କାମ ଦେଲାନି ଡ୍ରେନ୍‌ ମରାମତି ଓ ସଫେଇ, ରାଜଧାନୀ ରାସ୍ତାରେ ଲହଡ଼ି ମାରୁଛି ବର୍ଷା ପାଣି

Advertisment
କାମ ଦେଲାନି ଡ୍ରେନ୍‌ ମରାମତି ଓ ସଫେଇ, ରାଜଧାନୀ ରାସ୍ତାରେ ଲହଡ଼ି ମାରୁଛି ବର୍ଷା ପାଣି

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ୟାସ୍‌ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଗତ ୨/୩ ଦିନ ଧରି ‌ଡ୍ରେନ୍‌ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ବି ବହୁ ଡ୍ରେନ୍‌ ମରାମତି ଆରମ୍ଭ ହୋଇଥିଲା। କିନ୍ତୁ କିଛି ବି ସୁଫଳ ମିଳିଲା ନାହିଁ। ରସୁଲଗଡ଼ ଶିଳ୍ପାଞ୍ଚଳ, ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଓ ଚକେଇସିହାଣି ଅଞ୍ଚଳରେ ସବୁ ମୁଖ୍ୟ ରାସ୍ତା ଉପରେ ବର୍ଷା ପାଣି ଲହଡ଼ି ମାରୁଛି। ଗତ ଦୁଇ ଦିନର ସ୍ବଳ୍ପ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଠିଆ ହୋଇଛି। ତେଣୁ ୟେଲୋ-ଜୋନ୍‌ ଭାବେ ଘୋଷଣା ହୋଇଥିବା ରାଜଧାନୀରେ ଅଧିକ ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ଆଶଙ୍କା କରାଯାଉଛି।

ବିଏମ୍‌ସିର ୫ନମ୍ବର ୱାର୍ଡ଼ ଅର୍ନ୍ତଗତ ଚ‌କେଇସିହାଣି ଦୁର୍ଗାମଣ୍ଡପଠାରୁ ଭିଏସ୍‌ଏସ୍‌ ନଗର ପର୍ଯ୍ୟନ୍ତ ଶିଳ୍ପାଞ୍ଚଳ ମଧ୍ୟ‌ରେ ଲମ୍ବିଥିବା ରାସ୍ତାରେ ପାଣି ଜମି ରହିଛି। ଖାଲଖମାରେ ଭର୍ତ୍ତି ଏହି ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟାତରେ ବହୁ ସମସ୍ୟା ସୃଷ୍ଟି ହେଉଛି। ପୂର୍ବରୁ ଚକେଇସିହାଣି ଅଟୋଷ୍ଟାଣ୍ଡ ନିକଟରେ ପାଣି ଜମି ରହୁଥିବାରୁ ବାରମ୍ବାର ଅଭିଯୋଗ ହୋଇଥିଲା ଓ ମରାମତି କାମ ପରେ ରାସ୍ତାକୁ ଉଚ୍ଚା କରାଯାଇଥିଲା। ମାତ୍ର ଏବେ ଡ୍ରେନ୍‌ ଠିକ୍‌ ଭାବେ ସଫା ନ ହେବା କାରଣରୁ ଏବଂ କିଛି ଲୋକ ଡ୍ରେନ୍‌କୁ ଜବରଦଖଲ କରିଥିବାରୁ ପୂର୍ବ ଅବସ୍ଥା ବଳବତ୍ତର ରହିଛି। ପୂର୍ବରୁ ଯେମିତି ରାସ୍ତାରେ ପାଣି ଜମୁଥିଲା, ଏବେ ବି ସେମିତି ପାଣି ଜମି ରହିଛି। ତେଣୁ ସେଠାରେ ଦୋକାନ କରିଥିବା ବହୁ ଦୋକାନୀ ଏବେ ଚିନ୍ତା‌ରେ ପଡ଼ିଛନ୍ତି। ଅଧିକ ବର୍ଷା ହେଲେ ଦୋକାନ ବୁଡ଼ିବ ବୋଲି ସେମାନେ ଆଶଙ୍କାରେ ଅଛନ୍ତି।

ରସୁଲଗଡ଼ ଛକ ନିକଟ ଜାତୀୟ ରାଜପଥ ସେହିପରି ଜନଗହଳିପୂର୍ଣ୍ଣ ରସୁଲଗଡ଼ ଛକରେ ମଧ୍ୟ ଅନୁରୂପ ଅବସ୍ଥା। ରାଜପଥ ସର୍ଭିସ୍‌ ରୋଡ୍‌ରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଡ୍ରେନ୍‌ ମରାମତି ହୋଇ ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବଡ଼ ଗାଡ଼ିଟିଏ ଯାଉଥିବା ବେଳେ ବାଇକ୍‌ ଚାଳକମାନେ ଛିଟିକା ପାଣିରେ ଭିଜୁଛନ୍ତି। ଓଭରବ୍ରିଜ୍‌ ତଳେ ଖାଲରେ ପାଣି ଜମି ରହିଥିବାରୁ ବହୁ ବାଇକ୍‌ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି। ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା ରସୁଲଗଡ଼ ଶିଳ୍ପାଞ୍ଚଳକୁ ଲମ୍ବିଥିବା ରାସ୍ତାରେ ମଧ୍ୟ ଫୁଟେ ଉଚ୍ଚର ବର୍ଷା ପାଣି ଜମି ରହିଛି। ଏଠାରେ ଜାନୁଆରି ମାସରୁ ରାସ୍ତା ଏବଂ ଡ୍ରେନ୍‌ କାମ ଚାଲୁଛି। ବହୁ କାମ ସରିଯାଇଥିଲେ ମଧ୍ୟ ବହୁ ସ୍ଥାନରେ ପୂର୍ବବତ୍‌ ପାଣି ଜମି ରହୁଛି। ଡ୍ରେନ ମରାମତି ଠିକ୍‌ ଭାବରେ ହୋଇନଥିବାରୁ ବର୍ଷା ଜଳ ଡ୍ରେନ୍‌ରେ ପ୍ରବାହିତ ହେବା ବଦଳରେ ରାସ୍ତାରେ ଲହଡ଼ି ମାରୁଛି। ବିଭାଗୀୟ ଯନ୍ତ୍ରୀମାନଙ୍କର ନକ୍ସା ପ୍ରସ୍ତୁତି ଓ କାର୍ଯ୍ୟ ତଦାରଖକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe