ଡିଆରଡିଏର ସମୀକ୍ଷା: ଜିଲ୍ଲାରେ ଦିନକୁ ୨ଲକ୍ଷ ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ

Advertisment
ଡିଆରଡିଏର ସମୀକ୍ଷା: ଜିଲ୍ଲାରେ ଦିନକୁ ୨ଲକ୍ଷ ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ

Hindustan Times

ଛତ୍ରପୁର:ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା(ଡିଆରଡିଏ)ର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତା କରି ଜିଲ୍ଲାରେ ମନରେଗାକୁ ଅଧିକ କ୍ରିୟାଶୀଳ କରିବା ସହ ଦୈନିକ ଦୁଇ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବା ଲାଗି ବିଡ଼ିଓମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ କ୍ଷେତ୍ର ପରିଦର୍ଶନ କରି କାମ ଠିକ୍ ହେଉଛି ନା ନାହିଁ ତଦାରଖ କରିବା ଲାଗି ବିଡ଼ିଓମାନଙ୍କୁ କୁହାଯାଇଛି। କରୋନା ଲାଗି ବାହାର ରାଜ୍ୟରୁ କାମଧନ୍ଧା ହରାଇ ନିଜ ଭିଟାମିଟା ଫେରିଥିବା ପ୍ରବାସୀ ମାନେ ଯେଭଳି କାମ ପାଇବେ ଓ ଅଧିକ ଶ୍ରମ ଦିବସ ସୃଷ୍ଟି ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଲାଗି ବିଡ଼ିଓମାନଙ୍କୁ ଜିଲ୍ଲାପାଳ କହିଛନ୍ତି। ମନରେଗା ଲକ୍ଷ୍ୟ ଧାର୍ଯ୍ୟ ଶତ ପ୍ରତିଶତ ପୂରଣ କରିବା ଲାଗି କୁହାଯାଇଛି। ମେଳା ମାଧ୍ୟମରେ ଜବ୍ କାର୍ଡ ପ୍ରଦାନ କରି କାମ ଦେବା ଲାଗି ବୈଠକରେ ଆଲୋଚନା ହୋଇଛି। ଅନୁଦାନ ନେଇ କାର୍ଯ୍ୟ ନ କଲେ ହିତାଧିକାରୀଙ୍କ ନାମରେ ଏତଲା ଦିଆଯିବାକୁ ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାରେ ୨କୋଟି ୯୨ଲକ୍ଷ ୭୪ହଜାର ୭୫୦ ଶ୍ରମ ଦିବସ ସୃଷ୍ଟି ନିମନ୍ତେ ଲକ୍ଷ୍ୟ ରହିଛି। କିନ୍ତୁ ଗତକାଲି ସୁଦ୍ଧା ଜିଲ୍ଲାରେ ୧ କୋଟି ୩୭ଲକ୍ଷ ୪୬ହଜାର ୯୩୬ ଶ୍ରମ ଦିବସ ସୃଷ୍ଟି ହୋଇଛି, ଯାହାକି ଲକ୍ଷ୍ୟର ୪୭ ପ୍ରତିଶତ ହାସଲ ‌ହୋଇଛି। ଜିଲ୍ଲାର ୫୦୩ ଗ୍ରାମ ପଞ୍ଚାୟତରେ ଦେଢ ଲକ୍ଷ ଶ୍ରମିକଙ୍କୁ କର୍ମନିଯୁକ୍ତିଙ୍କ ନିମନ୍ତେ ଲକ୍ଷ୍ୟ ରହିଥିବା ବେଳେ ବର୍ତ୍ତମାନ ୧ଲକ୍ଷ ୪୯୩ଜଣ କାମ ଦିଆଯାଇଛି। ୧୧ଶହ ଏକରରେ ଗୋଖାଦ୍ୟ ଚାଷ କରିବା ନେଇ ୧୦୦୧ଜଣ ହିତାଧିକାରୀଙ୍କୁ କର୍ମ ଯୋଗାଇବା ଲକ୍ଷ୍ୟ ରହିଛି। ଏଥିରୁ ୩୪୭ ହିତାଧିକାରୀଙ୍କୁ କାମ ଦିଆଯାଇ ୨୧୯.୯ ଏକର ଜମିରେ ଗୋଖାଦ୍ୟ ଚାଷ ହୋଇପାରିଛି ।

ଜଙ୍ଗଲ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗ ଦ୍ବାରା ନର୍ସରୀ ସୃଷ୍ଟି କରି ଲାଭକାରୀ ଫଳବୃକ୍ଷ ଚାରା ରୋପଣ କରି ଜାଲ୍ଲାର ସମସ୍ତ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟରେ ବିନିଯୋଗ କରିବାକୁ ଆଲୋଚନା ହୋଇଛି। କୌଣସି ଚାରା ବାହାରୁ ଯେମିତି ଆସିବ ନାହିଁ ସେଥି ସକାଶେ ନର୍ସରୀ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କୁହାଯାଉଛି। ପୋଖରୀ ହିଡ଼ ମାନଙ୍କରେ ନଡିଆ ବୃକ୍ଷ ରୋପଣ କରି ସୌନ୍ଦର୍ଯ୍ୟକରଣ କରିବାକୁ ଆଲୋଚନା ହୋଇଛି। ପଶୁପକ୍ଷୀ ମାନଙ୍କ ସକାଶେ ଜଙ୍ଗଲ ଅଞ୍ଚଳରେ ଜଳ ସଂରକ୍ଷଣ ସ୍ଥାନ(ପୁଷ୍କରଣୀ) କରିବା ଲାଗି ମଧ୍ୟ କୁହାଯାଇଛି। ଛତୂ ଚ‌ାଷ ଲାଗି ଜିଲ୍ଲାରେ ଉପଯୁକ୍ତ ପରିବେଶ ରହିଛି। ଗଞ୍ଜାମ ଜିଲ୍ଲା ଛତୁ ହବ୍ ଯେପରି ହେବ ସେଥି ସକାଶେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ବୈଠକରେ ଆଲୋଚନା ହୋଇଛି।

ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଏହି ବୈଠକରେ ସୀମକ୍ଷା କରି ଧାନ ଚାଷ ହେଉ ନ ଥିବା ଜମି ଗୁଡ଼ିକରେ ମୋ ଉପକାରୀ ବଗିଚା ଚାଷ କରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ, ବ୍ରହ୍ମପୁର ବନମଣ୍ଡଳ ଅଧିକାରୀ ଅମ୍ଳାନ ନାୟକ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ, କୃଷି ବିଭାଗ ଅଧିକାରୀ, ବ୍ଳକ୍‌ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe