ଡାକ୍ତର ଅନୁପ ଶତପଥୀ ଆଉ ନାହାନ୍ତି

ଡାକ୍ତର ଅନୁପ ଶତପଥୀ ଆଉ ନାହାନ୍ତି

ସମ୍ବଲପୁର : ଶନିବାର ସକାଳ ୮ଟା୧୫ରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଦନ୍ତ ଚିକିତ୍ସକ ତଥା ବୁର୍ଲା ଭିମ୍‌ସାରର ବିଭାଗୀୟ ମୁଖ୍ୟ ପ୍ରଫେସର ଅନୁପ ଶତପଥୀ (୫୯ ବର୍ଷ)ଙ୍କ ପରଲୋକ ହୋଇଯାଇଛି। ବରଗଡ଼ ଜିଲ୍ଲା କାଦୋବାହାଲ ଗାଁରେ ଜନ୍ମିତ ଡାକ୍ତର ଶତପଥୀ ଗତ ୨୮ ଏପ୍ରିଲରେ ଅସୁସ୍ଥତା ଅନୁଭବ କରିଥିଲେ। ମେ’ ୧ ତାରିଖ ଦିନ ସେ କରୋନାରେ ଆକ୍ରାନ୍ତ ଜଣାପଡ଼ିଥିଲା। ୩ ତାରିଖ ଦିନ ଭିମ୍‌ସାର କୋଭିଡ୍ ହସ୍ପିଟାଲର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ୮ ତାରିଖ ଦିନ ଭୁବନେଶ୍ବରର ଆଦିତ୍ୟ ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତ‌େବେ, ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ‘ସମ୍‌ ଅଲ୍ଟିମେଟ୍‌’ ଡାକ୍ତରଖାନାକୁ ନିଆଯାଇଥିଲା। ଗତ ୧୫ ତାରିଖରୁ ସେ ଭେଣ୍ଟିଲେଟରରେ ଥିଲେ। ତାଙ୍କ ରକ୍ତରେ ଫଙ୍ଗସ୍ ସଂକ୍ରମଣ ହୋଇଥିଲା।

ସେ ୨୦୦୭ ମସିହାରୁ ଭିମ୍‌ସାର ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ସେ ବୁର୍ଲା ହାଇସ୍କୁଲ ଓ ଜିଏମ୍ କଲେଜରେ ଅଧ୍ୟୟନ ପରେ ହାଇ‌ଦ୍ରାବାଦର ଓସ୍‌ମାନିଆ ବିଶ୍ବବିଦ୍ୟାଳୟରୁ ବିଡିଏସ୍‌ ଡିଗ୍ରି ହାସଲ ସହିତ ସ୍ବର୍ଣ୍ଣପଦକ ଲାଭ କରିଥିଲେ। ମଣିପାଲ ବିଶ୍ବବିଦ୍ୟାଳୟରୁ ଏମ୍‌ଡିଏସ୍‌ ଡିଗ୍ରି ହାସଲ ପରେ ୧୯୮୬ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦନ୍ତ ଚିକିତ୍ସକ ଭାବେ ଯୋଗ ଦେଇଥିଲେ। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ମାସ କାମ କରିବା ପରେ ୧୯୮୮ ମସିହାରେ ବୁର୍ଲା ଭିଏସ୍‌ଏସ୍‌ ମେଡିକାଲ କଲେଜରେ ଅଧ୍ୟାପକ ଭାବେ ଯୋଗ‌ଦାନ କରିଥିଲେ। ସେ ୨୦୦୨-୦୩ ଏବଂ ୨୦୦୭-୦୮ ଦୁଇ ଥର ଭାରତୀୟ ଦନ୍ତ ଚିକିତ୍ସକ ସଂଘ, ଓଡ଼ିଶା ଶାଖାର ସଭାପତି ଏବଂ ୨୦୦୬ରୁ ୨୦୦୮ ପର୍ଯନ୍ତ ‘ଓମ୍‌ଟା’ର ରାଜ୍ୟ ସଭାପତି ଦାୟିତ୍ବ ତୁଳାଇଥିଲେ। ୨୦୧୩ରେ ‘ଓମ୍‌ଟା’ର ରାଜ୍ୟ ସଭାପତି ନିର୍ବାଚିତ ହୋଇଥିଲେ।

ପଶ୍ଚିମ ଓଡ଼ିଶାରେ ସର୍ବପ୍ରଥମେ ଆଧୁନିକ ପଦ୍ଧିତିରେ ଦନ୍ତ ଚିକିତ୍ସା ଆରମ୍ଭ କରିଥିବା ଡାକ୍ତର ଶତପଥୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୨ରେ ରାଷ୍ଟ୍ରୀୟ ଗୌରବ ସମ୍ମାନରେ ସମ୍ମାନିତ ହୋଇଥିଲେ। ପଶ୍ଚିମ ଓଡ଼ିଶାରେ ଅନେକ ଥର ଦନ୍ତର ଚିକିତ୍ସା ଶିବିର ଆୟୋଜନ କରିଥିଲେ। ସେ ତାଙ୍କ ପଛରେ ବାପା ହରିଶଙ୍କର ପୁରୋହିତ, ପତ୍ନୀ ସସ୍ମିତା, ବଡ଼ପୁଅ ଡାକ୍ତର ଅଂଶୁମାନ ଶତପଥୀ ଓ ସାନପୁଅ ଆୟୁଷ୍ମାନଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ବିୟୋଗରେ ଶନିବାର ଭିମ୍‌ସାରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସେହିପରି ଓଡ଼ିଶା ଦନ୍ତ ଚିକିତ୍ସକ ସଂଘ ଓ ରାଜ୍ୟ ମୁଖଶୈଲ୍ୟ ଚିକିତ୍ସକ ସଂଘ ପକ୍ଷରୁ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ଶୋକସଭାରେ ଡାକ୍ତର ଅନୁପଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରାଯିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜ୍ଞାପନ କରାଯାଇଛି।

ଭିମ୍‌ସାରର ଆସୋସିଏଟ୍‌ ପ୍ରଫେସର ଡାକ୍ତର ବେଣୁଧର ପାଣ୍ଡେ କହିଛନ୍ତ, ଗତ ଦୁଇବର୍ଷ ହେଲା ସେ ଭିମ୍‌ସାରରେ ଡେଣ୍ଟାଲ୍‌ କଲେଜ ସ୍ଥାପନର ସ୍ବପ୍ନ ଦେଖୁଥିଲେ। ତାହା ଅଧୁରା ହୋଇ ରହିଗଲା। ଆମ ସମସ୍ତଙ୍କ ଚେଷ୍ଟାରେ ଯଦି ଏଠାରେ ଡେଣ୍ଟାଲ କଲେଜ ହୋଇପାରିଲା, ତାହାହିଁ ସ୍ବର୍ଗତ ଆତ୍ମା ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe