ସମ୍ବଲପୁରର ସ୍ୱାଭିମାନ ଏବଂ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି: ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ

ସମ୍ବଲପୁରର ସ୍ୱାଭିମାନ ଏବଂ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି: ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ

ସମ୍ବଲପୁର: ବିଜେଡିରୁ ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ପଛର କାରଣ କହିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ। ସେ କହିଛନ୍ତି, ସମ୍ବଲପୁରର ସ୍ୱାଭିମାନ ଏବଂ ଅସ୍ମିତା ପାଇଁ ବିଜେଡି ଛାଡ଼ିଛି। ବିଧାୟିକା ଥିବା ବେଳେ ସମ୍ବଲପୁରରେ ବହୁତ କାମ କରିଛୁ । ଯାହା ୨୫ ବର୍ଷରେ ହୋଇନଥିଲା, ତାହା ମୋ ସମୟରେ ହୋଇଥିଲା। ୨୦୧୯ରୁ ୨୦୨୪ ବିଧାୟିକା ନଥିଲେ ମଧ୍ୟ ଦଳର ସଙ୍ଗଠନକୁ ଆହୁରି ସୁଦୃଢ କରୁଥିଲି। ଆଜି ଦଳ ଯେଉଁ ନିଷ୍ପତ୍ତି ନେଇଛି, ତାହା ସମ୍ବଲପୁରକୁ ଅବମାନନା ଭଳି। ଯେଉଁ ଲୋକଙ୍କୁ ଅଯୋଗ୍ୟ ଭାବି ମନ୍ତ୍ରୀପଦରୁ ବିଦା କଲେ ତାଙ୍କୁ ଏବେ ବିଜେଡି ସମ୍ବଲପୁର ଆସନରୁ ପ୍ରାର୍ଥୀ କରିଛନ୍ତି। ଏହା ସମ୍ବଲପୁର ଲୋକଙ୍କ ପ୍ରତି ଅବମାନନା । ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର । ବିଜେଡି ଯାହାକୁ ଅଯୋଗ୍ୟ ବୋଲି କହିଥିଲା ତାଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିଛି । ସମ୍ବଲପୁରରେ କଣ ନେତା ନାହାନ୍ତି ଯେ, ବାହାରୁ ନେତା ଆଣି ପ୍ରାର୍ଥୀ କରିବେ । ସମ୍ବଲପୁରର ଗାରିମା ନଷ୍ଟ ହେଉଛି । ସମାଜସେବା କରୁଥିଲି, କରୁଛି, କରୁଥିବି । ଆଗାମୀ ଦିନରେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ରହିବିନି। ସମ୍ବଲପୁରର ସ୍ୱାଭିମାନକୁ ଦୃଷ୍ଟିରେ ରଖି ସମ୍ବଲପୁରର ଜନତା ନିଷ୍ପତ୍ତି ନେବେ।

ଏହାସହ ଦଳ ଛାଡ଼ିବା ପ୍ରସଙ୍ଗରେ ସେ କହିଛନ୍ତି, ଦଳ ସହିତ ଏତେ ଦିନର ସମ୍ପର୍କ ଥିଲା। ଏବେ ଦଳ ଛାଡ଼ିବା ବେଳକୁ କଷ୍ଟ ଲାଗୁଛି । କିନ୍ତୁ ପାର୍ଟି ଅପେକ୍ଷା ମୋ ପାଇଁ ମାଟି ଆଗ । ସମ୍ବଲପୁରର ମାଟିକୁ ଅବମାନନା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିନି, ବ୍ୟକ୍ତିଗତ ଭାବେ ନିଷ୍ପତ୍ତି ନେଇଛି।

କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ରହିବିନି ବୋଲି ସ୍ପଷ୍ଟ ଭାବେ ମନା କରିଛନ୍ତି ସେ। ଏହାସହ କୌଣସି ଦଳକୁ ଯିବାର ନାହିଁ କି ପ୍ରାର୍ଥୀ ହେବାର ନାହିଁ ବୋଲି କହିଛନ୍ତି ରାସେଶ୍ୱରୀ । ଏପରିକି ଏହାକୁ ରାଜନୈତିକ ସନ୍ନ୍ୟାସ ବୋଲି କହିପାରନ୍ତି ବୋଲି ସ୍ପଷ୍ଟ କରିଛନ୍ତି ରାସେଶ୍ୱରୀ । ମୋ ସହ ଅନେକ ଦଳୀୟ କର୍ମୀ ମଧ୍ୟ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ମୋ ସହିତ ଥିବା କର୍ମୀ ଯାହା ବିବେକ ଅନୁଯାୟୀ ନିଷ୍ପତ୍ତି ନେବେ ସେଥିରେ କାହାକୁ କିଛି କହିବିନି। ବିଜେଡି ସମ୍ବଲପୁରକୁ ଯେଉଁ ଦୃଷ୍ଟିରେ ଦେଖିବା କଥା ତାହା କଲା ନାହିଁ। ଏହା ମୋତେ କଷ୍ଟ ଦେଲା ବୋଲି କହିଛନ୍ତି ରାସେଶ୍ୱରୀ ପାଣିଗ୍ରାହୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe