ବ୍ରହ୍ମଗିରିରେ ସାମୁଦ୍ରିକ ଝଡ଼ ‘ଫନି’ ପରେ ଭୂତଳ ଜଳସ୍ତର ପରିବର୍ତ୍ତନ : ନଳକୂପରୁ ବାହାରୁଛି ଲୁଣିଆ ପାଣି, ପାନୀୟ ଜଳ ପାଇଁ ଲୋକେ ହଇରାଣ

Advertisment
ବ୍ରହ୍ମଗିରିରେ ସାମୁଦ୍ରିକ ଝଡ଼ ‘ଫନି’ ପରେ ଭୂତଳ ଜଳସ୍ତର ପରିବର୍ତ୍ତନ : ନଳକୂପରୁ ବାହାରୁଛି ଲୁଣିଆ ପାଣି, ପାନୀୟ ଜଳ ପାଇଁ ଲୋକେ ହଇରାଣ

ବ୍ରହ୍ମଗିରି : ସାମୁଦ୍ରିକ ଝଡ଼ ‘ଫନି’ ପରେ ଭୂତଳ ଜଳସ୍ତର ପରିବର୍ତ୍ତନ ହୋଇଯାଇଛି। ନଳକୂପରୁ ଲୁଣିଆ ପାଣି ବାହାରୁଛି। ଲୋକେ ଲୁଣିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଦୀର୍ଘ ୬ ମାସ ହେଲାଣି ପିଇବା ପାଣି ପାଇଁ ଲୋକେ ନାକେଦମ ହେଉଥିବା ବେଳେ ଆଜି ସୁଦ୍ଧା ଏହି ସମସ୍ୟା ଦୂର ହୋଇପାରୁ ନାହିଁ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ବ୍ରାହ୍ମଣିଆ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନାହାନ୍ତି।

ଖବର ନେବାରେ ଜଣାପଡ଼ିଛି, ସ୍ଥାନୀୟ ବ୍ରାହ୍ମଣିଆ ପଞ୍ଚାୟତରେ ଦୀର୍ଘଦିନ ହେବ ପିଇବା ପାଣି ସମସ୍ୟା ଲାଗି ରହିଛି। ଏହି ପଞ୍ଚାୟତ ୭ଟି ଗାଁକୁ ନେଇ ଗଠିତ ହୋଇଛି। ପଞ୍ଚାୟତରେ ୫ଟି ବିଦ୍ୟାଳୟ ରହିଛି। ଗୋଟିଏ ହାଇସ୍କୁଲ୍ ରହିଥିବା ବେଳେ ଅନ୍ୟ ୪ଟି ପ୍ରାଥମିକ, ପ୍ରକଳ୍ପ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ପଞ୍ଚାୟତରେ ମୋଟ ୪୨ଟି ନଳକୂପ ବସିଛି। ସେହିପରି ଏଠାରେ ପମ୍ପ୍‌ ହାଉସ୍‌ ନ ଥିବା ବେଳେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ହେଉନାହିଁ। ସେପଟେ ଏବେ ନଳକୂପରୁ ଲୁଣି ପାଣି ବାହାରୁଥିବା ଅଭିଯୋଗ ହୋଇଛି। ଫଳରେ ବର୍ଷ ବର୍ଷ ଧରି ଲୋକେ ଏହି ଲୁଣି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ବ୍ରାହ୍ମଣିଆ ହାଇସ୍କୁଲ୍‌ ଓ ପ୍ରାଥମିକ ସ୍କୁଲ୍‌ ପରିସରରେ ବସିଥିବା ନଳକୂପରୁ ଏସିଡ୍‌ ମିଶା ପାଣି ବାହାରିବା ନଜିର ରହିଛି। ପରେ ଏହି ନଳକୂପକୁ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ବନ୍ଦ କରି ନୂତନ ନଳକୂପ ବସାଇ ଥିଲା। କିନ୍ତୁ ନୂତନ ଭାବେ ବସିଥିବା ନଳକୂପରୁ ମଧ୍ୟ ଲୁଣିଆ ପାଣି ବାହାରୁଛି। ବାତ୍ୟା ‘ଫନି’ ପରେ ନଳକୂପରୁ ଯେତିକି ପରିମାଣରେ ଲୁଣି ପାଣି ବାହାରୁ ଥିଲା ଏବେ ତା’ଠାରୁ ଅଧିକ ବାହାରୁଛି।

ସେହିପରି ସାହସପୁରରେ ବସିଥିବା ନଳକୂପର ପାଣି ପିଇବା ଅନୁପଯୁକ୍ତ ହୋଇପଡ଼ିଛି। ଏହି ଗାଁରେ ବସିଥିବା ନଳକୂପର ପାଣି ‘ଫନି’ ପରେ ପୂରା ନଷ୍ଟ ହୋଇଯାଇଛି। ଏହା ସହିତ ଅନ୍ୟ ଗାଁଗୁଡ଼ିକରେ ବସିଥିବା ନଳକୂପର ପାଣି ମଧ୍ୟ ନଷ୍ଟ ହୋଇଯାଇଛି। ନଳକୂପର ପାଣି ପରୀକ୍ଷା ହେଉ ନାହିଁ। ଏ ନେଇ ଗାଁ ଲୋକେ ସ୍ଥାନୀୟ ବ୍ଲକ୍ ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା ଏହାର ସମାଧାନ ହୋଇପାରି ନାହିଁ। ପଞ୍ଚାୟତରେ ପିଇବା ପାଣି ସମସ୍ୟା ନେଇ ୪ ଦିନ ପୂର୍ବେ ଗ୍ରାମସଭାରେ ଜୋରଦାର ଆଲୋଚନା ହୋଇଛି। ପିଇବା ପାଣି ସମସ୍ୟା ଯୋଗୁଁ ପଞ୍ଚାୟତରେ ଅନେକ ଲୋକେ ଜ୍ବର, ଝାଡ଼ାବାନ୍ତି, କ୍ୟାନସର୍‌ ଭଳି ରୋଗରେ ପୀଡ଼ିତ ହେଉଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ପଞ୍ଚାୟତରେ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe