ବେଲଗୁଣ୍ଠା: ଶୋଷ ଲାଗିଲା। ମୋପେଡ଼୍ ରଖି ରାସ୍ତାକଡ଼ ନଳକୂଅରୁ ପାଣି ପିଉଥିଲେ। ଦାନବ ଭଳି ଅତର୍କିତ ମାଡ଼ିଆସିଲା ବୋଲେରୋ ପିକ୍ଅପ୍ ଭ୍ୟାନ୍। କିଛି ଭାବିବା ଆଗରୁ ନିମିଷକରେ ବାପା ସମେତ ଦୁଇ ଝିଅ ଓ କୋମଳମତି ନାତିର ଜୀବନ ଦୀପ ଲିଭିଗଲା। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଓ ଗାଙ୍ଗପୁର ଥାନା ଅଧୀନ ଇନ୍ଦନପୁର ଛକରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ସ୍ତବ୍ଧ କରିଦେଇଛି। ମୃତକମାନେ ହେଲେ, ଆସିକା ବ୍ଲକ୍ ମୁନିଗାଡ଼ି ଗ୍ରାମର ଜୟରାମ ନାୟକ (୫୧), ତାଙ୍କ ଦୁଇ ଝିଅ ଲକ୍ଷ୍ମୀ ପାତ୍ର (୨୫) ଓ ରିଙ୍କି ନାୟକ (୨୩) ଏବଂ ନାତି ବିଶ୍ବଜିତ୍ ପାତ୍ର (୬)। ବିଶ୍ବଜିତ୍ ହେଉଛନ୍ତି ଲକ୍ଷ୍ମୀଙ୍କ ପୁଅ।
ମିଳିଥିବା ସୂଚନାନୁସାରେ, ଜୟରାମଙ୍କ ଚତୁର୍ଥ ଝିଅ ରିଙ୍କିଙ୍କ ବାହାଘର ନିକଟରେ ହେବାର ଥିଲା। ଜୟରାମ ଏକ ମୋପେଡ଼୍ (ଟିଭିଏସ୍ ଏକ୍ସ୍ଏଲ୍)ରେ ତୃତୀୟ ଝିଅ ଲକ୍ଷ୍ମୀ, ରିଙ୍କି ଓ ନାତି ବିଶ୍ବଜିତ୍ ସହ ଗାଙ୍ଗପୁର ଆସିଥିଲେ। ସେଠାରେ ସେମାନେ ରିଙ୍କିଙ୍କ ବାହାଘର ପାଇଁ ସୁନା ଅଳଙ୍କାର ଓ ନୂଆ ପୋଷାକ ସମେତ ଅନ୍ୟାନ୍ୟ କିଛି ସାମଗ୍ରୀ କିଣିଥିଲେ। ଏହାସହ ନାତି ବିଶ୍ବଜିତ୍ ପାଇଁ କିଛି ଚଟ୍ପଟି ଖାଦ୍ୟ ଧରିଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେମାନେ ଖୁସି ମନରେ ମୁନିଗାଡ଼ି ଫେରୁଥିବା ସମୟରେ ଇନ୍ଦନପୁର ଛକ ନିକଟରେ ନାତି ବିଶ୍ବଜିତ୍ଙ୍କୁ ଶୋଷ ଲାଗିବାରୁ ଜୟରାମ ଏକ ନଳକୂପ ନିକଟରେ ମୋପେଡ଼୍ ରଖିଥିଲେ। ଲକ୍ଷ୍ମୀ, ରିଙ୍କି ଓ ବିଶ୍ବଜିତ୍ ସେଠାରେ ପାଣି ପିଉଥିବା ବେଳେ ଜୟରାମ ଗାଡ଼ି ପାଖରେ ଛିଡ଼ା ହୋଇଥିଲେ। ଏହିସମୟରେ ବିପରୀତ ଦିଗରୁ ସମ୍ବଲପୁରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ପରିବା ବୋଝେଇ ବୋଲେରୋ ପିକ୍ଅପ୍ ଭ୍ୟାନ୍ (ଓଡ଼ି-୧୫-ପି-୨୩୦୭) ଦ୍ରୁତଗତିରେ ଦାନବ ଭଳି ମାଡ଼ି ଆସି ଲକ୍ଷ୍ମୀ, ରିଙ୍କି ଓ ବିଶ୍ବଜିତ୍ଙ୍କୁ ଧକ୍କା ଦେଇଥିଲା। ଏହାପରେ ଜୟରାମଙ୍କୁ ମୋପେଡ଼୍ ସହ ୩୦ ମିଟର ଦୂର ଘୋଷାଡ଼ି ନେଇଯାଇଥିଲା। ଘଟଣାସ୍ଥଳରେ ହିଁ ଲକ୍ଷ୍ମୀ, ରିଙ୍କି ଏବଂ ଜୟରାମ ପ୍ରାଣ ହରାଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସମସ୍ତଙ୍କ ଶରୀର ଖଣ୍ଡବିଖଣ୍ଡିତ
ହୋଇଯାଇଥିଲା। ସାମଗ୍ରୀ ସବୁ ଏଣେତେଣେ ବିଛେଇ ହୋଇ ପଡ଼ିଥିଲା। ଜୟରାମଙ୍କ ଶବ ଭ୍ୟାନ୍ ତଳେ ହିଁ ରହି ଯାଇଥିଲା। ନାତି ବିଶ୍ବଜିତ୍ଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରୁ ବିଶାଖାପାଟଣା ନିଆ ଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ଘଟଣା ପରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଟାୟାର୍ ଜାଳି ରାସ୍ତା ଅବରୋଧ କରିବା ସହ ମୃତ ଜୟରାମ ଓ ଲକ୍ଷ୍ମୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ସହ ଚାକିରି ଦେବାକୁ ଦାବି କରିଥିଲେ। ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁ ଏବଂ ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ସଦଳବଳେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଅପରାହ୍ନ ୪ଟାବେଳେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହେବାସହ ପିକ୍ଅପ୍ ଭ୍ୟାନ୍ ତଳୁ ଜୟରାମଙ୍କ ଶବକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ସେପଟେ ଲକ୍ଷ୍ମୀ ଓ ରିଙ୍କିଙ୍କ ଶବ ଆସିକା ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଥିବାବେଳେ ବିଶ୍ବଜିତ୍ଙ୍କ ଶବ ବ୍ରହ୍ମପୁର ବଡ଼ମେଡିକାଲରେ ଅଛି। ଗାଙ୍ଗପୁର ଥାନାରେ ମାମଲା ରୁଜୁ ସହ ଭ୍ୟାନ୍ ଚାଳକକୁ ଅଟକ ରଖାଯାଇଛି।
Follow Us