Sambad English
ଜମନକିରା: ସମ୍ବଲପୁରରୁ ଦେବଗଡ଼ ଜିଲ୍ଲା ରିଆମାଳ ଦେଇ ଭଦ୍ରକ ଯାଉଥିବା ବେଳେ ଏନ୍ଏଚ୍ ୫୩ ସଂଲଗ୍ନ ବଡ଼ରମା ଘାଟି ନିକଟରେ କାର୍ ଭିତରେ ଫିନାଇଲ୍ ପିଇ ଜଣେ ଯୁବତୀ ଗୁରୁତର ହୋଇପଡ଼ିଥିବା ଜଣାଯାଇଛି। ତାଙ୍କୁ ପ୍ରଥମେ ଜମନକିରା ଡାକ୍ତରଖାନାରେ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଅନୁସାରେ, ରାହୁଲ ଶଙ୍ଖୁଆ ଓ କଳ୍ପନା ଦାସ (୨୧) ଏକ କାର୍ (ଓଡି ୦୨- ଡବ୍ଲୁବି ୫୧୧୬) ରେ ଏନ୍ଏଚ୍ ନଂ ୫୩ ଦେଇ ସମ୍ବଲପୁରରୁ ଭଦ୍ରକ ଯାଉଥିଲେ। ବଡ଼ରମା ଘାଟି ନିକଟରେ କଳ୍ପନା ଦାସ (୨୧) ଭଦ୍ରକ ଯିବେ ନାହିଁ ବୋଲି କହିଥିଲେ। କିନ୍ତୁ ସ୍ବାମୀ ବୋଲି ପରିଚୟ ଦେଉଥିବା ରାହୁଲ ଭଦ୍ରକ ଥରେ ଯାଇ ଘର ପଟୁ ବୁଲି ଆସିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ କଳ୍ପନା ଭଦ୍ରକ ଯିବେ ନାହିଁ ବୋଲି ଜିଦ୍ ଧରିବା ସହ କାର୍ରେ ଥିବା ଫିନାଇଲ ପିଇ ଦେଇଥିଲେ।
ଅପରାହ୍ଣ ୩ ଟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଅଣା ଯାଇ ଏଠାରେ ଆଶୁ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ରାହୁଲ ହୀରାକୁଦରେ ଏକ କଂପାନିରେ କାର୍ଯ୍ୟରତ ଥିବା କହିଛନ୍ତି। ଉଭୟେ ସମ୍ବଲପୁରରେ ଲଭ୍ ଇନ୍ ରିଲେସନସିପ୍ରେ ରହୁଥିବା ବେଳେ ୪ ମାସ ତଳେ କୋର୍ଟ ମ୍ୟାରେଜ୍ ହୋଇଥିବା ସହଯୋଗୀ ମାନଙ୍କ ସୂତ୍ରରୁ ପ୍ରକାଶ। ସେହିପରି ଜମନକିରା ଥାନା ଅନ୍ତର୍ଗତ ସର୍ଡା ପଂଚାୟତ ପଥୁରିଆ ଗ୍ରାମର ସୁଜାତା ଖଣ୍ଡା (୧୭) କୀଟନାଶକ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏଠାକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଉଛି। ବିଷ ପିଇବାର କାରଣ ଜଣାପଡ଼ି ନାହିଁ। ଅବସ୍ଥା ଗୁରୁତର ହେବାରୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି।
Follow Us