ଭୁବନେଶ୍ବର/ଟାଙ୍ଗୀ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅପହଞ୍ଚ ଇଲାକାକୁ ଡ୍ରୋନ ମାଧ୍ୟମରେ ଅତ୍ୟାବଶକୀୟ ଔଷଧ ପ୍ରେରଣ କରାଯିବ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନର ପ୍ରୟୋଗ ନେଇ ଏମ୍ସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାକୁ ନେଇ ଆଜି ସଫଳ ଟ୍ରାଏଲ ଉଡ଼ାଣ କରାଯାଇଛି। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ପରୀକ୍ଷାମୂଳକ ଭାବରେ ଏମ୍ସ ପରିସରରୁ ଡ୍ରୋନ ଉଡ଼ାଣ କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଯାଇ ସେଠାରୁ ଫେରିଥିଲା। ଏହାକୁ ନେଇ ଉଭୟ ଏମ୍ସ ଓ ଟାଙ୍ଗୀ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ବେଶ୍ ଉତ୍ସାହିତ ଅଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଏଭଳି ଏକ ସେବାକୁ ସ୍ବାଗତ କରିଛନ୍ତି।
ଆଜି ଉଡ଼ିଥିବା ଡ୍ରୋନ ମାତ୍ର ୩୫ ମିନିଟ୍ରେ ୬୦ କିଲୋମିଟର ଏବଂ ଏକ ଘଣ୍ଟା ୧୦ ମିନିଟ୍ରେ ୧୨୦ କିଲୋମିଟର ଯାତ୍ରା ସମାପ୍ତ କରିଛି। ଏହି ଯାତ୍ରା କାଳରେ ଡ୍ରୋନ୍ରେ ପ୍ରାୟ ୨ କିଲୋଗ୍ରାମ୍ ଓଜନର ରକ୍ତ ଓ ଅନ୍ୟାନ୍ୟ ଔଷଧୀୟ ସାମଗ୍ରୀ ରଖାଯାଇଥିଲା। ଭୌଗୋଳିକ ପ୍ରତିବନ୍ଧକକୁ ଅତିକ୍ରାନ୍ତ କରି ଏହା ଯେ କୌଣସି ସମୟରେ ପାହାଡ଼ ପର୍ବତ ଘେରା ଆଭ୍ୟନ୍ତରୀଣ ଅଞ୍ଚଳକୁ ଟିକା, ଅତ୍ୟାବଶ୍ୟକ ଔଷଧ, ରକ୍ତ ସହିତ ଅନ୍ୟାନ୍ୟ ଏକାଧିକ ପରୀକ୍ଷଣ ସାମଗ୍ରୀ ବହନ କରିପାରିବ। ପରୀକ୍ଷଣରେ ବ୍ୟବହୃତ ଏହି ଡ୍ରୋନରେ ୫ କେଜି ପର୍ଯ୍ୟନ୍ତ ସାମଗ୍ରୀ ବହନର କ୍ଷମତା ରହିଛି। ଏକ ସମୟରେ ଏହା ପ୍ରାୟ ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପଦକ୍ଷେପ ଅନୁଯାୟୀ, ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ସୁଦୃଢ଼ କରିବା ନିମନ୍ତେ ଏହି ପ୍ରୟୋଗ କରାଯାଉଛି। ପରୀକ୍ଷଣ ସମୟରେ ଡା. ସୋନୁ ଏଚ୍ ସୁବା, ଡା. ପ୍ରିୟମାଧବ ବେହେରା, ଡା. ଅଭିଷେକ ମିଶ୍ର, ଡା. ସତ୍ୟପ୍ରକାଶ, ଡା. ଅଂଶୁମାନ ସାହୁ ଓ ଭାରପ୍ରାପ୍ତ ଡିଡିଏ ରଶ୍ମିରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ୨୦୨୩ ମସିହାରେ ଅପହଞ୍ଚ ଇଲାକାରେ ଔଷଧ ଏବଂ ଟିକା ପ୍ରେରଣ ପାଇଁ କନ୍ଧମାଳ ପ୍ରଶାସନ ପକ୍ଷରୁ ଡ୍ରୋନର ପ୍ରୟୋଗ କରାଯାଇଥିଲା।
Follow Us