The Standard
ଭୁବନେଶ୍ୱର : ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଡିଆରଏମ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ପ୍ରାଇଭେଟ୍ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକଙ୍କୁ ଗତରାତିରେ କୋଲକାତାରୁ ଗିରଫ କରିଛି। ସେ ହେଲେ, ଚନ୍ଦକା ଥାନା ମେଣ୍ଢାଶାଳର ଧ୍ରୁତିରଞ୍ଜନ ମହାନ୍ତି। ସେଠାରେ ତାଙ୍କୁ ୨୪ ପ୍ରଗଣା(ଉତ୍ତର) ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଛି। ଗତକାଲି ତାଙ୍କୁ କଟକ ଓପିଆଇଡି କୋର୍ଟ ଚାଲାଣ କରାଯାଇଛି।
ଗତବର୍ଷ ସେପ୍ଟେମ୍ବର ୨୪ ତାରିଖରେ ଶୈଳଶ୍ରୀ ବିହାରର ବିଜୟ ମିଶ୍ରଙ୍କ ଅଭିଯୋଗକ୍ରମେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେବେଠାରୁ ସେ ଫେରାର୍ ଥିଲା। ସେ କୋଲକାତାରେ ଥିବା କିଛି ଦିନ ତଳେ ଖବର ମିଳିବା ପରେ ଇଓଡବ୍ଲୁର ଏକ ସ୍ବତନ୍ତ୍ର ଦଳ େସଠାକୁ ଯାଇ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଥିଲା।
ସୂଚନା ମୁତାବକ, ବିଜୟଙ୍କର କଳାରାହାଙ୍ଗ ତହସିଲ ଅଧୀନରେ ୨୫ ଡେସିମିଲ୍ ଜମି ରହିଛି। ଏହି ଜମି ଉପରେ ବହୁତଳ କୋଠା ତିଆରି କରିବା ପାଇଁ ଅଭିଯୁକ୍ତ ଧ୍ରୁତି ତାଙ୍କ ସହ ଏକ ଏଗ୍ରିମେଣ୍ଟ କରି ଘର ତିଆରି ପାଇଁ ୨୦୦୯ ମେ’ ୨୧ ତାରିଖ ଦିନ ପାୱାର ଅଫ୍ ଆଟର୍ଣ୍ଣି ନିଜ ନାମରେ କରିନେଇଥିଲେ। ଚୁକ୍ତି ମୁତାବକ, ଜମିରେ ୩୫ପ୍ରତିଶତ ‘ସୁପର ବିଲ୍ଟଅପ୍ ଏରିଆ’ ଜମି ମାଲିକଙ୍କୁ ମିଳିବାକୁ ଥିବା ବେଳେ ୬୫ପ୍ରତିଶତ କମ୍ପାନିକୁ ମିଳିବାର ଥିଲା। କୋଠା ସମ୍ପୂର୍ଣ୍ଣ ହେବା ପରେ ଜମି ମାଲିକଙ୍କ ଭାଗ ହିସାବରେ ବିଜୟଙ୍କୁ ୬ଟି ଫ୍ଲାଟ୍ ମିଳିଲା ବୋଲି ଧ୍ରୁତି ଚିଠି ଦେଇଥିଲେ। ହେଲେ ପଜେସନ୍ ଦେଉନଥିଲେ। ବିଜୟ ବୁଝାବୁଝି କରିବାରୁ ଜଣାପଡ଼ିଥିଲା ଯେ, ସେହି ୬ଟି ଫ୍ଲାଟ୍ ଅନ୍ୟ ୬ ଜଣଙ୍କୁ ୨ କୋଟି ୪୦ ଲକ୍ଷ ଟଙ୍କାରେ ବିକ୍ରି କରି ଦିଆଯାଇଛି। ଧ୍ରୁତି ମଧ୍ୟ ନିଜର ସଂସ୍ଥା ବନ୍ଦ କରି ଫେରାର୍ ହୋଇଯାଇଛନ୍ତି। ଏଣୁ ବିଜୟ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ।
Follow Us