ଗବେଷକ ଡକ୍ଟର ସୁଧୀର ଚନ୍ଦ୍ର ମହାନ୍ତିଙ୍କ ପରଲୋକ

Advertisment
ଗବେଷକ ଡକ୍ଟର ସୁଧୀର ଚନ୍ଦ୍ର ମହାନ୍ତିଙ୍କ ପରଲୋକ

କଟକ : ଭଞ୍ଜ ସାହିତ୍ୟର ବିଶିଷ୍ଟ ଗବେଷକ ଅଧ୍ୟାପକ ଡକ୍ଟର ସୁଧୀର ଚନ୍ଦ୍ର ମହାନ୍ତି ଆଉ ନାହାନ୍ତି। ଶୁକ୍ରବାର ଦିନ ସାଢ଼େ ୨ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା। ମୃତୁ ଶଯ୍ୟା ନିକଟରେ ପତ୍ନୀ ରାଜଲକ୍ଷ୍ମୀ ମହାନ୍ତି, ପୁଅ ଡକ୍ଟର ସିଦ୍ଧାର୍ଥ ଶଙ୍କର ମହାନ୍ତି, ଶକ୍ତି ଶଙ୍କର ମହାନ୍ତି, ସତ୍ୟ ଶଙ୍କର ମହାନ୍ତିଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଡକ୍ଟର ମହାନ୍ତିଙ୍କ ପାର୍ଥିବ ଶରୀରକୁ କଟକ କାଫ୍‌ଲାବଜାର ମହାନ୍ତିପଡ଼ା ବାସଭବନକୁ ଅଣାଯାଇଥିଲା। ସେଠାରେ ବିଶିଷ୍ଟ ଗବେଷକ ଡକ୍ଟର ରଜତ କୁମାର କର, ପୂର୍ବତନ ବାଚସ୍ପତି ଶରତ କୁମାର କର, ଡକ୍ଟର ନିରଞ୍ଜନ ମହାନ୍ତି, ଶିବ ଶଙ୍କର ଆଚାର୍ଯ୍ୟ, ପୁରୁଷୋତ୍ତମ ପଟ୍ଟନାୟକ, ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ, ଡାକ୍ତର ଶୈଳେଶ୍ୱର ନନ୍ଦ, ଚନ୍ଦ୍ରଶେଖର ନନ୍ଦ, ପ୍ରଭାତ କୁମାର ନନ୍ଦ ପ୍ରମୁଖ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅଧ୍ୟାପକ ଡକ୍ଟର ସୁଧୀର ଚନ୍ଦ୍ର ମହାନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଲାଡି ଗ୍ରାମରେ ୧୯୪୪ମସିହା ମାର୍ଚ ୭ତାରିଖରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତ ପରେ ଢ଼େଙ୍କାନାଳ ସରକାରୀ କଲେଜରୁ ଅଧ୍ୟାପକ ଜୀବନ ଆରମ୍ଭ କରି ସମ୍ବଲପୁର, ବ୍ରହ୍ମପୁର ଆଦି କଲେଜରେ କାର୍ଯ୍ୟ କରି କଟକର ରେଭେନ୍‌ସା କଲେଜରୁ ଅବସର ଗ୍ରହଣ କରିଥିଲେ। ଜଣେ ଉଚ୍ଚକୋଟୀର ସାହିତ୍ୟ ସାଧକ ତଥା ଭଞ୍ଜ ସାହିତ୍ୟର ବିଶିଷ୍ଟ ଗବେଷଣ ଭାବେ ତାଙ୍କର ସୁଖ୍ୟାତି ଥିଲା। ତାଙ୍କ ରଚିତ ‘ଭଞ୍ଜ ଭୂମିକା’, ‘ଛାନ୍ଦ ଓ ଅଳଙ୍କାର’, ‘ଯୋଗାଯୋଗର ଭାଷା’, ‘ଭାଷଣ ଦେବାର ଶୈଳୀ’ ଆଦି ପୁସ୍ତକ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସଂପଦ। ଡକ୍ଟର ମହାନ୍ତି ‘ଆର୍ତ୍ତବଲ୍ଲଭ ସ୍ମୃତି ସମ୍ମାନ, ‘ଭାଷା ସାହିତ୍ୟ ସମ୍ମାନ’ ଆଦି ଅନେକ ସ୍ୱୀକୃତି ଓ ସମ୍ମାନ ପାଇଛନ୍ତି। ସ୍ଥାନୀୟ ସତୀଚଉରା ଶ୍ମଶାନରେ ଡକ୍ଟର ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ କଥାକାର ଡକ୍ଟର ଗୌରହରି ଦାସ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ଗଭୀର ଶୋକପ୍ରକାଶ କରିବା ସହିତ ଓଡ଼ିଆ ସାହିତ୍ୟ ଭଞ୍ଜ ସାହିତ୍ୟର ଜଣେ ପ୍ରତିଭାବାନ ଗବେଷକଙ୍କୁ ହରାଇଲା ବୋଲି ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe