ପରଲୋକରେ ଡାକ୍ତର ଆର୍ତ୍ତତ୍ରାଣ ପାଣିଗ୍ରାହୀ 

Advertisment
ପରଲୋକରେ ଡାକ୍ତର ଆର୍ତ୍ତତ୍ରାଣ ପାଣିଗ୍ରାହୀ 

ସମ୍ବଲପୁର : ସମ୍ବଲପୁରର ଲୋକପ୍ରିୟ ଚିକିତ୍ସକ, ଗରିବଙ୍କ ବନ୍ଧୁ ଡାକ୍ତର ଆର୍ତ୍ତତ୍ରାଣ ପାଣିଗ୍ରାହୀ ଆଉ ନାହାନ୍ତି। ମଙ୍ଗଳବାର ରାତି ୧ଟାବେଳେ ଭୁବନେଶ୍ବରର କିମ୍‌ସ ହସ୍‌ପିଟାଲ୍‌ରେ ତାଙ୍କ ପରଲୋକ ହୋଇଛି। ୭୪ ବର୍ଷୀୟ ଡା. ପାଣିଗ୍ରାହୀ ଅସୁସ୍ଥ ହୋଇ ଗତ ୩ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ପତ୍ନୀ ସୁଷମା, ଏକମାତ୍ର ପୁଅ ଡା. ଦେବାଶିଷ, ବୋହୂ ଡା. ପଲାସ ଦାଶ, ଝିଅ ଡା. ମାଧୁରୀ, ଜ୍ବାଇଁ ଡା. ସନ୍ତୋଷ ପଣ୍ଡା ଏବଂ ଆତ୍ମୀୟ ପରିଜନ ଉପସ୍ଥିତ। ଗୁରୁବାର ସକାଳେ ତାଙ୍କ ମୃତ ଦେହ ସମ୍ବଲପୁର ପହଞ୍ଚିବା ପରେ ଅନ୍ତିମ ଦର୍ଶନ ପାଇଁ କୁଞ୍ଜେଲପଡ଼ା ବାସଭବନରେ ଲୋକଙ୍କ ଧାଡ଼ି ଲାଗି ଥିଲା। ବହୁ ସଂଖ୍ୟାରେ ଲୋକ ସେଠାରେ ପହଞ୍ଚି ନିଜ ପ୍ରିୟ ଡାକ୍ତରଙ୍କ ଅନ୍ତିମ ଦର୍ଶନ କରିଥିଲେ। ସଂଧ୍ୟାରେ ରାଜଘାଟଠାରେ ଅନ୍ତିମ ସଂସ୍କାର କରା ଯାଇଥିଲା। ସେଠାରେ ମଧ୍ୟ ଆତ୍ମୀୟ ପରିଜନଙ୍କ ସମେତ ଶହଶହ ଲୋକ ପହଞ୍ଚି ଡା. ପାଣିଗ୍ରାହୀଙ୍କୁ ଅନ୍ତିମ ବିଦାୟ ଦେଇଥିଲେ। ଡା. ରାସେଶ୍ବରୀ ପାଣିଗ୍ରାହୀ, ଡା. ବିଶ୍ବନାଥ ମିଶ୍ର, ଡା. କବିରଦାସ ପୁରୋହିତ, ଡା. ରାମଚନ୍ଦ୍ର ଅଗ୍ରୱାଲ, ଡା. ମହେନ୍ଦ୍ର ନନ୍ଦ, ଡା. ଅରୁଣ ଡାଲ୍‌ମିଆ, ଡା. ଲକ୍ଷ୍ମୀ ନାରାୟଣ ରଥ, ଅରବିନ୍ଦ ମହାପାତ୍ର, ଡ. ଶ୍ୟାମ ସୁନ୍ଦର ଧର, ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଡା. ପାଣିଗ୍ରାହୀଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ବୁର୍ଲା ମେଡିକାଲ୍‌ କଲେଜ୍‌ରୁ ଡାକ୍ତରୀ ଶିକ୍ଷା ପରେ ସରକାରୀ ଚାକିରିରେ ଯୋଗ ନଦେଇ ଡା. ପାଣିଗ୍ରାହୀ ୧୯୭୨ ମସିହାରେ କ୍ଷେତରାଜପୁରଠାରେ ପ୍ରଥମେ ଏକ କ୍ଲିନିକ୍ ଖୋଲି ଲୋକଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଏହାପରେ ୧୯୭୪ ମସିହାରୁ ୨୦୨୦ ପର୍ଯ୍ୟନ୍ତ ବଡ଼ବଜାର ଛକରେ ନିଜ କ୍ଲିନିକ୍ ଖୋଲି ରୋଗୀଙ୍କୁ ଦେଖୁଥିଲେ। ଗତ ପ୍ରାୟ ଦେଢ଼ ବର୍ଷ ହେବ ସେ ଅସୁସ୍ଥତା କାରଣରୁ କ୍ଲିନିକ୍ ନଯାଇ କୁଞ୍ଜେଲପଡ଼ାସ୍ଥିତ ନିଜ ଘରେ ଚିକିତ୍ସା କରୁଥିଲେ। ଏପରିକି ଅସୁସ୍ଥତା କାରଣରୁ ତାଙ୍କର ଶରୀରରେ ପରିଶ୍ରାଥଳୀ ଲାଗିଥିବା ଅବସ୍ଥାରେ ବି ସେ ନିଜ ଚଉକିରେ ବସି ରହି ରୋଗୀଙ୍କୁ ଦେଖୁଥିଲେ ଓ ଚିକିତ୍ସା କରୁଥିଲେ।

ଗରିବ ଲୋକଙ୍କ ପାଇଁ ସେ ଈଶ୍ବର ସ୍ବରୂପ ଥିଲେ। ଖୁବ୍ କମ୍‌ ଫି’ରେ ସେ ଲୋକଙ୍କ ଚିକିତ୍ସା କରୁଥିଲେ। ଟଙ୍କା ନଥିଲେ ମଧ୍ୟ ସେ ମାଗଣାରେ ରୋଗୀଙ୍କୁ ଦେଖୁଥିଲେ ଓ ସମାନ ଗୁରୁତ୍ବ ଦେଇ ଚିକିତ୍ସା କରୁଥିଲେ। ବୟସ ଥିବା ପର୍ଯ୍ୟନ୍ତ କୌଣସି ଗୁରୁତର ‌ରୋଗୀକୁ ଦେଖିବା ପାଇଁ ଘରକୁ ଡାକିଲେ ମଧ୍ୟ ସେ ତୁରନ୍ତ ପହଞ୍ଚି ଯାଉଥିଲେ। ଡାକ୍ତର ପାଣିଗ୍ରାହୀଙ୍କ ବିୟୋଗରେ ସମ୍ବଲପୁର ସହରରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଂଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ଡ. ପ୍ରମୋଦ ରଥ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe