କନ୍ଧମାଳ ଗ୍ରାମାଞ୍ଚଳରେ ପାଣି ପାଇଁ ହାହାକାର : ନଳକୂପ ଅଛି କାମ କରୁନି,ଆଉ କେଉଁଠି ଜମାରୁ ନାହିଁ; ଗାଧୁଆ ତୁଠରୁ ପିଇବା ପାଣି ସଂଗ୍ରହ କରୁଛନ୍ତି କୁଟିଗୁଡା ଗ୍ରାମବାସୀ

Advertisment
କନ୍ଧମାଳ ଗ୍ରାମାଞ୍ଚଳରେ ପାଣି ପାଇଁ ହାହାକାର : ନଳକୂପ ଅଛି କାମ କରୁନି,ଆଉ କେଉଁଠି ଜମାରୁ ନାହିଁ; ଗାଧୁଆ ତୁଠରୁ ପିଇବା ପାଣି ସଂଗ୍ରହ କରୁଛନ୍ତି କୁଟିଗୁଡା ଗ୍ରାମବାସୀ

ଫୁଲବାଣୀ : ସଂପ୍ରତି ଖରା ଦିନ ଚାଲିଲାଣି। ଏଥି ଯୋଗୁ କନ୍ଧମାଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ବିଶେଷତଃ ଗ୍ରାମାଞ୍ଚଳରେ ପାଣି ଉତ୍କଟ ରୂପ ଧାରଣ କରିବାକୁ ବସିଥିବାରୁ ସବୁ ଆଡେ ହାହାକାର ପଡିଗଲାଣି। ଜଳସ୍ତର ହ୍ରାସ ଯୋଗୁଁ ନଦୀ ଓ ପୋଖରୀରୁ ପାଣି କମିଲାଣି। ନଳକୂପରୁ ଆବଶ୍ୟକ ପାଣି ବାହାରୁ ନାହିଁ। ଯାହା ଫଳରେ କୂଅ ଓ ଝରଣା ପାଣିକୁ ସମସ୍ତେ ଭରସା କରୁଛନ୍ତି। ଏହା ଦୂଷିତ ପାଣି ହୋଇଥିବାରୁ ଏହା ଦ୍ବାରା ବିଭିନ୍ନ ସଂକ୍ରମକ ରୋଗ ହେବାର ସମ୍ଭାବନା ରହିଛି। ହେଲେ ଅନ୍ୟ କିଛି ବିକଳ୍ପ ଥିବାରୁ ଏହି ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

କନ୍ଧମାଳରେ ୨ହଜାର ୫୦୦ ପାଖାପାଖି ରାଜସ୍ବ ଓ ପଡା ଗାଁ ରହିଛି। ଏଥିରୁ ୪୦ ପ୍ରତିଶତ ଗାଁରେ ପାଣି ସମସ୍ୟା ଲାଗି ରହିଛି। ସେଥି ମଧ୍ୟରୁ ୩୦ ପ୍ରତିଶତ ଅର୍ଥାତ ୫୦୦ରୁ ଉର୍ଦ୍ଧ୍ବ ଗାଁରେ ଜଳଯନ୍ତ୍ରଣା ବଡ ଦୁର୍ବିସିହ। ଏସବୁ ଗାଁ ମଧ୍ୟରେ ଅଧିକାଂଶ ସ୍ଥାନରେ ନଳକୂପ ଥିଲେ ବି ପାଣି ବାହାରୁ ନାହିଁ। ବାକି ବହୁ ଗାଁରେ ନଳକୂପ ଆଦୌ ନାହିଁ। ଏଥି ପାଇଁ ବିଭିନ୍ନ କାରଣ ରହିଥିଲେ ବି ପ୍ରଶାସନର ଇଛାଶକ୍ତିର ଅଭାବ ହିଁ ମୁଖ୍ୟ କାରଣ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇ ଆସୁଅଛି। ଏମିତି ଏକ ଗାଁ ହେଉଛି ଜିଲ୍ଲାର ଦୁର୍ଗମ ସୀମାବର୍ତ୍ତି ସୁବର୍ଣ୍ଣପୁର ପଞ୍ଚାୟତର କାଟିଗୁଡା ଗାଁ। ଜଙ୍ଗଲ ଓ ପାହାଡ ମଧ୍ୟରେ ଏହି ଗାଁଟି ରହିଛି। ଏହି ଗାଁରେ ୪୦ରୁ ୫୦ ପରିବାର ବସବାସ କରୁଛନ୍ତି। ଲୋକ ସଂଖ୍ୟା ୧୫୦ ହେବ। ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ସବୁ ମାଓ ଭୟ। ତଥାପି ଗ୍ରାମବାସୀ ଜଙ୍ଗଲରୁ ଜୀବନ ଜୀବିକା ସଂଗ୍ରହ କରୁଛନ୍ତି। ବିଭିନ୍ନ ସମସ୍ୟା ଗାଁରେ ଲାଗି ରହିଥିଲେ ବି ବଡ ସମସ୍ୟା ହେଉଛି ପାଣି।

ଦେଶ ସ୍ବାଧୀନ ହେବାର ଏତେ ବର୍ଷ ପରେ ବି ଗାଁରେ ନୂଳକୂପଟିଏ ବସି ପାରିଲା ନାହିଁ। ଗାଁରେ ପୋଖରୀ ନାହିଁ କି ପାଖରେ କୌଣସି ନଦୀ ପ୍ରଭାହିତ ହେଉ ନାହିଁ। ଗାଁରେ ଗୋଟିଏ ନଳକୂପ ବସାଇବା ନିମନ୍ତେ ଗ୍ରାମବାସୀ ଦୀର୍ଘବର୍ଷ ହେଲା ଦାବି କରି ଆସୁଛନ୍ତି। ହେଲେ ସେମାନଙ୍କ ଦାବିକୁ ପ୍ରଶାସନ ଅଣଦେଖା କରି ଚାଲିଛି ବୋଲି କହନ୍ତି ଗ୍ରାମବାସୀ ଦୁବୁରା କହଁର ଓ ମହିଳା ସ୍ବେଛାସେବୀ ବୈଦେହୀ ମଲ୍ଲିକ। ଗାଁଠାରୁ କିଛି ଦୁରରେ ଥିବା ଏକ ନାଳ ପାଣିକୁ ଭରସା କରିବାକୁ ପଡୁଛି। ସେଇଠି ସ୍ନାନ,ଶୌଚ କରାଯାଉଛି। ଆଉ ପିଇବା ପାଣି ଭାବେ ମଧ୍ୟ ବ୍ୟବହାର କରାଯାଉଛି। ସବୁ ଗାଁରେ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ସରକାର ଘୋଷଣା କରଛନ୍ତି। କନ୍ଧମାଳର କୁଟିଗୁଡା ଭଳି ପାଣି ସମସ୍ୟା ଲାଗି ରହିଥିବା ଅନ୍ୟ ସବୁ ଗାଁକୁ କେବେ ବିଶୁଦ୍ଧ ପାଣି ମିଳୁଛି ଦେଖିବାର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe