ଗୋଧସ୍ ଜଳପ୍ରପାତରେ ଡ୍ରାଇଭର ନିଖୋଜ

Advertisment
ଗୋଧସ୍ ଜଳପ୍ରପାତରେ ଡ୍ରାଇଭର ନିଖୋଜ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଗୋଧସ୍ ଜଳ ପ୍ରପାତରେ ପୁଣି ଜଣେ ଡ୍ରାଇଭର ନିଖୋଜ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ସଂପୃକ୍ତ ଡ୍ରାଇଭରଙ୍କ ପରିବାର ଲୋକ ଧରମବନ୍ଧା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବହୁ ଖୋଜାଖୋଜି ପରେ ମଧ୍ୟ ପତ୍ତା ମିଳିନଥିବାରୁ ସନ୍ଧ୍ୟା ହୋଇଯିବାରୁ ସୋମବାର ପୁଣି ଖୋଜାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାମତେ, ନୂଆପଡ଼ା ଜିଲ୍ଲା ସଦର ଗ୍ରାମର ଏକ ଘରୋଇ କଲେଜର ଗାଡ଼ି ଚାଳକମାନେ ରବିବାର ଦିନ ଧରମବନ୍ଧା ଥାନା ଗୋଧସ୍ ଜଳପ୍ରପାତକୁ ଭୋଜି କରିବାକୁ ଯାଇଥି‌ଲେ। ଗୋଡ଼ଫୁଲା ଗ୍ରାମର ବସ୍‌ ଚାଳକ ରାମକିଷାନ ରାଉତ (୩୫) ଜଳପ୍ରପାତ ଉପରକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ରାମକିଷାନଙ୍କୁ ସାଙ୍ଗମାନେ ଦେଖି ନଥିବାରୁ ଖୋଜାଖୋଜି କରିଥିଲେ। ପରେ କିଛି ସାଙ୍ଗ ଗୋଧସ୍ ଜଳପ୍ରପାତ ଉପରକୁ ଯାଇଥିବା ବେଳେ ସେଠାରେ ରାମକିଷାନଙ୍କ ପେଣ୍ଟ, ସାର୍ଟ, ଗାମୁଛା ଓ ଚପଲକୁ ଏକ ପଥରରେ ରଖାଯାଇଥିବା ଦେଖିବାକୁ ପାଇଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ରାମକିଷାନ ଜଳପ୍ରପାତକୁ ଡେଇଁଥିବା ଅନୁମାନ କରାଯାଉଛି। ଏନେଇ କିଛି ବ୍ୟକ୍ତି ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ଧରମବନ୍ଧା ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ୧୬ ସେପ୍ଟେମ୍ବର ୨୦୨୧ରେ ନୂଆପଡ଼ା ବିଦେଶୀ ମଦ ଦୋକାନରେ କାମ କରୁଥିବା ୩ ଜଣ ଯୁବକ ‌ମ୍ୟାନେଜର ନୀଲେଶ ସିଂ (୩୩), କର୍ମଚାରୀ ଅମିତ ଗୁପ୍ତା (୨୫) ଏବଂ ଅନ୍ୟ ଜଣେ ରାଜକୁମାର ଗୁପ୍ତା (୨୪) ଗଣେଶ ବିସର୍ଜନ ସମୟରେ ଏହି ଗୋଧସ୍ ଜଳପ୍ରପାତ ପାଣିରେ ନିଖୋଜ ହୋଇ ଯାଇଥିଲେ। ୨୪ ଘଣ୍ଟା ଭିତରେ ସେମାନଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଥିଲା। ସେହିପରି ୨୪ ସେପ୍ଟେମ୍ବର ୨୦୨୧ରେ ‌ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ପିପେଲଛେଣ୍ଡ ଥାନା ଥୁଆପାନୀ ଗ୍ରାମର ପ୍ରେମୀ ଯୁଗଳ ଧନୀରାମ ଅଟି (୨୩) ଓ ଦେମତୀ ‌ସୋରୀ(୨୫) ଜଳପ୍ରପାତକୁ ଡେଇଁ ନିଖୋଜ ହୋଇଥିଲେ। ୩ ଦିନ ପରେ ପୁଲିସ୍‌ ଓ ଅଗ୍ନିଶମ ବିଭାଗ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲେ। ବର୍ତ୍ତମାନ ପିକ୍‌ନିକ୍ ଋୁତୁ ଆସିଥିବା ବେଳେ ଚଳିତ ବର୍ଷ ଆଜି ପୁଣି ଜଣେ ଯୁବ ଡ୍ରାଇଭର ନିଖୋଜ ହୋଇଥିବା ଜଣାପଡ଼ିଛି। ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଜିଲ୍ଲା ପ୍ରଶାସନ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରି ଗୋଧସ୍ ଉପରକୁ ଚଢ଼ିବାକୁ ବାରଣ କରିବା ନେଇ ଜିଲ୍ଲାବାସୀ ଦାବି  କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe