ପଞ୍ଚାୟତ ଓ ବ୍ଲକ୍‌ କାର୍ଯ୍ୟାଳୟ ଧାଇଁଧାଇଁ ନୟାନ୍ତ: ୫ ବର୍ଷ ହେଲା ପାଣି ପାଇଁ ଡହଳବିକଳ ହେଉଛନ୍ତି ସୁନ୍ଦରତଇଳା ଗ୍ରାମବାସୀ

Advertisment
ପଞ୍ଚାୟତ ଓ ବ୍ଲକ୍‌ କାର୍ଯ୍ୟାଳୟ ଧାଇଁଧାଇଁ ନୟାନ୍ତ: ୫ ବର୍ଷ ହେଲା ପାଣି ପାଇଁ ଡହଳବିକଳ ହେଉଛନ୍ତି ସୁନ୍ଦରତଇଳା ଗ୍ରାମବାସୀ

ଦଶପଲ୍ଲା : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ନଳକୂପକୁ ସଚଳ କରିବା ସହ ସମସ୍ତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସୁଛି ଉଚ୍ଚସ୍ତରୀୟ ବୈଠକ। ଯେଉଁଥିରେ ବିଭାଗୀୟ ଅଧିକାରୀମାନେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହୁଛି। ହେଲେ ମାସେ ନୁହେଁ ବର୍ଷେ ନୁହେଁ, ପାନୀୟ ଜଳ ନେଇ ଦୀର୍ଘ ୫ ବର୍ଷ ହେଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ପୋଖରୀଗୋଛା ପଞ୍ଚାୟତ ସୁନ୍ଦରତଇଳା ଗ୍ରାମବାସୀ ଯେଉଁ ସମସ୍ୟା ଭୋଗୁଛନ୍ତି ତାହା ଆଖିରେ ନ ଦେଖିଲେ ବିଶ୍ବାସ କରି ହେବନାହିଁ।

publive-image

ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ୍‌ କାର୍ଯ୍ୟାଳୟ ସବୁଠାରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି। ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ଡହଳବିକଳ ହେଉଥିବା ଅଭିଯୋଗ ଆଣିଛନ୍ତି। ଗ୍ରାମରେ ନାରଣ ମାଝି, ଜଳେଶ୍ବର ଜାନୀ, ବିନୋଦ ପ୍ରଧାନ, ହରିବନ୍ଧୁ ଜାନୀ, ବିନୋଦ ଜାନୀ, ଲଖେଶ୍ବର ଜାନୀ ଭଳି ୨୬ଟି ଆଦିବାସୀ ସମୁଦାୟର ପ୍ରାୟ ୨ ଶହ ଜନସାଧାରଣ ବସବାସ କରି ଆସୁଛନ୍ତି। ଗ୍ରାମରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ୨୦୧୩ ନଭେମ୍ବର ମାସରେ ଓସ୍ବା ଓ ପ୍ରାକ୍ଟିକାଲ୍ ଆକ୍ସନ ପକ୍ଷରୁ ୟୁରୋପିଆନ୍ ୟୁନିୟନ୍‌ର ଆର୍ଥିକ ସହାୟତାରେ ୩ ଲକ୍ଷ ୩୮ ହଜାର ୨ ଶହ ୧୫ ଟଙ୍କାରେ ଏକ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ଯାହାକୁ ନେଇ ୨-୩ ବର୍ଷ ଗ୍ରାମବାସୀ ଏହି ପ୍ରକଳ୍ପରୁ ସୁଫଳ ପାଇଥିଲେ। ମାତ୍ର ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ହେତୁ ଅଚଳ ହୋଇ ପଡ଼ିଛି। ଏହାର ମରାମତି ପାଇଁ କେହି ଗୁରୁତ୍ବ ଦେଉନଥିବା ବେଳେ ପ୍ରାୟ ୫ ବର୍ଷ ହେଲା ଏହି ପ୍ରକଳ୍ପଟି ଖତ ହେଉଛି।

publive-image

ସେହିଭଳି ଗ୍ରାମରେ ଗୋଟିଏ ମାତ୍ର ନଳକୂପ ରହିଥିବା ବେଳେ ଏହା ମଧ୍ୟ ପ୍ରାୟ ୩ ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ୍‌ କାର୍ଯ୍ୟାଳୟରେ ବାରମ୍ବାର ପହଞ୍ଚି ଅଭିଯୋଗ କରୁଥିବା ବେଳେ ସରପଞ୍ଚ କି କୌଣସି ଅଧିକାରୀ ଏଥିପ୍ରତି ଗୁରୁତ୍ବ ଦେଉନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଫଳରେ ଗ୍ରାମରେ ଥିବା ଏକମାତ୍ର ପଥରକୂପ ଉପରେ ଗ୍ରାମବାସୀଙ୍କୁ ଭରସା କରି ଚଳିବାକୁ ପଡ଼ୁଛି। ଖରାଦିନେ ଶୁଖିଲା ପଡ଼ୁଥିବା ହେତୁ ପ୍ରାୟ ୨ କିମି ପାଣି ପାଇଁ ଯିବାକୁ ପଡ଼ୁଛି।

publive-image

ଏପଟେ ଗ୍ରାମକୁ ପକ୍କା ସଡ଼କଟିଏ ମଧ୍ୟ ନିର୍ମାଣ ହୋଇପାରୁନି। ଦୀର୍ଘ ଦିନ ଧରି ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହା ଅଧାଗଢ଼ା ହୋଇ ପଡ଼ିରହିଛି। ଗ୍ରାମରେ ଶିକ୍ଷାର କୌଣସି ବ୍ୟବସ୍ଥା ନଥିବା ବେଳେ ଜଙ୍ଗଲିଆ ରାସ୍ତାରେ ପ୍ରାୟ ୪ କିମି ପିଲିପାଜୁକୁ ଛାତ୍ରଛାତ୍ରୀମାନଙ୍କୁ ଯିବାକୁ ପଡ଼ୁଛି। ସେହିଭଳି ଭତ୍ତା କିମ୍ବା ରାସନ ପାଇଁ ୫ କିମି ବାଟ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି। ତେବେ ଗ୍ରାମକୁ ତୁରନ୍ତ ପକ୍କା ସଡ଼କ ନିର୍ମାଣ କରିବା ସହ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe