ନାଟ୍ୟକାର ରଣଜିତ୍‌ ପଟ୍ଟନାୟକଙ୍କ ପରଲୋକ

ନାଟ୍ୟକାର ରଣଜିତ୍‌ ପଟ୍ଟନାୟକଙ୍କ ପରଲୋକ

କଟକ-ସିଡିଏ : ବିଶିଷ୍ଟ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ରଣଜିତ୍‌ ପଟ୍ଟନାୟକ (୬୫) ଆଉ ନାହାନ୍ତି। ମଙ୍ଗଳବାର ରାତି ୧୧ଟା ୪୫ରେ ସିଡିଏ ସେକ୍ଟର-୯ସ୍ଥିତ ବାସଭବନରେ ହୃଦ୍‌ଘାତରେ ତାଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଯକୃତଜନିତ ରୋଗରେ ଆକ୍ରାନ୍ତ ଥିଲେ। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ଦୀପ୍ତି ପଟ୍ଟନାୟକ, ପୁଅ ନିରବ ପଟ୍ଟନାୟକଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। କଟକ ଜିଲ୍ଲା ନିଆଳି ବ୍ଲକ୍‌ର ନୋଡ଼ା ଗ୍ର‌ାମରେ ୧୯୫୭ ମସିହା ମାର୍ଚ ୨୦ରେ ଶ୍ରୀ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଜଗନ୍ନାଥ ପଟ୍ଟନାୟକ ଓ ମାଙ୍କ ନାମ ହେମଲତା ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ଧନୁପାଲ୍ଲୀ ହାଇସ୍କୁଲରେ ସ୍କୁଲ ଶିକ୍ଷା ସାରି ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଡିଗ୍ରି ଓ ପରେ ଏମ୍‌ଫିଲ୍ ଡିଗ୍ରି ଲାଭ କରିଥିଲେ। ସେ କାନାଡା ବ୍ୟାଙ୍କ ଅଧିକାରୀ ଭାବେ ବୃକ୍ତିଗତ ଜୀବନ ଆରମ୍ଭ କରିଥିଲେ ମଧ୍ୟ ପ୍ରବୃତ୍ତି କିନ୍ତୁ ନାଟକ ରଚନା ଓ ନିର୍ଦ୍ଦେଶନା। ଚଉକି, ନାକ୍‌ଟା ଚିତ୍ରକର(ଫତୁରାନନ୍ଦଙ୍କ ଉପନ୍ୟାସ ଉପରେ), ଟିଟୋ, ‌ଗୋଇଠା ବାବା ଭଳି ୧୫ରୁ ଅଧିକ ନାଟକ ରଚନା କରି ଓଡ଼ିଆ ନାଟ୍ୟଜଗତକୁ ସେ ଋଦ୍ଧିମନ୍ତ କରିଛନ୍ତି। ତାଙ୍କ ଦ୍ବାରା ରଚିତ ଅନେକ ନାଟକ ମଧ୍ୟ ଏବେ ପ୍ରକାଶ ପାଇନାହିଁ। ଏହା ବ୍ୟତୀତ ଅନେକ କାବ୍ୟପୁସ୍ତକ, ଗଳ୍ପ ପୁସ୍ତକ ମଧ୍ୟ ରଚନା ସହ ଅନେକ ନାଟକରେ ସେ ଅଭିନୟ ମଧ୍ୟ କରିଛନ୍ତି। ସେ ମଧ୍ୟ ଅନେକ ଗୀତ ରଚନା କରିବା ସହ ସଂଗୀତ ନି‌ର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ନାଟ୍ୟ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୦୨ରେ ‌ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ପ୍ରଜାତନ୍ତ୍ର ପ୍ରଚାର ସମିତି, ହଳଧର ନାଗ୍‌ ଜୟନ୍ତୀ କମିଟି, ଚିତ୍ରଲିପି ପୁରସ୍କାର, ଓଡ଼ିଶା ଫିଲ୍ମ ଫେୟାର ଆୱାର୍ଡ, ଉତ୍କଳ ସାହିତ୍ୟ ସମାଜ ପୁରସ୍କାର ଭଳି ୨୦ରୁ ଅଧିକ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି। ସତୀଚୌରା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁଅ ନିରବ ମୁଖାଗ୍ନି ଦେଇଥିଲେ।

ପରଲୋକ ଖବର ପାଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ମେୟର ସୁବାସ ଚନ୍ଦ୍ର ସିଂହ, ଜୀବନ ବିନ୍ଦୁ ନଗର ସଂଯୋଜକ ଡକ୍ଟର ରଞ୍ଜନ କୁମାର ବିଶ୍ବାଳ, ବିଜେଡି ନେତା ପ୍ରକାଶ ସିଂହ, ଶୁଭ୍ରାଂଶୁ ମହାନ୍ତି, କର୍ପୋ‌ରେଟର ପ୍ରିୟମ୍ବଦା ମହାନ୍ତି, ଅକ୍ଷୟ ମହାନ୍ତି, ରାମଚନ୍ଦ୍ର ବେହେରା, ଇଞ୍ଜନିୟର ପି.‌େକ‌. ଶତପଥୀ, ଜନାର୍ଦ୍ଦନ ମହାନ୍ତି, ମିଟା ଦାସ, ସୁକାନ୍ତି ଖୁଣ୍ଟିଆ, ଧୀରେନ୍‌ ପ୍ରତାପ, ରାଜୁ ସାମଲ, ଅଭିନେତା କୁନା ତ୍ରିପାଠୀ, ଅଶୋକ ପତି, ନମ୍ରତା ଦାସ, ପିଣ୍ଟୁ ନନ୍ଦଙ୍କ ପ୍ରମୁଖ ତାଙ୍କ ‌ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ କେନ୍ଦ୍ର ସାହିତ୍ୟ ଓଡ଼ିଆ ଉପଦେଷ୍ଟା ମଣ୍ଡଳିର ଆବାହକ ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ, ଓଡ଼ିଶା ଗୀତି କବି ସମାଜର ସଭାପତି ମନୋଜ ପଟ୍ଟନାୟକ, ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ନାଟ୍ୟକାର ଶ୍ରୀ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ‌‌ଶୋକପ୍ରକାଶ କରିବା ସହିତ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe