ସମାଜସେବୀ ଡାକ୍ତର ବିମଳ ରଥଙ୍କ ସ୍ମୃତିସଭା : ଖୋର୍ଦ୍ଧା ସାଇନ୍ସ ପାର୍କ ଡା. ବିମଳ ରଥଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ

Advertisment

ଡାକ୍ତର ବିମଳ ରଥଙ୍କୁ ମରଣୋତ୍ତର ‘ଖୋର୍ଦ୍ଧା ଗୌରବ –୨୦୨୦’ ସମ୍ମାନ

ଡାକ୍ତର ବିମଳ ରଥଙ୍କୁ ମରଣୋତ୍ତର ‘ଖୋର୍ଦ୍ଧା ଗୌରବ –୨୦୨୦’ ସମ୍ମାନ

ସମାଜସେବୀ ଡାକ୍ତର ବିମଳ ରଥଙ୍କ ସ୍ମୃତିସଭା : ଖୋର୍ଦ୍ଧା ସାଇନ୍ସ ପାର୍କ ଡା. ବିମଳ ରଥଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଏକ ସାଇନ୍ସ ପାର୍କ ନିର୍ମାଣ କରିବାକୁ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ଖୋର୍ଦ୍ଧାର ବିକାଶ ନେଇ ଡାକ୍ତର ବିମଳ ରଥଙ୍କ ଅନେକ ଅବଦାନ ରହିଛି। ଏଣୁ ନିର୍ମାଣ ହେବାକୁ ଥିବା ସାଇନ୍ସ ପାର୍କକୁ ଡାକ୍ତର ବିମଳ ରଥଙ୍କ ନାମରେ ନାମିତ କରିବା ପ୍ରସ୍ତାବକୁ ନିଶ୍ଚିତ ଭାବେ ବିଚାରକୁ ନିଆଯିବ ବୋଲି ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା କହିଛନ୍ତି। ଖୋର୍ଦ୍ଧାର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ସମାଜସେବୀ ଡା. ବିମଳକ ରଥଙ୍କ ଏକାଦଶାହ ଅବସରରେ ଆୟୋଜିତ ସ୍ମୃତିସଭାରେ ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ସୂଚନା ଦେଇଛନ୍ତି।

ସ୍ଥାନୀୟ ହାବେଳି ପଡ଼ିଆରେ ଖୋର୍ଦ୍ଧା ନାଗରିକ ମଞ୍ଚ ପକ୍ଷରୁ ଅନୁଷ୍ଠିତ ସ୍ମୃତିସଭାରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ମନ୍ତ୍ରୀ ଅଶୋକ ପଣ୍ତା ସଭାରେ ଯୋଗ ଦେଇ କହିଥିଲେ ଯେ ଖୋର୍ଦ୍ଧା ପାଇଁ ଡାକ୍ତର ବିମଳ ରଥଙ୍କ ଏକ ସ୍ବତନ୍ତ୍ର ଆବେଗ ରହିଥିଲା। ଏହାର ବିକାଶ ପାଇଁ ସେ ଅନବରତ ଚିନ୍ତା କରୁଥିଲେ। ଖଣ୍ତପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଡାକ୍ତର ରଥଙ୍କ ସ୍ମୃତିଚାରଣ କରି କହିଲେ ଯେ ଏଭଳି ଏକ ମହାନ୍ ବ୍ୟକ୍ତିତ୍ବଙ୍କ ସମ୍ପର୍କରେ ଆସିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି। ଡାକ୍ତର ରଥ ଏଭଳି ଏକ ‘ସତ୍‌ସଙ୍ଗ’ ଥିଲେ ଯାହାଙ୍କ ଗୁଣଗାନ ଖୁସିରେ କରିବା ଆବଶ୍ୟକ। ତାଙ୍କର ସେହି ମହାନ୍ ଗୁଣ ଦ୍ବାରା ଅନ୍ୟମାନେ ଅନୁପ୍ରାଣିତ ହେବେ। ଆଜି ତାଙ୍କର ଏକାଦଶାହରେ ଶୋକ ବ୍ୟକ୍ତ କରିବା ଅପେକ୍ଷା ଏହାକୁ ‘ବିମଳ ଉତ୍ସବ’ ଭାବେ ମନାଇବାକୁ ସେ ଉଚିତ ମନେ କରୁଛନ୍ତି ବୋଲି ମତ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟଶାଣୀ ପ୍ରମୁଖ ଡାକ୍ତର ରଥଙ୍କ ନିସ୍ବାର୍ଥପର ରୋଗୀ ସେବା ଓ ସମର୍ପିତ ସମାଜସେବା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଖୋର୍ଦ୍ଧା ନାଗରିକ ମଞ୍ଚ ପକ୍ଷରୁ ଡାକ୍ତର ରଥଙ୍କୁ ମରଣୋତ୍ତର ଖୋର୍ଦ୍ଧା ଗୌରବ–୨୦୨୦ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନକୁ ସ୍ବର୍ଗତ ରଥଙ୍କ ପତ୍ନୀ ଡ. କବିତାରାଣୀ ମିଶ୍ର ଗ୍ରହଣ କରିଥିଲେ। କାଇପଦର ଜଗନ୍ନାଥ କଲେଜ ପକ୍ଷରୁ ମଧ୍ୟ ଡାକ୍ତର ରଥଙ୍କ ଉଦ୍ଦେଶ୍ୟରେ ମାନପତ୍ର ପ୍ରଦାନ କରାଯାଇଥିଲା। ଏହା ସହ ସ୍ବର୍ଗତ ରଥଙ୍କ ସ୍ମୃତିରେ ‘ବିମଳ ସ୍ମୃତି’ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଡାକ୍ତର ରଥଙ୍କ ବଡ଼ଝିଅ ସ୍ମୃତି ରଥ, ବଡଜ୍ବାଇଁ ଅରୁଣ ମିଶ୍ର, ସାନଝିଅ ଅପରାଜିତା ରଥ, ସାନଜ୍ବାଇଁ ଅମୃତରଞ୍ଜନ ନନ୍ଦଙ୍କ ସମେତ ନାତିନାତୁଣୀ ଓ ପରିବାରର ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ନାଗରିକ ମଞ୍ଚର ସମ୍ପାଦକ ସଞ୍ଜୟ ପଟ୍ଟନାୟକ, ପ୍ରକାଶ ସାମନ୍ତରାୟ, ନରେନ୍ଦ୍ର ପୃଷ୍ଟି, ଶିଶିର ପରିଡ଼ାଙ୍କ ସମେତ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe