ସମ୍ବଲପୁର: ଇଂରାଜୀ ଓ ଓଡ଼ିଆ ଭାଷାସାହିତ୍ୟର ବିଶିଷ୍ଟ ଗବେଷକ, ଚିନ୍ତକ, ସାହିତ୍ୟ ସମାଲୋଚକ, କବି ତଥା ଶିକ୍ଷାବିତ୍ ଡକ୍ଟର ପଞ୍ଚାନନ ମିଶ୍ର ଆଉ ନାହାନ୍ତି। ଆଜି ସକାଳେ ତାଙ୍କର ହୃଦଘାତରେ ସମ୍ବଲପୁର ଦେହୁରିପାଲିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।
ଡକ୍ଟର ପଞ୍ଚାନନ ମିଶ୍ର ସମ୍ବଲପୁରର ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ କଲେଜରେ ଅଧ୍ୟାପନା କରିଥିଲେ। ସେ ସମ୍ବାଦ ସାହିତ୍ୟି ଘର, ସମ୍ବଲପୁର ଶାଖାର ପ୍ରଥମ ସଭାପତି ଥିଲେ। ତାଙ୍କର ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରତି ଯଥେଷ୍ଟ ଅବଦାନ ରହିଛି। ତାଙ୍କ ରଚିତ ଦୁଇଟି ଇଂରାଜୀ କବିତା ସଂକଳନ ‘ଦ ଉଇଣ୍ଡ ଏମଙ୍ଗ ଦ ପାଇନ୍ସ’ ଏବଂ ‘ଲଭସଙ୍ଗସ୍ ଅଫ୍ ନାଇଣ୍ଟିନ୍ କାଓହର୍ଡଗାର୍ଲସ’ ବେଶ୍ ଚର୍ଚ୍ଚା ସାଉଁଟିଥିଲା। ଏହାଛଡ଼ା ସେ ‘ହେ ମୋର ଅନୁଚ୍ଚାରିତ ଶବ୍ଦମାନେ’ ଓ ‘ସବ୍ୟସାଚୀର ଶୋକ’ ଶୀର୍ଷକରେ ଦୁଇଟି ଓଡ଼ିଆ କବିତା ସଂକଳନ ର ସ୍ରଷ୍ଟା ମଧ୍ୟ, ଯାହା ତାଙ୍କୁ ଖ୍ୟାତି ଆଣିଦେଇଥିଲା ।
ଇଂରାଜୀ ଅଧ୍ୟାପକ ଭାବେ ମଧ୍ୟ ତାଙ୍କର ଯଥେଷ୍ଟ ସୁନାମ ରହିଛି। ଆଜି ସନ୍ଧ୍ୟା ୭ଟାରେ ସମ୍ବଲପୁର ରାଜଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାଯାଇଛି।
ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ଡକ୍ଟର ପଞ୍ଚାନନ ମିଶ୍ରଙ୍କ ପରଲୋକ
Advertisment
Follow Us