛାଡ଼ିଥିବା କେ.ଅନୀଲ କୁମାରଙ୍କୁ ବିଜେପି ଗୁରୁତ୍ବପୂର୍ଣ୍ଣ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ପୂର୍ବତନ ବିଧାୟକ କେ.ସୂରିଆ ରାଓ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ୍‌ ହେଲାପରେ ପାରଳାଖେମୁଣ୍ଡି ଆସନରୁ ପ୍ରମୁଖ ଟିକେଟ୍‌ ଦାବିଦାର ଭାବେ ଉଭା ହୋଇଥିଲେ। କିନ୍ତୁ ସେଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି, ଯୁବ ନେତୃତ୍ବ ଫର୍ମୁଲାରେ ରୂପେଶ ପାଣିଗ୍ରାହୀଙ୍କୁ ଦଳ ଟିକେଟ୍‌ ଦେଇଛି। ସେହିପରି ବିଜେପି ଛାଡ଼ିଥିବା ଦିଗପହଣ୍ଡିର ନେତା ଶ୍ରୀଧର ଦେବ କଂଗ୍ରେସରେ ଯୋଗଦାନ କରିଛନ୍ତି। ଏହା ସହିତ କଂଗ୍ରେସ ନେତା ତଥା ପିସିସି ମୁଖପାତ୍ର ପୀତବାସ ପଣ୍ଡା, ଆସିକା ପୂର୍ବତନ ବିଧାୟକ ତଥା ବିଜେପି ନେତା ଦେବରାଜ ମହାନ୍ତି ମଧ୍ୟ ଦଳ ଛାଡ଼ିଛନ୍ତି। ଏମାନଙ୍କୁ ବାଦ୍‌ ଦେଲେ ଆହୁରି ବହୁ ନେତା ଦଳ ଛାଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe