ଭୁବନେଶ୍ବର ବିମାନବନ୍ଦରରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ: ଦିଲ୍ଲୀ ଅଭିମୁଖେ ଯାତ୍ରା

Advertisment
ଭୁବନେଶ୍ବର ବିମାନବନ୍ଦରରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ: ଦିଲ୍ଲୀ ଅଭିମୁଖେ ଯାତ୍ରା

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପହଞ୍ଚିଥିଲେ। ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ସକାଳ ୯ଟା ୪୦ରେ ବିମାନବନ୍ଦରରୁ ବିସ୍ତାର ଏୟାରଲାଇନ୍ସ ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ଜଣାଯାଇଛି।
ଭୁବନେଶ୍ୱରସ୍ଥିତ ଏମସିଏଲ୍ ଗେଷ୍ଟ ହାଉସରେ ଶୁଭେଚ୍ଛୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

publive-image

ଏମସିଏଲ୍ ଗେଷ୍ଟ ହାଉସରୁ ବାହାରିବା ସମୟରେ ଆଦିବାସୀ ମହିଳାମାନେ ଖୁସିରେ ନୃତ୍ୟ କରିବା ଦେଖିବାକୁ ମିଳିଥିଲା। କଡ଼ା ସୁରକ୍ଷା ମଧ୍ୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯିବା ସମୟରେ ଦ୍ରୌପଦୀ ମୁର୍ମୁଙ୍କ ସହ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜିଲ୍ଲା ସଭାପତି ବାବୁ ସିଂହଙ୍କ ସମେତ ବହୁ ନେତା, ଶୁଭେଚ୍ଛୁ ଓ ସମର୍ଥକ ଉପସ୍ଥିତ ଥିଲେ। ତାଙ୍କୁ ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କ ସହ ୬ଜଣ ବିଜେପି ବିଧାୟକ ବି ଦିଲ୍ଲୀ ଯାଇଥିବାର ଖବର ମିଳିଛି। ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସହଯୋଗ କାମନା କରିଛନ୍ତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ସେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଗତକାଲି ଖୋଲା ସମର୍ଥନ ଘୋଷଣା କରିଛନ୍ତି। କେବଳ ନିଜ ଦଳର ସମର୍ଥନ ଦେଇନାହାନ୍ତି, ବରଂ ଓଡ଼ିଶା ବିଧାନସଭାରେ ସବୁ ଦଳର ସଭ୍ୟମାନେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ଯିବା ପାଇଁ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି। ଇଟାଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଗତକାଲି ଅପରାହ୍ନରେ ଟ୍ବିଟ୍ କରି ଏହି ନିବେଦନ କରିଛନ୍ତି।

publive-image
ଗତକାଲି ନବୀନଙ୍କ ଟ୍ବିଟ୍ରୁ ବିଜେଡିର ସମର୍ଥନର ସ୍ପଷ୍ଟ ସଙ୍କେତ ମିଳିଥିଲା। ଏନ୍ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଗଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୁରନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଥିଲେ। ଆଉ ପାଦେ ଆଗେଇ ଯାଇ ଏକଥା ବି ପରୋକ୍ଷରେ ଜଣାଇ ଦେଇଥିଲେ ଯେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ବିଜେଡିର ସମର୍ଥନ ମିଳିବା ସ୍ପଷ୍ଟ ହୋଇଯାଇଥିବାରୁ ଆଉ ଶ୍ରୀମତୀ ମୁର୍ମୁଙ୍କୁ ରାଇସିନା ହିଲରେ ପହଞ୍ଚିବା ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ।

ସମର୍ଥନ ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍‌ ପରେ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମତୀ ମୁର୍ମୁ। ଟ୍ବିଟ୍‌ କରି ସେ କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକଙ୍କୁ ଦଳ ଅପେକ୍ଷା ଓଡ଼ିଶା ମାଟିର ଝିଅଙ୍କୁ ପ୍ରଥମ କରି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିସର୍ତ୍ତ ସମର୍ଥନ କରିବାକୁ ଆହ୍ବାନ କରିଥିବାରୁ ଅଶେଷ ଧନ୍ୟବାଦ। ଏହା ତାଙ୍କର ଓଡ଼ିଶା ମାଟି ତଥା ଓଡ଼ିଶାବାସୀଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ନିଷ୍ପାପ ଭଲ ପାଇବାକୁ ପ୍ରତିଫଳନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe