ଡରାଇଲାଣି ଡେଙ୍ଗୁ, ଅନୁଗୁଳ ମୁକୁଳା

Advertisment
ସମ୍ବଲପୁରରେ ୫ ଡେଙ୍ଗୁ ରୋଗୀ ଚିହ୍ନଟ

India.com

ଅନୁଗୁଳ: ଡେଙ୍ଗୁରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ପ୍ରାଣ ହରାଇବା ପରେ ଏବେ ସାରା ରାଜ୍ୟରେ ଡେଙ୍ଗୁକୁ ନେଇ ଚର୍ଚ୍ଚା। ଭୁବନେଶ୍ବରରେ ଏଡିସ୍‌ ମଶା ଖୋଜା ଅଭିଯାନ ଆରମ୍ଭ ହୋଇଗଲାଣି। ଏପଟେ ଅନୁଗୁଳ କିନ୍ତୁ ମୁକୁଳା ପଡ଼ିଛି। ବର୍ଷ‌ା ଛାଡ଼ିଲେ ଡେଙ୍ଗୁ କାୟା ମେଲାଇବାର ଆଶଙ୍କା ଜଳଜଳ ଦିଶୁଥିଲେ ମଧ୍ୟ ଏହାକୁ ରୋକିବା ପାଇଁ ସେମିତି କିଛି ଠୋସ୍‌ ପଦକ୍ଷେପ ନିଆଯାଉନି। ଗତ ୫ ବର୍ଷ ହେଲା ଅନୁଗୁଳରେ ଡେଙ୍ଗୁ ନିୟନ୍ତ୍ରଣରେ ରହିଛି। ଡେଙ୍ଗୁରେ କେହି ପ୍ରାଣ ହରାଇ ନଥିବାରୁ ପ୍ରଶାସନ ଏହାକୁ ଏତେଟା ଗୁରୁତର ସହ ନେଉନି। ହେଲେ ଏଥର ସାରା ରାଜ୍ୟରେ ଡେଙ୍ଗୁ ଡରାଇବା ଆରମ୍ଭ କରିଛି। ଭୁବନେଶ୍ବରରରେ ସ୍ଥିତି ସାଂଘାତିକ ହେବା ପରେ ରାଜ୍ୟର ଅନ୍ୟ ସହରକୁ ଏହା ବ୍ୟାପିବାରେ ଲାଗିଛି। ଚଳିତବର୍ଷ ଅନୁଗୁଳରେ ଏ ପର୍ଯ୍ୟନ୍ତ ୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ସମସ୍ତେ ସୁସ୍ଥ ହେଲେଣି। ତଥାପି କଟକ, ଭୁବନେଶ୍ବରରୁ ଏଠାକୁ ଲୋକମାନେ ନିୟମିତ ଯିବା ଆସିବା କରୁଥିବାରୁ ଏହାକୁ ନେଇ ଭୟ ବଢ଼ିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅନୁଗୁଳରେ ଚିହ୍ନଟ ହୋଇଥିବା ଅଧିକାଂଶ ଡେଙ୍ଗୁ ରୋଗୀ ବାହାରୁ ସଂକ୍ରମିତ ହୋଇଛନ୍ତି। ବାହାରକୁ ଯାଇ ସଂକ୍ରମିତ ହୋଇ ଏଠାକୁ ଫେରିବା ପରେ ସେମାନେ ପଜିଟିଭ୍‌ ଥିବା ଜଣାପଡ଼ିଛି। ତଥାପି ତାଳଚେର ଓ ଅନୁଗୁଳକୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଗଣା ହେଉଛି। ଏଠାରୁ ହିଁ ଅଧିକାଂଶ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଦୁଇ ସହରରେ ଅଧିକ ରୋଗୀ ଚିହ୍ନଟ ହେଉଥିବାରୁ ଏହାକୁ ଗୁରୁତ୍ବ ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଛି।

ସୂଚନା ଅନୁସାରେ, ଅନୁଗୁଳରେ ୨୦୧୧ରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ୨୦୧୩ରେ ଏହା ପ୍ରବଳ ମାତ୍ରାରେ ବ୍ୟାପିଥିଲା। ଏପରିକି ଗୋଟିଏ ବର୍ଷରେ ଡେଙ୍ଗୁରେ ୩୨ ଜଣ ପ୍ରାଣ ହରାଇଥିଲେ। ଏଣୁ ଅନୁଗୁଳରେ ସଂକ୍ରମିତ ମଶା ରହିଥିବା ସ୍ପଷ୍ଟ ହୋଇଛି। ପୁଣି ଏବେ ବର୍ଷା ପାଇଁ ମଶା ବଢ଼ୁଛନ୍ତି। ଏହି ସମୟରେ ମଶା ମାରିବାକୁ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉନି। କେବଳ ନିୟମିତ ଭାବେ ଯାହା କାର୍ଯ୍ୟକ୍ରମ ଚାଲିଛି। ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ବର୍ଷା ପାଇଁ ଏବେ ଡେଙ୍ଗୁ ସଂକ୍ରମଣ କମ୍‌ ରହିଛି। ଏହା ପରବର୍ତ୍ତୀ ସମୟ ଅନୁଗୁଳ ପାଇଁ ଅଧିକ ସମ୍ବେଦନଶୀଳ। ବିଶେଷକରି ସେପ୍ଟେମ୍ବର ଆରମ୍ଭରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଏହି ଡେଙ୍ଗୁ ସଂକ୍ରମଣ ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଏବେଠାରୁ ଆଗୁଆ ପଦକ୍ଷେପ ‌ନ ନେଲେ ସ୍ଥିତି ବିଗିଡ଼ିବା ନିଶ୍ଚିତ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe