ସୁବ୍ରତ ସ୍ବାଇଁ

କେନ୍ଦୁଝର: ଏକବିଂଶ ଶତାବ୍ଦୀରେ ମଣିଷ ମହାକାଶକୁ ଗଲାଣି। ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ବପ୍ନ ଦେଖିଲାଣି। କିନ୍ତୁ କେନ୍ଦୁଝର ଜିଲ୍ଲାର ଢେଙ୍କିତୋପା ଓ ହାଣ୍ଡିଭଙ୍ଗା ଭଳି ଦୁଇଟି ଅଖ୍ୟାତ ଜୁଆଙ୍ଗପଲ୍ଲୀର ବାସିନ୍ଦା ଏବେ ବି ସାଇକଲ ସ୍ବପ୍ନରେ ବିଭୋର। ସ୍ବପ୍ନ ଅଛି, କେବେ ନା କେବେ ପଲ୍ଲୀକୁ ରାସ୍ତା ହେବ ଆଉ ସାଇକଲ ଗଡ଼ିବ। ସାଇକଲ ବୋହିବ ସେମାନଙ୍କ ଜୀବନ ଜୀବିକାର ବୋଝ।

Advertisment

Arrest: ୫କୁଖ୍ୟାତ ଚୋର ଗିରଫ; ଚଢ଼ଉ ବେଳେ ଚମ୍ପଟ ମାରିଲା ସର୍ଦାର

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ର ଢେଙ୍କିତୋ‌ପା, ହାଣ୍ଡିଭଙ୍ଗା ଜୁଆଙ୍ଗପଲ୍ଲୀ ଭାବେ ପରିଚିତ। ଢେଙ୍କିତୋପାରେ ୨୦ ଏବଂ ହାଣ୍ଡିଭଙ୍ଗାରେ ୧୫ଟି ପରିବାର ରହୁଛନ୍ତି। ଢେଙ୍କିତୋପା ଗାଁ ସିଂହପର୍ବତ ଉପରେ ରହିଛି। ଏଠାକୁ ଯିବା ପାଇଁ ରାସ୍ତା ନାହିଁ। କାଞ୍ଜିପାଣି ଘାଟିରୁ କପ୍ତାଟଙ୍ଗୁରା ପାହାଡ଼, ମହାବୀରା ପାହାଡ଼ ଅତିକ୍ରମ କଲେ ପଡ଼ିବ ସିଂହପର୍ବତ। ଏହାରି ଉପରେ ରହିଛି ଢେଙ୍କିତୋପା। ବର୍ଷବର୍ଷ ଧରି ଏଠାକାର ଜୁଆଙ୍ଗମାନେ ଚାଲିଚାଲି ଯାତାୟାତ କରୁଛନ୍ତି। ରାସ୍ତା ନ ଥିବାରୁ ସାଇକଲଟିଏ ଚଢ଼ି ପାରୁନାହାନ୍ତି। ପେଟ ପୋଷିବା ପାଇଁ ସେମାନେ ପାରମ୍ପରିକ ପୋଡ଼ୁଚାଷ ସାଙ୍ଗକୁ ଛେଳିପାଳନ କରୁଛନ୍ତି। ସପ୍ତାହରେ ଥରେ ମଙ୍ଗଳବାର କାଞ୍ଜିପାଣି ହାଟକୁ ଆସି ଘର ଚଳିବା ପାଇଁ ତେଲଲୁଣ କିଣୁଛନ୍ତି। ହାଣ୍ଡିଭଙ୍ଗା ଅବସ୍ଥା ମଧ୍ୟ ସମାନ। କାଞ୍ଜିପାଣି ଘାଟିରୁ କପ୍ତାଟଙ୍ଗୁରା ପାହାଡ଼, ମହାବୀରା ପାହାଡ଼ ଅତିକ୍ରମ କଲେ ପଡ଼ିବ ଆଳୁପାଦ ପାହାଡ଼। ଏହା ଉପରେ ରହିଛି ହାଣ୍ଡିଭଙ୍ଗା ଜୁଆଙ୍ଗପଲ୍ଲୀ। ଏଠାକାର ଲୋକେ ମଧ୍ୟ ପୋଡ଼ୁଚାଷ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି।କେବଳ ରାସ୍ତା ନୁହେଁ, ବିଦ୍ୟୁତ୍‌ ନ ଥିବାରୁ ବର୍ଷବର୍ଷ ଧରି ଲୋକେ ଅନ୍ଧାରରେ ରହୁଛନ୍ତି।

‘ରାସ୍ତା ହେଲେ ସାଇକଲ ଖଣ୍ଡିଏ କିଣିବି’
ବଦଳିନି ଦାରିଦ୍ର୍ୟର ପରିଭାଷା

ମାସକ ତଳେ ସେମାନଙ୍କ ଘରେ ସୌର ଆଲୁଅ ଲଗାଯାଇଛି। ପାନୀୟଜଳ ବ୍ୟବସ୍ଥା ନାହିଁ। ପାହାଡ଼ରୁ ଝରି ଆସୁଥିବା ଝରଣା କୂଳରେ ଚୁଆ ଖୋଳି ମହିଳାମାନେ ପାଣି ସଂଗ୍ରହ କରୁଛନ୍ତି। ବିଦ୍ୟାଳୟ ନ ଥିବାରୁ ଛାତ୍ରଛାତ୍ରୀ ନିକଟସ୍ଥ ଉପରପଣସନସା‌ରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଛନ୍ତି। ଜଙ୍ଗଲିଆ ରାସ୍ତା ଯୋଗୁଁ ଅଭିଭାବକମାନେ ପିଲାଙ୍କୁ ନେଇ ବିଦ୍ୟାଳୟରେ ଛାଡ଼ୁଛନ୍ତି। ଆସିବାବେଳେ ସାଙ୍ଗରେ ଛେଳିପଲକୁ ସାଥୀରେ ଆଣୁଛନ୍ତି। ଜଙ୍ଗଲରେ ଛେଳି ଚରାଇବା ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଛନ୍ତି। ଅପରାହ୍ଣରେ ସ୍କୁଲ ଛୁଟି ପରେ ନିଜ ପିଲାଙ୍କୁ ନେଇ ଘରକୁ ଫେରୁଛନ୍ତି। ଉପରପଣସନସା ପ୍ରାଥମିକ ବିଦ୍ୟାଳୟର ନିଜସ୍ବ ଘର ନ ଥିବାରୁ ଛାତ୍ରଛାତ୍ରୀ ଜୁଆଙ୍ଗମାନଙ୍କ ‘ମଣ୍ଡଘରେ’ ବସି ପାଠ ପଢ଼ୁଛନ୍ତି। 

Narendra Modi: ଆମ ସରକାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

ଢେଙ୍କିତୋପାର ଦନାର ଜୁଆଙ୍ଗ କହିଛନ୍ତି, ଗାଁକୁ ରାସ୍ତା ନ ଥିବାରୁ ସାଇକଲର ଆବଶ୍ୟକତା ପଡ଼ିନି। ଚାଲିଚାଲି ଆମେ ଯାତାୟାତ କରୁଛୁ। ତେବେ ଗାଁକୁ ରାସ୍ତା ନିର୍ମାଣ ହେଲେ ସାଇକଲଟିଏ କିଣିବାକୁ ତାଙ୍କର ଇଚ୍ଛା ଅଛି ବୋଲି କହିଛନ୍ତି। ଉପର ପଣସନସାର ସଜନ ଜୁଆଙ୍ଗଙ୍କ କହିବା କଥା, ଏବେ ତାଙ୍କ ଗାଁକୁ ରାସ୍ତା କାମ ଆରମ୍ଭ ହୋଇଛି। ରାସ୍ତା କାମ ସରି‌ଲେ ଜୁଆଙ୍ଗପଲ୍ଲୀକୁ ସାଇକଲ ଗଡ଼ିବ।