livemint.com
ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ହାଜତରୁ କୁଖ୍ୟାତ ନିଶା ମାଫିଆ ମୁକ୍ତାର ଖାଁ ଚମ୍ପଟ୍ ମାରିବା ଘଟଣାରେ ଜଣେ ସବ୍ଇନ୍ସପେକ୍ଟରଙ୍କ ସହ ଅନ୍ୟ ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ; ଏସ୍ଆଇ ପ୍ରିୟଦର୍ଶିନୀ ଖଟୁଆ, ସେଣ୍ଟ୍ରି ଦାୟିତ୍ବରେ ଥିବା କନେଷ୍ଟବଳ ସେକ୍ ମଇଉଦ୍ଦିନ୍ ଏବଂ ଓଏପିଏଫ୍ କର୍ମଚାରୀ ରବୀନ୍ଦ୍ର କୁମାର ହାଁସଦା।
୧୮ ତାରିଖ ସନ୍ଧ୍ୟାରେ ଜଳେଶ୍ବର ପୁଲିସ ସେକବାଡ଼ ଗାଁର ମୁକ୍ତାର ଖାଁଙ୍କୁ ବ୍ରାଉନ୍ସୁଗାର ସହ ଗିରଫ କରିଥିଲା। ପଚରାଉଚରା ପାଇଁ ତାଙ୍କୁ ଥାନାକୁ ଅଣାଯାଇଥିବା ବେଳେ ୧୯ ତାରିଖ ବିଳମ୍ବିତ ରାତିରେ ଥାନା କର୍ମଚାରୀଙ୍କୁ ଚକ୍ମା ଦେଖାଇ ଚମ୍ପଟ୍ ମାରିଥିଲା ମୁକ୍ତାର। ଅନ୍ୟପକ୍ଷରେ, ଥାନା ହାଜତରୁ ଜଣେ ଅଭିଯୁକ୍ତ ଖସିଯିବା ଘଟଣାରେ ପୁଲିସର ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠିଥିଲା। ଗତକାଲି ସନ୍ଧ୍ୟାରେ ବାଲେଶ୍ବର ଅତିରିକ୍ତ ଏସ୍ପି ଅମରେଶ ପାଣିଗ୍ରାହୀ ଜଳେଶ୍ବର ଥାନା ଆସି ଘଟଣା ବାବଦରେ ପଚାରି ବୁଝିଥିଲେ। ଦାୟିତ୍ବରେ ଅବହେଳା ପାଇଁ ଥାନାର ଡାଇରି ଚାର୍ଜ ଅଫିସରଙ୍କ ସହ ମୋଟ ୩ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏ ସଂକ୍ରାନ୍ତରେ ଚିଠି ନଂ ୧୫୫୬/୨୦.୬.୨୦୨୨ରେ ନିର୍ଦ୍ଦେଶନାମା ଜାରି ହୋଇଛି। ନିଶା ମାଫିଆ ମୁକ୍ତାର ଥାନାରୁ ଚମ୍ପଟ ମାରିବା ସମୟର ଦୃଶ୍ୟ ସିସିଟିଭିରେ ରେକର୍ଡିଂ ହୋଇଥିବାବେଳେ ତାକୁ ଗିରଫ କରିବା ପାଇଁ ଜଳେଶ୍ବର ଥାନା ଆଇଆଇସି ରୋଜାଲିନ ବେହେରାଙ୍କ ନିର୍ଦ୍ଦେଶରେ ପୁଲିସ ଟିମ୍ ଧରପଗଡ଼ ଚଳାଇଛି।
Follow Us