ସଂରକ୍ଷିତ ଜଙ୍ଗଲକୁ ବିକିଦେବାକୁ ମସୁଧା: ନୟାଗଡ଼ ବନାଞ୍ଚଳ କର୍ତ୍ତୃପକ୍ଷ ଚଢ଼ଉ କରି ବନ୍ଦ କଲେ

୬ ଲକ୍ଷ ଟଙ୍କାରେ ବୁଝାମଣା ହୋଇଥିଲା

ସଂରକ୍ଷିତ ଜଙ୍ଗଲକୁ ବିକିଦେବାକୁ ମସୁଧା: ନୟାଗଡ଼ ବନାଞ୍ଚଳ କର୍ତ୍ତୃପକ୍ଷ ଚଢ଼ଉ କରି ବନ୍ଦ କଲେ

ନୟାଗଡ଼: ରୁକ୍ଷୀ, ବଳରାମ ଭଳି ଦୁଇ ସଂରକ୍ଷିତ ଜଙ୍ଗଲ ତଥା ପାହାଡ଼ ମଧ୍ୟରେ ନୟାଗଡ଼ ସହର ଗଢ଼ିଉଠିଥିବା ବେଳେ, କ୍ରମେ ଜଙ୍ଗଲ, ପାହାଡ଼ ହ୍ରାସ ପାଉଥିବା ଦେଖାଯାଉଛି। ବର୍ଷକୁ ବର୍ଷ ପାହାଡ଼, ଜଙ୍ଗଲ କାଟି ଘର ନିର୍ମାଣ ଚାଲିଥିବା ବେଳେ ବନ ବିଭାଗର କଡ଼ା ତନାଘନା ନାହିଁ। ଏଭଳି ସ୍ଥିତିରେ ଖୋଦ୍‌ ନୟାଗଡ଼ ସହର ଉପରେ ରୁକ୍ଷୀ ପାହାଡ଼ ପାଦଦେଶକୁ ଅକ୍ତିଆର କରିବାକୁ ଉଦ୍ୟମ ଚାଲିଥିବା, ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିବାରୁ ସବୁ ଯୋଜନା ପଣ୍ଡ ହୋଇଯାଇଥିବା ଖବର ମିଳିଛି। ପୁଣି ଖୋଦ୍‌ ନୟାଗଡ଼ ମୁନିସିପାଲିଟି ୱାର୍ଡ ନମ୍ବର ୧୦ ତ୍ରିନାଥ ଛକ ନିକଟସ୍ଥ ପାହାଡ଼ ପାଦଦେଶ‌‌ରେ ଏଭଳି ଘଟିଥିବା ଜଣାପଡ଼ିଛି। ‌ଜନୈକ ନେତା ଏଠାରେ ପ୍ରାୟ ୨୫ ପରିବାରକୁ ଥଇଥାନ କରିବାକୁ ମସୁଧା ଚଳାଇଥିବା, ଏନେଇ ଜଙ୍ଗଲ ସଫା କରାଯାଇଥିବା ବେ‌ଳେ କିଛି ଗଛକୁ ମଧ୍ୟ କାଟି ଦିଆଯାଇଛି। ଉକ୍ତ ପରିବାରଗୁଡ଼ିକ ସରକାରୀ ଜମିରେ ଥଇଥାନ କରି ୬ ଲକ୍ଷ ଟଙ୍କା ଆଦାୟ ହେବାକୁ ଯୋଜନା ଚାଲିଥିଲା, ହେଲେ କୌଣସି କ‌ାରଣରୁ ନେତା ଓ ନେତାଙ୍କ ମଧ୍ୟସ୍ଥି ସାଜିଥିବ‌ା ଜଣେ ବ୍ୟକ୍ତିଙ୍କ ମଧ୍ୟରେ ନ ପଟିବାରୁ ମଧ୍ୟସ୍ଥି ଜଣକ ବନବିଭାଗକୁ ଖବର ଦେଇ ସବୁ ଯୋଜନା ଭଣ୍ଡୁର କରିଦେଇଥିବା ଖବର ମିଳିଛି।

ନୟାଗଡ଼ ବନାଞ୍ଚଳ କର୍ତ୍ତୃପକ୍ଷ ଗତକାଲି ସଂପୃକ୍ତ ସ୍ଥାନରେ ଚଢ଼ଉ କରି ସଭିଙ୍କୁ ତାଗିଦ କରିଥିବା, ଏହା ସରକାରୀ ଜମି ହୋଇଥିବାରୁ କେହି ଦଖଲ କରିପାରିବେ ନାହିଁ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି। କିଛି ବର୍ଷ ଜବରଦଖଲରେ ରହିବା ପରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ପଟ୍ଟା ପ୍ରଦାନର ବ୍ୟବସ୍ଥା କରିବାକୁ ନେତା ଜଣକ ପ୍ରତିଶ୍ରୁତି କାଳେ ଦେଇଥିଲେ। ଦିନକୁ ଦିନ ନୟାଗଡ଼ ସହର ବଢ଼ୁଥିବା ବେଳେ ଏଠାକୁ ଗାଁଗହଳର ଲୋକ ଆସି ରହିବାକୁ ଯୋଜନା ଚଳାଇଛନ୍ତି। ହଠାତ୍‌ ସହରକୁ ଆସି ଜାଗା ପାଇଁ ଦାବି କରୁଥିବା ବେଳେ କିଛି ଦଲାଲ, ନେତା ସେମାନଙ୍କୁ ଶୋଷଣ କରିବାକୁ ମସୁଧା ଚଳାଇଛନ୍ତି। ଅନେକ କ୍ଷେତ୍ର‌‌ରେ ମଧ୍ୟ ଦଲାଲ୍‌ ସଫଳ ହେଉଛନ୍ତି, ଯାହା ନୟାଗଡ଼ର ସହରର ଚାରିପାଖରେ ଜଙ୍ଗଲ ନିକଟରେ ଗଢ଼ିଉଠିଥିବା ଘରକୁ ଲକ୍ଷ୍ୟ କଲେ ବୁଝାପଡ଼ୁଛି। ଫରେଷ୍ଟର ମନୋଜ ପ୍ରଭାକର ସାହୁ କହିଛନ୍ତି, କିଛି ମହିଳାଙ୍କୁ ଡାକି ରୁକ୍ଷୀ ପାହାଡ଼ ପାଦଦେଶରେ ଘର କରିବାକୁ ମସୁଧା ଚାଲିଥିଲା। ଖବର ପାଇ ଆମେ ସେଠାରେ ଚଢ଼ଉ କରି ଏହା ସରକାରୀ ଜାଗା ହୋଇଥିବାରୁ ସେମାନଙ୍କୁ ବାରଣ କରିଛୁ। ଯଦି ସେମାନଙ୍କର ବାସ୍ତବରେ ଜାଗା ଆବଶ୍ୟକ ଜିଲ୍ଲାପାଳଙ୍କୁ ଜଣାଇବାକୁ କୁହାଯାଇଛି। ନୟାଗଡ଼ ସହରରେ ପ୍ରବଳ ମାତ୍ରାରେ ଜମିମାଫିଆ ମାତିଥିବା ବେଳେ, ସହରରେ ଅନେକ ପ୍ରଥମେ ଜାଗା ଜବରଦଖଲ କରି ପଟ୍ଟା ହ‌ାତେଇବାର ଅଭିନବ କୌଶଳ ଆପଣାଉଛନ୍ତି। ଆଗକୁ ଏହି ଜାଗା ରହୁଛି ନା ସଲାସୁତରାରେ ଜବରଦଖଲ ହେଉଛି, ପରବର୍ତ୍ତୀ ଅବସ୍ଥାରେ ପଟ୍ଟା ପ୍ରଦାନ କରାଯାଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe