କରୋନା କାଳରେ ଡ୍ରପ୍‌-ଆଉଟ୍‌ ଚିନ୍ତା: ଘରକୁ ଘର ବୁଲି ସର୍ଭେ କରିବେ ଶିକ୍ଷକ

ଛାତ୍ରଛାତ୍ରୀ ପଢିବେ କେମିତି? ରାଜ୍ୟର ଅଧା ନବମ‌ ପିଲାଙ୍କୁ ମିଳିନି ‘ଉତ୍କର୍ଷ ବହି’

Twitter

ମେ’ ୧୫ ସୁଦ୍ଧା ଡାଟାବେସ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
ସିଆରସିସି ଅଧୀନରେ ଗଠନ ହେବ କମିଟି

ଭୁବନେଶ୍ବର : ପିଲାଙ୍କ ପାଠପଢ଼ାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସ୍କୁଲ ଖୋଲି ପାରୁନି। କ୍ଲାସରୁମ୍‌ ଶିକ୍ଷା ବି ହେଉନି। ଏଭଳି ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘାରିଲାଣି ଡ୍ରପ୍ଆଉଟ୍ ଚିନ୍ତା। କରୋନା କାଳରେ ପିଲାମାନେ ଅଧାରୁ ପାଠ ଛାଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଦେଶର କେତେକ ସ୍ଥାନରେ ବାଲ୍ୟବିବାହ ଦୃଷ୍ଟିଗୋଚର ହୋଇଛି। ଆଉ କିଛି ସ୍ଥାନରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢ଼ିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାମାନେ ଅଧାରୁ ପାଠପଢ଼ା ଛାଡ଼ୁଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଚିନ୍ତା ପ୍ରକଟ କରିଛି। ଡ୍ରପ୍‌ଆଉଟ୍‌କୁ କିଭଳି ରୋକାଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟଗୁଡ଼ିକୁ କୁହାଯିବା ପରେ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି।

ଅଧାରୁ ପାଠପଢ଼ା ଛାଡ଼ିଥିବା କିମ୍ବା ଆଦୌ ସ୍କୁଲ ମାଡ଼ି ନ ଥିବା ପିଲାଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି) ସହାୟତାରେ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ଘର ବୁଲି ପିଲାଙ୍କ ତଥ୍ୟ ସଂଗ୍ରହ କରିବା ସହ ମେ’ ୧୫ ସୁଦ୍ଧା ଏ ସମ୍ପର୍କରେ ଜଣାଇବାକୁ କୁହାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌କୁ ଆଧାର କରି ଶିକ୍ଷକ ଶିକ୍ଷୟିତ୍ରୀ, ବିଆରସିସି/ ସିଆରସିସିମାନେ ସ୍କୁଲ ପିଲାଙ୍କର ଏକ ଡାଟାବେସ୍ ପ୍ରସ୍ତୁତ କରିବେ। ଏହି ଡାଟାବେସ୍ ନିୟମିତ ଭାବେ ରକ୍ଷଣାବେକ୍ଷଣ ଏବଂ ଅପ୍‌ଡେଟ୍‌ କରାଯିବ। ଯେଉଁଥିରେ ସ୍କୁଲ ଯାଉଥିବା ଓ ଯାଉ ନଥିବା ପିଲାଙ୍କ ସମ୍ପୂର୍ଣ୍ଣ ତଥ୍ୟ ରହିବ। ୬ରୁ ୧୮ ବର୍ଷ ବୟସର ପିଲାଙ୍କୁ ଚିହ୍ନଟ କରିବା ଦିଗରେ ପଦକ୍ଷେପ ନିଆଯିବ। ଯେଉଁମାନେ କୌଣସି ବିଦ୍ୟାଳୟ/କଲେଜ/ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ନାହାନ୍ତି କିମ୍ବା ଅଧାରୁ ଛାଡ଼ିଛନ୍ତି, ସେମାନଙ୍କୁ ଚିହ୍ନଟ ପାଇଁ ଏହି ସର୍ବେକ୍ଷଣ ହେବ। ପ୍ରତ୍ୟେକ ସିଆରସିସି ଅଧୀନରେ ବିଦ୍ୟାଳୟ ଶିକ୍ଷକ, ଗ୍ରାମ ଶିକ୍ଷା କମିଟି ସଦସ୍ୟ ଓ ସ୍ବୟଂସହାୟକ ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ନେଇ ଗୋଟିଏ ଦଳ ଗଠନ କରାଯାଇପାରେ। ୨୦୨୦-୨୧ ଶିକ୍ଷାବର୍ଷର ସମଗ୍ର ଶିକ୍ଷାର ମନିଟରିଂ ଇନଫରମେସନ୍ ସିଷ୍ଟମ୍(ଏମ୍‌ଆଇଏସ୍‌) ବଜେଟରୁ ଏ ବାବଦରେ ଅର୍ଥ ବିନିଯୋଗ ହେବ, ଯାହାକି ପୂର୍ବରୁ ଜିଲ୍ଲାଗୁଡ଼ିକୁ ଦିଆଯାଇଛି। ପ୍ରତି ପରିବାର ପିଛା ୨ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। ପିଲାଙ୍କ ତଥ୍ୟଗୁଡ଼ିକ ସିଆରସିସ୍ତରରେ ସଂକଳନ କରାଯିବା ପରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) କାର୍ଯ୍ୟାଳୟରେ ଅନ୍‌ଲାଇନ୍ ପୋର୍ଟାଲରେ ଦାଖଲ କରାଯିବ। osepa odisha.gov.inର ଇ-ଗଭର୍ନାନ୍ସ ପୋର୍ଟାଲରେ ଡାଟା ଅପଲୋଡ୍ କରିବା ପାଇଁ ବିଇଓମାନଙ୍କୁ ଏକ ଲିଙ୍କ୍ ପ୍ରଦାନ କରାଯିବ। ରାଜ୍ୟସ୍ତରରେ ଅଧିକ ବିଶ୍ଳେଷଣ ପାଇଁ ସଂଗୃହୀତ ତଥ୍ୟ, ସଂକଳନ ଏବଂ ପୋର୍ଟାଲରେ ଅପଲୋଡ୍ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ମେ' ୧୫ ସୁଦ୍ଧା ଶେଷ କରିବାକୁ କୁହାଯାଇଛି।

ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସୂଚନା ଅନୁଯାୟୀ କରୋନା କାଳରେ ସ୍କୁଲ ବନ୍ଦ ରହିବା ଦ୍ବାରା ଦେଶର ୨୫୦ ମିଲିୟନ୍‌ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ଡ୍ରପ୍‌ଆଉଟ୍ ରେଟ୍‌କୁ କିଭଳି ରୋକାଯିବା ସହ ପିଲାଙ୍କ ପାଠପଢ଼ା ଯେପରି ପ୍ରଭାବିତ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe