ଖୋଳିଦେଇ ଛାଡ଼ିଦେଲେ, ଘର ଆଗରେ ଡ୍ରେନ୍‌ ପଙ୍କ, କାଦୁଅ

ଖୋଳିଦେଇ ଛାଡ଼ିଦେଲେ, ଘର ଆଗରେ ଡ୍ରେନ୍‌ ପଙ୍କ, କାଦୁଅ

ଝାରସୁଗୁଡ଼ା : ସହରବାସୀଙ୍କୁ ଏକ ସୁସ୍ଥ ଓ ପରିଷ୍କାର ପରିବେଶ ଦେବା ପାଇଁ ଝାରସୁଗୁଡ଼ା ପୌରସଂସ୍ଥା ସଂପୂର୍ଣ୍ଣ ଅସଫଳ ହୋଇଛି। ପୌରସଂସ୍ଥା ଅଧିକାରୀ ଏବଂ କର୍ମଚାରୀ ସାଧାରଣ ଜନତାଙ୍କ ସ୍ବଚ୍ଛତା ପ୍ରତି ଆଦୌ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି। ଏତେବଡ଼ ଶିଳ୍ପ ସହର ହୋଇଥିବା ବେଳେ ଏହି ସହରର ସଫେଇ ଓ ସୌନ୍ଦର୍ଯ୍ୟକରଣ ଉପରେ କେହି ଧ୍ୟାନ ଦେଉ ନଥିବା ସାଧାରଣ ‌ଲୋକଙ୍କ ମନରେ କଷ୍ଟ ଦେଉଛି। ପୌରସଂସ୍ଥା କାଉନ୍‌ସିଲ୍‌ ଏବେ ନଥିବାରୁ ପ୍ରାଶାସନିକ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଥିବାରୁ ସହରର ପରିଷ୍କାର ପରିଚ୍ଛନ୍ନତା ଅତି ଉତ୍ତମ ଭାବରେ ହେବା କଥା ବୋଲି ଲୋକେ ଅଶା କରୁଥିବା ବେଳେ ସାରା ସହରର ପରିମଳ ବ୍ୟବସ୍ଥା ଏବେ ଭୁଶୁଡ଼ି ପଡ଼ିଛି।

publive-image

ସହରର ନାଳ ନର୍ଦ୍ଦମା ବର୍ଷବର୍ଷ ଧରି ସଫେଇ କରାଯାଉ ନାହିଁ। ବର୍ଷା ଋତୁ ଆସିବା ଯଥେଷ୍ଟ ପୂର୍ବରୁ ନାଳଗୁଡ଼ିକ ସଫା ନକରି ବର୍ଷା ଆସିବା ପରେ ତରବରିଆ ଭାବରେ ନାଳ ଖୋଳି ନର୍ଦ୍ଦମା ରାସ୍ତାରେ ଜମା କରି ଦିଆଯାଉଛି। ଏହି ନର୍ଦ୍ଦମା ଉପରେ ତୁହାକୁ ତୁହା ବର୍ଷା ପଡ଼ି ପରିବେଶ ଉତ୍କଟ ହୋଇ ପଡ଼ିଛି। ସହରର ବେହେରାମାଲ ରାସ୍ତାରେ ନାଳ ଖୋଳି ଦେଇ ନର୍ଦ୍ଦମା ଘର ଓ ଦୋକାନ ଆଗରେ ପକାଇ ଦେଇ ତାକୁ ଉଠା ଯାଇନାହିଁ। ଏହି ନର୍ଦ୍ଦମା ବର୍ଷାରେ ପୁଣି ନାଳକୁ ପଶୁଛି। ଘର ସମ୍ମୁଖରେ ଆବର୍ଜନା ଗଦା କରି ଦେଇ  କର୍ମଚାରୀ ମାନେ ପଳାଇ ଯାଇଥିବାରୁ ଲୋକ‌େ ଘର ଭିତରକୁ ଯାଇ ପାରୁ ନାହାନ୍ତି। ବେହେରାମାଲ ଗୌଡ଼ପଡ଼ାକୁ ଯାଇଥିବା ରାସ୍ତାର ସ୍ଲାବକୁ ନାଳ ଖୋଳିବା ଆଳରେ ଭାଙ୍ଗି ଦେଇ ରାସ୍ତା ବନ୍ଦ କରି ଦେଇଥିବାରୁ  ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲୋକେ ବାଧ୍ୟ ହୋଇ ନିଜ ଉଦ୍ୟମରେ ଏହି ନାଳ ଉପରେ ବାଉଁଶ ତାଟିଆ ପକାଇ ଯିବା ଆସିବା କରୁଛନ୍ତି।  କର୍ତ୍ତୃପକ୍ଷ ଏଭଳି ଖାମଖିଆଲି ମନୋଭାବ ପରିତ୍ୟାଗ କରି ଲୋକଙ୍କୁ ସୁସ୍ଥ ଜୀବନଯାପନରେ ସହଯୋଗ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe