ଡକ୍ଟର ହୁସେନ ରବି ଗାନ୍ଧିଙ୍କ ପରଲୋକ

ଡକ୍ଟର ହୁସେନ ରବି ଗାନ୍ଧିଙ୍କ ପରଲୋକ

କଟକ/ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକ, ରାଜନେତା, ସାରସ୍ବତ ସଂଗଠକ, ଓଡ଼ିଆ ଯୁବ ଲେଖକ ସମ୍ମଳନୀ ତଥା ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ଡକ୍ଟର ହୁସେନ୍ ରବି ଗାନ୍ଧି ଆଉ ନାହାନ୍ତି। ଶନିବାର ଅପରାହ୍‌ଣରେ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ଲମ୍ବା ସମୟ ଧରି ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ପୁଣି ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମରଶରୀରକୁ ଆଜାମ୍‌ଖାନ ବଜାରସ୍ଥିତ ଅମିନ୍ ହାଉସ୍‌ରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ପରେ ସଂଧ୍ୟାରେ କଦମରସୁଲରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ତବସୁନ୍‌ ସୁଲତାନା, ଏକମାତ୍ର ପୁତ୍ର ରେହାନ୍ ଅମିନ୍‌ ଫାରେଖ୍‌ଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ହୁସେନ ରବି ୧୯୪୮ ଏପ୍ରିଲ ୨୩ ତାରିଖରେ ଯାଜପୁର ଜିଲ୍ଲା କୋରେଇ ଥାନା ହଳଦିଆଗଡ଼ାରେ ଜନ୍ମଗ୍ରହଣ କରିଥିଲେ। ସେ ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କରିବା ପରେ ଓଡ଼ିଆ ଭାଷା ସାହିତ୍ୟରେ ପିଏଚଡି କରିଥିଲେ। ସେ ଲାଲା ଲଜପତ ରଏ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ସେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଏବଂ ଲାଲା ଲଜପତ ରଏ ଆଇନ ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ରହିଥିଲେ। ସେ ବିଭିନ୍ନ ଛାତ୍ର ଆନ୍ଦୋଳନ ସହ ସଂପୃକ୍ତ ରହି ଆସିଥିବା ବେଳେ ଷ୍ଟୁଡେଣ୍ଟ୍ ଫେଡେରେସନର ସକ୍ରିୟ ସଦସ୍ୟ ଥିଲେ।

ଜଣେ ସାହିତ୍ୟିକ ତଥା କବି ଭାବେ ସୁପରିଚିତ ହୁସେନ ରବିଙ୍କର ମୁକ୍ତ ପୂର୍ବାଶା, ହ‌ୁସେନ ରବି ଗାନ୍ଧିଙ୍କ ଲୋକ ଗୀତ, ନିଅଣ୍ଟ ରାତିର ସ୍ବପ୍ନ, ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ, ବିଂଶରୁ ଏକବିଂଶ, ଶବ୍ଦବ୍ରହ୍ମ, ନିଜକୁ ଖୋଜୁଥିବା ବେଳେ, କର୍ଣ୍ଣ ଭଳି କବିତା ସଂକଳନ ଏବଂ ସଂପାଦିତ ଗଳ୍ପ ସଂକଳନ ଆଜିର ଗଳ୍ପ ଓ ଗଳ୍ପ ସମାରୋହ ବେଶ ଲୋକପ୍ରିୟ। ସାହିତ୍ୟ କ୍ଷେତ୍ରରେ ସାଧନା ପାଇଁ ସେ ଗଙ୍ଗାଧର ମେହେର କବିତା ସମ୍ମାନ, ଫକିର ମୋହନ ସାହିତ୍ୟ ସମ୍ମାନ, ଭାନୁଜୀ ରାଓ କବିତା ପୁରସ୍କାର ଏବଂ ରାଷ୍ଟ୍ରପତିଙ୍କ ଠାରୁ କାବ୍ୟିକ ସଂହତି ସମ୍ମାନ ଲାଭ କରିଥିଲେ। ସେ ବିଜେଡିର ସାଧାରଣ ସଂପାଦକ ରହିବା ସହିତ ଓଡ଼ିଶା ଉର୍ଦ୍ଦୁ ଏକାଡେମିର କାର୍ଯ୍ୟକାରୀ କମିଟି ସଦସ୍ୟ, ଉତ୍କଳ ସାହିତ୍ୟ ସମାଜର ଆଜୀବନ ସଦସ୍ୟ, ରାଜ୍ୟ ଚର୍ମ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।
ସେ ୨୦୦୫ରୁ ୨୦୦୮ ଯାଏ ଓଡ଼ିଶା ସାହିତ୍ୟ ଏକାଡେମିର ଉପସଭାପତି ଓ ୨୦୦୮ରୁ ୨୦୦୯ ଯାଏ ଏକାଡେମିର ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ। ଏଥିସହ ସେ ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦକ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଛନ୍ତି।

ମୃତ୍ୟୁ ଖବର ପ୍ରସାରିତ ହେବା ପରେ ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମେୟର ସୁବାସ ସିଂହ, ସାଂସଦ ମୁନା ଖାଁ, ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତରଂଜନ ବିଶ୍ବାଳ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଓଟିଡିସି ଅଧ୍ୟକ୍ଷ ବିଜୟ ନାୟକ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ହୃଷିକେଶ ମଲ୍ଲିକ, ପୂର୍ବତନ ଗୃହ ସଚିବ ଉମାଚରଣ ନାୟକ, ଡକ୍ଟର ଗୋବିନ୍ଦ ଭୂୟାଁ, ଡକ୍ଟର ବିଜୟାନନ୍ଦ ସିଂହ, ମହମ୍ମଦ ସକିଲ ପ୍ରମୁଖ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ହୁସେନ୍ ରବି ଗାନ୍ଧିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ବିୟୋଗ ରାଜ୍ୟ ପାଇଁ ବଡ଼ କ୍ଷତି ହୋଇଛି। ସ୍ୱର୍ଗତ ଗାନ୍ଧୀ ବିଜୁବାବୁଙ୍କ ସହ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିଲେ। ପରେ ସେ ବିଜେଡି ସହ ସ‍ଂପୃକ୍ତ ହୋଇ ଦଳକୁ ସଶକ୍ତ କରିଥିଲେ। ବି‌ଜୁ ବାବୁ ଏବଂ ବିଜେଡିର ମୂଲ୍ୟବୋଧ ପ୍ରଚାରପ୍ରସାରରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଜଣେ ପ୍ରତିଷ୍ଠିତ ଲେଖକ ଥିଲେ ଏବଂ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନ ବହୁତ ରହିଛି। ମୁଖ୍ୟମନ୍ତ୍ରୀ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

ଓଡ଼ିଶା ସାହିତ୍ୟ ଏକାଡେମି ମଧ୍ୟ ଗଭୀର ଭାବେ ମର୍ମାହତ। ଏପରି ଦୁଃଖଦ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ, ଉପସଭାପତି ସଂଗ୍ରାମ ଜେନା, ସଚିବ ପ୍ରବୋଧ କୁମାର ରାଉତ ଓ ଏକାଡେମି କର୍ମଚାରୀ ତାଙ୍କର ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହିତ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe