ବିଶିଷ୍ଟ ସାହିତ୍ୟିକ ତଥା ନାଟ୍ୟକାର ଡକ୍ଟର ରତ୍ନାକର ଚଇନିଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକ ତଥା ନାଟ୍ୟକାର ଡକ୍ଟର ରତ୍ନାକର ଚଇନିଙ୍କ ପରଲୋକ

କଟକ : ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି, ବିଶିଷ୍ଟ ସାହିତ୍ୟିକ ତଥା ନାଟ୍ୟକାର ଡକ୍ଟର ରତ୍ନାକର ଚଇନି (୭୫) ଆଉ ନାହାନ୍ତି। ଶନିବାର ଦିନ ସାଢ଼େ ଗୋଟାଏରେ ବାଦାମବାଡ଼ିସ୍ଥିତ 'ଶ୍ରୀ ନିକେତନ' ବାସଭବନରେ ତାଙ୍କର ପରଲୋକ ଘଟିଛି। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ଲିଲି ଚଇନି, ପୁଅ ସତ୍ୟକାମ, ବୋହୂ ଅର୍ପିତାଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

୧୯୪୫ ଅ‌ଗଷ୍ଟ ୨୮ତାରିଖ ଗଣେଶ ପୂଜା ଦିନ କଟକ ଜିଲ୍ଲା ସାଲେପୁର ନିକଟ ଅରେଇ ଗ୍ରାମରେ ଶ୍ରୀ ଚଇନି ଜନ୍ମଗ୍ରହଣ କରିଥିଲେ। ବ୍ରଜବନ୍ଧୁ ଚଇନି ଓ ଶ୍ରୀମତୀ ‌ଦେବୀଙ୍କ ପୁଅ ରତ୍ନାକର ନେମାଳ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ। ପରେ ଖ୍ରୀଷ୍ଟ କଲେଜରୁ ବିଏ, ରେଭେନ୍ସାରୁ ପ୍ରଥମ ଶ୍ରେଣୀରେ ଏମ୍ଏ(ଓଡ଼ିଆ) ପାସ୍ କରିଥିଲେ। ୧୯୭୮ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରିଥିଲେ। ମାଟ୍ରିକ୍ ପାସ କରିବା ପରେ କଟକ ଚାଲି ଆସିଥିବା ଡକ୍ଟର ଚଇନି ପ୍ରଜାତନ୍ତ୍ରରେ ସାମ୍ବାଦିକ ଭାବେ ଆଦ୍ୟ ଜୀବନ ଆରମ୍ଭ କରିଥିଲେ। ପିଏଚ୍‌ଡି ପରେ ୧୯୬୯ରୁ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଡକ୍ଟର ଚଇନି ବଲାଙ୍ଗୀର ରାଜେନ୍ଦ୍ର କଲେଜ, ଢ଼େଙ୍କାନାଳ କଲେଜ, ରେଭେନ୍‌ସା କଲେଜ, ବିଜେବି କଲେଜ, ଖଲ୍ଲିକୋଟ କଲେଜରେ କାର୍ଯ୍ୟ କରି ଶୈଳବାଳାରୁ ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଭାବେ ୨୦୦୩ରେ ଅବସର ଗ୍ରହଣ କରିଥିଲେ। ଏହା ସହିତ ଡକ୍ଟର ଚଇନି ଉତ୍କଳ ସାହିତ୍ୟ ସମାଜର ସଭାପତି (୨ଥର), ସାଧାରଣ ସଂପାଦକ, ଯୁବ ଲେଖକ ସମ୍ମେଳନ ସଂପାଦକ, ଓଡ଼ିଶା ସାହିତ୍ୟ ଏକାଡେମିର ସଦସ୍ୟ, ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ବବିଦ୍ୟାଳୟ ସିନେଟ୍‌ ସଭ୍ୟ ମଧ୍ୟ ରହିଥିଲେ।

ତରୁଣ ବୟସରୁ ସାରସ୍ବତ ସାଧନା ଆରମ୍ଭ କରିଥିବା ଡକ୍ଟର ଚଇନି ସାହିତ୍ୟର ପ୍ରତ୍ୟେକ କ୍ଷେତ୍ରରେ ଲେଖନୀ ଚାଳନା କରିଥିଲେ। ତାଙ୍କ ଆତ୍ମଜୀବନୀ ଜୀବନ କମାରଶାଳ, ନାଟକ ଶେଷ ଅଶ୍ରୁ, ମଞ୍ଚ ନାୟିକା, ରାଜହଂସ, ରଙ୍ଗତରଙ୍ଗ, କଳଙ୍କିତ ସ୍ବର୍ଯ୍ୟ, ନାଗଫେଣୀ ଋତୁ, ନଚିକେତା ଉବାଚ, ମୁଖା, ଆଶା ବୃନ୍ଦାବନ, ସୁନା କଳସ, ତ୍ରିଧାରା, ନାଟ୍ୟ ରତ୍ନାକର, କ୍ଷୁଦ୍ରଗଳ୍ପ ଗପ, ମୁଠାଏ ଶୂନ୍ୟତା, କାଚ ଟ୍ରେନ୍‌, ସ୍ନାୟୁ ସନ୍ୟାସୀ, ନିରବ କୋଳାହଳ, କଥା ନିର୍ବାଚିତ, ଉପନ୍ୟାସ ରାତ୍ରିର ରଜନୀଗନ୍ଧା, ଅବ୍ୟକ୍ତ ଗୋଧୂଳି, ଲୁହ ପ୍ରହରୀ, ଫୁଲର ଫଗୁଣ, ଆଲୋଚନା ପୁସ୍ତକ ମୋ ଆଖିର ମୂଲ, ଚିତ୍ର ଚରିତ, ଚିନ୍ତାମଣି ଚିନ୍ତାମାନସ, ଅମୃତ ଚେତନା, ସନ୍ଥକବି ଅଚ୍ୟୁତାନନ୍ଦ, ସଂପାଦନା ପୁସ୍ତକ ଓଡ଼ିଆ ଏକାଙ୍କିକା, ଅଚ୍ୟୁତାନନ୍ଦଙ୍କ ରଚନାବଳୀ, ଅନୁବାଦ ପୁସ୍ତକ ଭିରେସ୍‌ ଲିଙ୍ଗମ୍‌ ଆଦି ପୁସ୍ତକ ତାଙ୍କ ସଫଳ ସାରସ୍ବତ ଜୀବନର ଅନନ୍ୟ ସୃଷ୍ଟି। ସାରସ୍ବତ ସାଧନା ପାଇଁ ଡକ୍ଟର ଚଇନି ଓଡ଼ିଶା ସାହିତ୍ୟ ଏକା‌ଡେମି ପୁରସ୍କାର, ବିଷୁବ ପୁରସ୍କାର, ଆଦି ନାଟ୍ୟକାର ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରେଷ୍ଠ ନାଟ୍ୟକାର ସମ୍ମାନ, ବୈଷ୍ଣବ ପାଣି ସମ୍ମାନ, ରାଜୀବ ଗାନ୍ଧୀ ସଦ୍‌ଭାବନା ସମ୍ମାନ, ରାଷ୍ଟ୍ରଦୀପ ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ ଆଦି ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଥିଲେ। ଅପରାହ୍‌ଣରେ ତାଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଖାନନଗର ସ୍ବର୍ଗଧାମ ଶ୍ମଶାନରେ ସଂସ୍କାର କରାଯାଇଥିଲା। ପୁଅ ସତ୍ୟକାମ ମୁଖାଗ୍ନି ଦେଇଥିଲେ।

ଡକ୍ଟର ଚଇନିଙ୍କ ପରଲୋକ ଖବର ପାଇ ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁ, ପୂର୍ବତନ ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, କୋଷାଧ୍ୟକ୍ଷ ଶିବାଶିଷ କର, ଅଧ୍ୟାପକ କମଳ ମାହୁନ୍ତ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚିବା ସହିତ ସ୍ବର୍ଗତ ଚଇନିଙ୍କ ପାର୍ଥିବ ଶରୀରରେ ଉତ୍କଳ ସାହିତ୍ୟ ସମାଜର ପତାକା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପ୍ରଫେସର ନଟବର ଶତପଥୀ, ପ୍ରଫେସର ଗିରିଶ ଚନ୍ଦ୍ର ମିଶ୍ର, ଆଇନଜୀବୀ ଦେବସ୍ନାନ ଦାସ, ବ୍ରହ୍ମାନନ୍ଦ ମହାନ୍ତି, ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ୍, ଆଦିତ୍ୟ ପ୍ରତାପ ବାଘସିଂହ ପ୍ରମୁଖ ବହୁ ବିଶି‌ଷ୍ଟ ବ୍ୟକ୍ତି ବାଦାମବାଡ଼ି ବାସଭବନରେ ସ୍ବର୍ଗତ ଚଇନିଙ୍କ ଶେଷଦର୍ଶନ କରିଥି‌ଲେ। ଡକ୍ଟର ଚଇନିଙ୍କ ପର‌ଲୋକରେ 'ସମ୍ବାଦ'ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, 'ସମ୍ବାଦ ସଂପାଦକ(ଫିଚର) ଡକ୍ଟର ଗୌରହରି ଦାସ, ବରିଷ୍ଠ ବିଜେଡି ନେତା ସୁବାସ ସିଂହ, ସାହିତ୍ୟିକ ଡକ୍ଟର ‌ଗୋବିନ୍ଦ ଭୂୟାଁ, ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଇଂଜିନିୟର ପ୍ରଭାକର ସ୍ବାଇଁ, ଉତ୍କଳ ସାହିତ୍ୟ ସମାଜର ପ୍ରାକ୍ତନ ସାଧାରଣ ସଂପାଦକ ମନୋଜ ପଟ୍ଟନାୟକ, ଡକ୍ଟର ସୁନାମଣି ରାଉତ, ନାଟ୍ୟକାର ସଂଜିତ ପଟ୍ଟନାୟକ, ଡାକ୍ତର ରବିରଞ୍ଜନ ସାହୁ, ଯୁବ ଲେଖକ ସମ୍ମେଳନ ପ୍ରାକ୍ତନ ସଭାପତି ରମେଶ ଚନ୍ଦ୍ର ଭୂୟାଁ, ଗୌରହରି ମହାନ୍ତି, ଇଂଜିନିୟର ଆକାଶ ଭୂୟାଁ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe